ସକାଳେ ବାପଘରକୁ ଯିବା ପାଇଁ ଜିନିଷପତ୍ର ସଜଡା ହେଲା । କଥାବାର୍ତ୍ତା ମଧ୍ୟରେ କମଳା ତା’ ଶାଶୁକୁ କହିଲା, “ରାତ୍ରିରେ ସ୍ୱପ୍ନରେ ଦେବୀ କହିଲେ ଯେ ମୁଁ ହଜାରଟି ଭାତ ଖାଇଲେ ଗୋଟିଏ ଭାତ ସୁନା ପାଲଟି ଯିବ ଓ ଥାଳୀରେ ଲାଗି ରହିବ ।”
ସୋନାଲୀ ଖୁସି ହୋଇ ଯାଇ କହିଲା, “ସତେ? କିନ୍ତୁ ଆଜିପର୍ଯ୍ୟନ୍ତ ତୋର ସେ ଦେବୀ ଥିଲେ କେଉଁଠି! ଏକଥା ଆଗରୁ କରିଥିଲେ ତ ଆମେ ଧନୀ ହୋଇ ଯାଇଥା’ନ୍ତେ । ମୁଁ ସୁନାରେ କେତେ ଗହଣା କରି ପିନ୍ଧି ପକାଇଥାନ୍ତି । ଯାହା ହେଉ ପଛେ ତୁ କିନ୍ତୁ ଆଜି ଆଉ ତୋ ବାପଘରକୁ ଯିବୁ ନାହିଁ ।”
ରାତିରେ ବୋହୂର ଅଇଁଣ୍ଠା ଥାଳୀ ତା’ ଶାଶୁ ଖୋଜି ଦେଖିଲେ ସତରେ ସୁନାର ଭାତଟିଏ ଲାଖି ରହିଛି । ସେ ଖୁସି ହୋଇ ସେହି ଦିନଠାରୁ ବୋହୁକୁ ଦିନକୁ ତିନିଥର ଖାଇବା ଦେଲେ । ସାରା ମାସ ଧରି ସଂଗ୍ରହ କରିଥିବା ସୁନାରେ ଅଳଙ୍କାରମାନ ତିଆରି କରି ସେ ପିନ୍ଧିଲେ; ଆଉ କହିଲେ, “ହେ ବୋହୁ, ତୋର ବାପଘର କଥା ଚିରଦିନ ପାଇଁ ଭୂଲିଯା । ତୋତେ ମୁଁ ଦିନକ ପାଇଁ ହେଲେ ଛାଡି ପାରିବି ନାହିଁ ।” କିନ୍ତୁ ସୁନା ସଂଗ୍ରହ କରିବା ପାଇଁ ଲୋଭ ଆହୁରି ବଢିଲା । ସେ କମଳାକୁ ବହୁତ ବହୁତ ଖୁଆଇଲେ ।
ଫଳରେ ଦିନେ ତା’ର ପେଟ କାଟିଲା । ସେ ତା’ ବାପ ଘରକୁ ଯିବାକୁ ଚାହିଁଲା । ସେତେବେଳେ ଭୂତୁଣୀ ଆସି ତାକୁ ପଚାରିଲା, “ପୁଣି କ’ଣ ସମସ୍ୟା ହେଲା?”
