କମଳାର ମା’ କହିଲେ, “ଏକଥା ସତ ଯେ ମା ବାପଙ୍କ ଅନୁପସ୍ଥିତିରେ ବିବାହ ହେବା ବଡ ଅନ୍ୟାୟ । କିନ୍ତୁ ଆପଣଙ୍କ ପୁଅ ଯିଦ୍ କରିବାରୁ ସେପରି ହେଲା । ତେଣୁ ଆମର ଦୋଷ ଅଛି ବୋଲି ଯଦି ଭାବୁଛନ୍ତି, ତେବେ ସମୁଦୁଣୀ ଆମକୁ କ୍ଷମା କରନ୍ତୁ ।” ଏତିକି କହି ସେ ସୋନାଲୀର ହାତ ଧରିଲେ ।
ସୋନାଲୀ ହାତ ଛଡାଇ ନେଇ କହିଲା, “ଛାଡ, ଛାଡ, ସମୁଦୁଣୀ ପୁଣି କିଏ? କାହାର ସମୁଦୁଣୀ? ବଡ ସାହସ ତ ତୁମର । ଝିଅକୁ ଏଠାରେ ଛାଡି ଶୀଘ୍ର ଏଠାରୁ ବାହାରି ଯାଅ । ତୁମ ମୁହଁ ଦେଖିବାକୁ ମୋର ଆଦୌ ଇଚ୍ଛା ହେଉନାହିଁ । ସମସ୍ତ କିଛି କରିସାରି ଠକିଲାଭଳି ଗୋଟାଏ ବିବାହ କାର୍ଯ୍ୟ କରିଦେଇ ପୁଣି “ସମୁଦୁଣୀ” ଡାକ । ମୋ ହୃଦୟରେ ତୁମେମାନେ ଛୁରୀ ଚଳାଇଛ । ଆଉ ଏବେ ମୋ ପାଇଁ କ’ଣ ବା ବାକି ରହିଲା?”
ସେତେବେଳେ ଗୋବିନ୍ଦର ବାପା ବାହାଦୁର ଘରେ ନଥିଲେ । ଚାରିକୋଶ ଦୂରରେ ଥିବା ଗୋଟିଏ ଗ୍ରାମକୁ ଜଣେ ସାଧୁ ଆସିଥିଲେ । ବାହାଦୁର ନିଜର ବ୍ୟାଧି ଉପଶମ ଆଶାରେ ସାଧୁଙ୍କୁ ଦେଖା କରିବାକୁ ଯାଇଥିଲେ ।
ପରଦିନ ସେ ଘରକୁ ଫେରି ସମସ୍ତ କଥା ପୁଅଠାରୁ ଶୁଣି ଭୀଷଣ ଦୁଃଖିତ ହୋଇ କହିଲେ, “ମୁଁ ବଡ ଭାଗ୍ୟହୀନ ଲୋକ, ମୁଁ ସାଧୁ ଦର୍ଶନ ଆଶାରେ ସେଠାକୁ ଗଲି; ହେଲେ ସାଧୁଙ୍କୁ ପାଇଲି ନାହିଁ । ତୁ ତ ତୋର ମା’ର ସ୍ୱଭାବ ଭଲଭାବେ ଜାଣିଛୁ । ତାକୁ ନପଚାରି ତୁ କାହିଁକି ଏପରି ବିବାହ କଲୁ?”
