ପରମାନନ୍ଦର ବିବାହ ଦେଖିବା ପାଇଁ ମୋର ଯେଉଁ ପ୍ରବଳ ଇଚ୍ଛା ଥିଲା, ତାହା ପୂରଣ ହୋଇ ନପାରିବାରୁ ମୋର ଅସନ୍ତୁଷ୍ଟ ଆତ୍ମା ପ୍ରେତାତ୍ମା ରୂପେ ଚାରିଆଡେ ଘୂରି ବୁଲୁଛି । ପ୍ରତିଦିନ ରାତିରେ ମୁଁ ଘର ଭିତରକୁ ଯାଇ, ମୋ ପୁଅ ପରମାନନ୍ଦକୁ ମନଭରି ଦେଖେ । ପୁଝାରୀ ଚାକରମାନେ ମୋ ପୁଅର ଠିକ୍ ଯତ୍ନ ନେଉଛନ୍ତି କି ନାହିଁ, ସେମାନଙ୍କ ଉପରେ କଡା ନଜର ମଧ୍ୟ ରଖିଥାଏ । ସେମାନେ କିନ୍ତୁ ସେମାନଙ୍କର କାମରେ ଅବହେଳା କଲେ । ଦିନକର ଘଟଣା ପରମାନନ୍ଦ ଜ୍ୱରରେ ପୀଡିତ ହୋଇ ବିଛଣାରେ ଶୋଇଥାଏ । ଏହି ସମୟରେ ଚାକର ରୋଷେଇଆ ନନା ଏକ ଷଡଯନ୍ତ୍ର କରି ମୋ ଘରୁ ବସ୍ତାଏ ଚାଉଳ, କଂସା ମୋ ଘରର ପଛପଟ ଦରଜାବାଟେ ଚୋରାଇ ନେଉଥିଲେ । ମୋର ଅତୃପ୍ତ ଆତ୍ମା ଅଦୃଶ୍ୟ ଆଉ ଅଶରୀର ଭାବେ ତ ଘୂରୁଛି, ତେଣୁ ମୁଁ ଏସବୁ ଦେଖିଦେଲି । ମୁଁ ସେମାନଙ୍କ ଚୋରି କରିବାଟାକୁ ଆଦୌ ସହିନପାରି ସେମାନଙ୍କ ଉପରକୁ ଭୁସ୍କରି କୁଦି ପଡିଲି । ମୋର ମାଂସ ରକ୍ତ ଶୂନ୍ୟ କଙ୍କାଳଧାରୀ ଆତ୍ମା ତାଙ୍କୁ ଦେଖାଇଲି । ତାଙ୍କୁ କହିଲି, ମୁଁ ତୁମର ମାଲିକାଣୀ । ବେଇମାନ୍ ଶେଷରେ ତୁମେ ମୋର ଉପକାରର ଋଣ ଏପରି ଶୁଝିଲ? ନିମକ୍ହାରାମ୍, ଚୋର ବଦମାସ୍, ମୁଁ ତୁମକୁ ମୋଟେ ଛାଡିବିନି । ତୁମ ତଂଟି ଚିପି ସବୁ ରକ୍ତ ପିଇଯିବି । ଏତିକିରେ ସମସ୍ତେ ଭୂତ ଭୂତ କହି ଦୌଡି ପଳାଇଲେ । ମୋର ଆଉ ଏଥିରେ ଭୁଲ୍ ରହିଲା କେଉଁଠି? ସୁରମା ଉତ୍ତର ଦେବାକୁ ଯାଇଛି ତ ହଠାତ୍ କାହାର ଗୋଟେ ଶବ୍ଦ ଶୁଣି ନିରିମା ଭୁତୁଣୀ ସୁ ସୁ ହୋଇ ଧଳା ସାପଟିଏ ହୋଇ ଉଡି ଚାଲିଗଲା ଝରକା ବାଟ ଦେଇ ।
ଏହାପରେ ଘଟଣା କ’ଣ ହୋଇଛିନା ସୁରମା ଓ କୈଳାସ ସେଠାରେ ଆଠ ଦଶ ଦିନ ରହିବା ମଧ୍ୟରେ ଆଉ କେବେବି ନିରିମାର ପ୍ରେତାତ୍ମା ଆସି ନାହିଁ ।
ଦିନେ କୈଳାସ ତା’ ବ୍ୟବସାୟ ସାରି ସଂନ୍ଧ୍ୟାବେଳେ ଘରେ ପହଁଚିଲେ । ପରମାନନ୍ଦଙ୍କୁ କହିଲେ, ପରମାନନ୍ଦ ବାବୁ ମୋତେ ଅନ୍ୟତ୍ର ଘର ମିଳି ଯାଇଛି । ତେଣୁ କାଲି ସକାଳେ ଆମେ ତୁମ ଘର ଛାଡି ସେଠାକୁ ଚାଲିଯିବୁ । କୈଳାସ ମୁହଁରୁ ଏହା ଶୁଣି ହଠାତ୍ ସେ ପରମାନନ୍ଦର ମୁହଁରେ ଦୁଃଖର ଛାଇ ଖେଳିଗଲା । ସେ ବା କିପରି କହିବ ଏହି ଭୂତ କୋଠି ରୂପେ ବଦନାମ ହୋଇଥିବା ଘରେ ରହିବାକୁ । ତେଣୁ ସେ ପରମାନନ୍ଦ କେବଳ ନିରବ ରହିଲା ।
କୈଳାସ ତା’ ଗୋଡ ହାତ ଧୁଆ ଧୋଇ ହେବା ପରେ ବାରିପଟ କୂଅ ପାଖକୁ ଗଲେ । ଠିକ୍ ଏତିକିବେଳେ ପାଖ ଆମ୍ବ ଗଛରୁ ଧଡାସ କିନା ଡେଇଁ ଭୂତୁଣୀ ତାଙ୍କ (କୈଳାସ) ସମ୍ମୁଖରେ ଠିଆ ହୋଇ ପଡିଲା । ସେ ଭୂତୁଣୀକୁ ଦେଖି କୈଳାସ ଖାଲି ଭୟରେ ଥରୁଥାଆନ୍ତି, କାହାକୁ ଡାକିବାକୁ ଇଚ୍ଛା କରି ମଧ୍ୟ ଡାକିପାରୁ ନାହାଁନ୍ତି । କୈଳାସ ଏପରି ଭୟ ପାଇ ଯିବାର ଦେଖି ନିରିମାର ପ୍ରେତାତ୍ମା କହିଲା, କୈଳାସ ଆଦୌ ଭୟ କର ନାହିଁ । ମୁଁ ନିରିମା, ବର୍ତ୍ତମାନ ପ୍ରେତ ହୋଇ ବିଚରଣ କରୁଛି, ମୁଁ ତୁମକୁ ଗୋଟିଏ କଥା କହିବାକୁ ଆସିଛି ।