କମଳା ସବୁକଥା କହିଲା । ଭୂତୁଣୀ ସିଁ କରି ଶବ୍ଦଟାଏ କରି କହିଲା, ଏଥର ତୋ ଶାଶୁକୁ କହ, ଦିନରେ ବକତେ ଖାଇବା ଛାଡି ଦେଲେ ତା’ ଥାଳୀ ତଳୁ ସୁନା ମିଳିବ ।”
ସକାଳ ହେବାରୁ କମଳା ସବୁକଥା କହିଲା । ଏକଥା ଶୁଣି ଶାଶୁ ଖୁସିଟାଏ ହୋଇ କହିଲେ, “ତେବେ ତୋର ଏଠି ରହିବାର ଆଉ କ’ଣ ବା ପ୍ରୟୋଜନ ରହିଛି । ତୁ ବରଂ ଆଜି ହିଁ ତୋ ବାପଘରକୁ ଚାଲିଯା ।” ଏହାପରେ କମଳା ତା’ ବାପଘରକୁ ଗଲା ।
ସେଦିନ ଖରାବେଳେ ସେ ନଖାଇ ଦେଖିଲେ କି ଥାଳୀ ତଳେ ସୁନା ମୋହରଟିଏ ଅଛି । ଆହୁରି ନଖାଇ ରହିଲା, ଆହୁରି ସୁନା ମିଳିଲା, ତା’ପରେ ସେ ଭାବିଲା “ଜନ୍ମରୁ ତ ଆଜିଯାଏଁ ମୁଁ ଖାଉଛି । ଏବେ ଦଶଦିନ ଉପବାସ ରହିଗଲେ, କୋଡିଏଟି ମୋହର ମିଳିବ । ସେଥିରେ ସୁନ୍ଦର ହାରଟିଏ ଓ କିଛି ଚୁଡି ବନାଇ ପଡିଶା ଘରକୁ ଯିବି । ଯେପରି ମୋତେ ଦେଖିଲେ ଅନ୍ୟମାନେ ଇର୍ଷ୍ୟାରେ ଜଳିବେ । ବଡ ମଜା ହେବ ।”
ତିନିଦିନ ମଧ୍ୟରେ ସେ ଏତେ ଦୁର୍ବଳ ହୋଇଗଲେ ଯେ ବିଛଣାରୁ ଉଠି ଗୋବିନ୍ଦକୁ ଡାକି କହିଲେ, “ପୁଅ, ଯାଇ ବୈଦ୍ୟକୁ ପଚାରି ଆସ ଯେ ସାଗୁଦାନା ଖିରି ବା ଚାଉଳ ଖିରି କ’ଣ ଖାଦ୍ୟ ସହିତ ସମାନ?”
ଗୋବିନ୍ଦ ବୁଝି ପାରିଲା ନାହିଁ ଯେ ମା’ଙ୍କର ଏପରି ବିଚିତ୍ର ସନ୍ଦେହ କେଉଁଠୁ ଆସିଲା? ସେ ବୈଦ୍ୟଙ୍କ ପାଖକୁ ଯାଇ ମା’ ଯାହା କହିଥିଲେ ତାହା କହିଲେ । ବୈଦ୍ୟ ହସି ହସି କହିଲେ, “ପାଣି ବ୍ୟତୀତ ଯାହା ଖାଇଲେ ମଧ୍ୟ ତାକୁ ଭୋଜନ ବୋଲି କୁହାଯିବ ।”
ଗୋବିନ୍ଦ ଘରକୁ ଫେରି ଦେଖିଲା ତା’ ମା’ ବେହୋସ ହୋଇ ପଡିଛି । ସେ ବୈଦ୍ୟଙ୍କୁ ଡାକି ଚିକିତ୍ସା କରାଇଲା ଓ ବାପାଙ୍କୁ ମା’ର ଦାୟିତ୍ୱ ଦେଇ ଶୀଘ୍ର ଶଶୁର ଘରକୁ ଯାଇ କମଳାକୁ ନେଇ ଆସିଲା ।
ଶାଶୁଙ୍କୁ ଦେଖି କମଳା କାନ୍ଦି କାନ୍ଦି କହିଲା, “ମା’, ତୁମର ଏ କ’ଣ ହେଲା?” ସୋନାଲୀ କମଳାକୁ ପାଖକୁ ଡାକି ବସାଇ ସବୁକଥା କହିଲେ । ତା’ପରେ କହିଲେ, “ତୋ ପରି ରତ୍ନକୁ ବୋହୁ କରି ପାଇ ମଧ୍ୟ ମୁଁ ସୁନା ପଛରେ ପାଗଳ ହୋଇ ନିଜର ଏହି ଅବସ୍ଥା ନିଜେ କରିଛି । ମୁଁ ମଧ୍ୟ କି ବୋକା । ଏତେ ବୟସ ହେଲାଣି । ଏବେ ମୋର ଏତେ ଅଳଙ୍କାର ପିନ୍ଧିବା କ’ଣ ଦରକାର? ଏସବୁ ସୁନା ନେଇ ତୁ ଅଳଙ୍କାର ବନାଇ ପିନ୍ଧିବୁ । ଏକଥା ତୁ ଆଉ ତୋ ଶ୍ୱଶୁରଙ୍କୁ କହିବୁ ନାହିଁଟି?”
କମଳା ଶାଶୁଙ୍କର ସେବା କରି ଠିକ୍ ମାସକ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ଫେରାଇ ଆଣିଲା । ଏଣିକି ସେମାନେ ଖୁସିରେ ରହିଲେ ।