ସପ୍ତାହକ ମଧ୍ୟରେ ସୋନାଲୀ ଘରର କାମତକ କମଳା ଉପରେ ଲଦିଲା । ଚାକରକୁ ବାହାର କରିଦେଲା । ଦିନରାତି ଖଟି ଖଟି କମଳା ଥାଏ । ସେଥିରେ ମଧ୍ୟ ସନ୍ତୁଷ୍ଟ ନହୋଇ ଶାଶୁ କହିଲେ, “ପଇସାଟିକର ଯୌତୁକ ନଆଣି ମହାରାଣୀ ପରି ଏଠାରେ ରାଜ୍ୟ କରିବାକୁ ଚାଲି ଆସିଲୁ । ଆଜିଠାରୁ କେବଳ ରାତିରେ ଥରେ ମାତ୍ର ତୁ ଖାଇବୁ । ଏସବୁ କଥା ଗୋବିନ୍ଦକୁ କହିବୁ ତ ମୋର ନିଜ ରୂପ ଦେଖିବୁ; ବାପ ଘରକୁ ଯେ ଥରେ ପଠାଇ ଦେବି ଆଉ ଆସିବୁ ନାହିଁ ।”
ଦିନକୁ ଥରେ ମାତ୍ର ଖାଇ, ଘରଟା ଯାକର କାମ କରି କମଳା ଏକବାରେ ଝଡିଗଲା । ଦିନେ ଗୋବିନ୍ଦ ତାକୁ ପଚାରିଲା, “କମଳା, ଏତେ କାହିଁକି ଝଡିଗଲ?”
ସେତିକିବେଳେ ଗୋବିନ୍ଦର ମା’ କହିଲା, “ତା’ ମା’କୁ ଝୁରି ଝୁରି ସେ ଝଡି ଯାଉଛି । କାଲି ତାକୁ ନେଇ ତା’ ମା’ ଘରେ ଛାଡି ଦେଇ ଆସ୍ ।” କମଳା ଗୋବିନ୍ଦକୁ କିଛି କହିବାର ସୁଯୋଗ ଆଉ ପାଇଲା ନାହିଁ । ଦେଖିଲା ଶାଶୁ ବଡ ଚତୁରୀ । ସବୁ ମିଥ୍ୟାଚାର କରି ପୁଣି କମଳାକୁ ସାବଧାନ କରାଇଛନ୍ତି ଯେପରି ସେ ଟିକିଏ ବି କିଛି ଗୋବିନ୍ଦକୁ ନ କହେ । ଏପରି ଏକ ପରିସ୍ଥିତିରେ କେତେଦିନ ରହିବ, ସେକଥା ଭାବି କମଳା ବଡ ଦୁଃଖରେ ଥାଏ ।
ରାତିରେ କମଳା ଶୋଇ ପାରିଲା ନାହିଁ । ଅଧରାତି ବେଳକୁ ଘର ପଛପଟ ପିଣ୍ଡାରେ ବସି ସେ ବହୁତ କାନ୍ଦିଲା । ଶାଶୁର କଟୁକ୍ତି କଥା ମନେ ପକାଇ ସେ କାନ୍ଦୁଥାଏ । ଠିକ୍ ଏହି ସମୟରେ ଖଡଖଡ ଶବ୍ଦ ହେବାରୁ ମୁହଁଟେକି ସେ ଗଛକୁ ଚାହିଁଲା । ହଠାତ୍ ଗଛ ଡାଳ ହଲିଲା ଓ ଡାଳ ଉପରୁ ତଳକୁ ଭୂତୁଣୀଟିଏ ଡେଇଁଲା; ଆଉ ଆସି କମଳାର ସମ୍ମୁଖରେ ସେ ଠିଆ ହୋଇ ପଡିଲା । ସେ କହିଲା, “ତୁ ଆଦୌ ଭୟ କର ନା । ମୁଁ ଏଠାକୁ ତୋର ସହାୟତା କରିବାକୁ ଆସିଛି । ତୋର ଦୁଃଖ କ’ଣ କହିଲୁ ଦେଖି?”
ତା’ କଥା ଶୁଣି, କମଳା ସାହସ ପାଇ ନିଜର ସମସ୍ତ ଦୁଃଖକଥା ତାକୁ ଶୁଣାଇଲା । ସବୁ ଶୁଣି ସେ ଭୂତୁଣୀ କହିଲା, “ଠିକ୍ ଅଛି, ଆଜିଠାରୁ ତୁ ହଜାରଟି ଭାତ ଖାଇଲେ ଗୋଟିଏ ସୁନାର ଭାତ ଭାତଥାଳୀ ତଳେ ଲାଗିରହିବ । ତୋ ଶାଶୁ ସୁନା ପାଇବାକୁ ପାଗଳ । ଏବେ ସେ ତତେ ବହୁତ ଖୁଆଇବ ।”