ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୂବନ ସୁନ୍ଦରୀ

ଏହାପରେ ସେ ଘୋଡାର ଦରଜା ଖୋଲା ହେଲା । ଏକ ପରେ ଏକ ଯୋଦ୍ଧା ଦଉଡି ଧରି ବାହାରକୁ ଆସିଲେ । କେତେକ ଦୁର୍ଗର ପ୍ରଧାନ ଦ୍ୱାର ଖୋଲି ଦେବାକୁ ଗଲେ ତେବେ ଗ୍ରୀକ୍ ସୈନ୍ୟ ମାନେ ସହଜରେ ପ୍ରବେଶ କରିବେ । ଏଣେ କେତେକ ଯୋଦ୍ଧା ଯାଇ ପ୍ରହରୀମାନଙ୍କୁ ମାରିପକାଇଲେ । କାରଣ ସେମାନେ କ୍ଳାନ୍ତ ଥିଲେ ।

ପ୍ରତାପ ଏବେ କେବଳ ଭୂବନସୁନ୍ଦରୀଙ୍କ କଥା ଭାବୁଥିଲେ ଓ ତାଙ୍କ ଘର ପାଖକୁ ଦୌଡିଲେ । ତା’ପରେ ହଣାକଟା ଆରମ୍ଭ ହୋଇଗଲା । ସୁନ୍ଦର ଜହ୍ନରାତିରେ ଗ୍ରୀକ୍ ବୀରମାନେ ଖାଲି ହତ୍ୟା କରି ଚାଲିଲେ । ଯଦିଓ ସେମାନେ ଭୂବନସୁନ୍ଦରୀ ଓ ତାଙ୍କ ଶାଶୁଙ୍କୁ ଏହି କଥା ଦେଇଥିଲେ ଯେ ସେମାନେ ଅସ୍ତ୍ରହୀନ ଲୋକଙ୍କୁ ମାରିବେ ନାହିଁ, କିନ୍ତୁ ସେମାନେ ସେକଥାକୁ ରକ୍ଷା କଲେ ନାହିଁ । ଘରେ ଘରେ ପଶି ଆବାଳବୃଦ୍ଧବନିତାଙ୍କୁ ଖାଲି ସେମାନେ କାଟି ପକାଇଲେ ।

ରାଜା ବର୍ଦ୍ଧନ, ତାଙ୍କ ପତ୍ନୀ ଓ ଝିଅମାନେ ଗୋଟିଏ ମନ୍ଦିରରେ ଯାଇ ଆତ୍ମଗୋପନ କଲେ । ବର୍ଦ୍ଧନ ବାହାରକୁ ଆସି ଗ୍ରୀକ୍ମାନଙ୍କ ସହିତ ଯୁଦ୍ଧ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ସ୍ତ୍ରୀ କହିଲେ, “ତୁମେ ବୃଦ୍ଧ, ସେମାନେ ତୁମକୁ ଅନାୟାସରେ ମାରି ଦେବେ । ବରଂ ଏହିଠାରେ ଲୁଚିରହି ନିଜର ଜୀବନ ବଂଚାଇ ପାରିଲେ ଯଥେଷ୍ଟ ।”

ସେ ପତ୍ନୀଙ୍କ କଥା ମାନିନେଲେ । କିନ୍ତୁ ଇତିମଧ୍ୟରେ ଗ୍ରୀକ୍ମାନେ ତାଙ୍କର ଏକ ପୁତ୍ରକୁ ଗୋଡେଇ ଆସୁଥିଲେ ଓ ଦେଖୁ ଦେଖୁ ନବଯୋଧ ସେହିଠାରେ ତଲବାରରେ ତାକୁ କାଟି ପକାଇଲେ । ଏ ଦୃଶ୍ୟ ବର୍ଦ୍ଧନ ଦେଖିଲେ ଓ ସହିବା ତାଙ୍କ ପାଇଁ ବଡ କଷ୍ଟ ହେଲା । ସେ ଲୁଚିବା ସ୍ଥାନରୁ ବାହାରି ଆସିଲେ ଓ ଯୁଦ୍ଧ କଲେ । ଅଳ୍ପ ସମୟ ମଧ୍ୟରେ ସେ ବନ୍ଦୀ ହେଲେ । ଗ୍ରୀକ୍ମାନେ ତାଙ୍କୁ ବଡ ନିର୍ଦ୍ଦୟ ଭାବରେ ଘୋଷାରି ଘୋଷାରି ରାଜଭବନ ପର୍ଯ୍ୟନ୍ତ ନେଇ ତାଙ୍କୁ ମାରିପକାଇଲେ ।

ପ୍ରତାପଙ୍କ ସହିତ ରୂପଧର ମଧ୍ୟ ଭୂବନସୁନ୍ଦରୀଙ୍କ ଘରକୁ ଆସିଲେ । ଦୁହେଁ ମିଶି ବହୁସମୟ ଧରି ଅରିଭୟଙ୍କରଙ୍କ ସହିତ ଲଢେଇ କଲେ । ଶେଷରେ ଭୂବନସୁନ୍ଦରୀହିଁ ଅରିଭୟଙ୍କରଙ୍କ ପିଠିରେ ଛୁରା ମାରି ତାଙ୍କୁ ଭୂତଳଶାୟୀ କଲେ ।

ଏପର୍ଯ୍ୟନ୍ତ ପ୍ରତାପ ଭାବୁଥିଲେ ଯେ ଭୂବନସୁନ୍ଦରୀଙ୍କୁ ଦେଖିବାମାତ୍ରେ ମାରି ପକାଇବେ । କାରଣ ତାହାହିଁ ତାଙ୍କ କୃତଘ୍ନତାର ପ୍ରତିଶୋଧ ହେବ । କିନ୍ତୁ ତାଙ୍କୁ ଦେଖିବା ମାତ୍ରେ ସେ ତାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ଆଉ ପୂର୍ବର ଚିନ୍ତାକୁ କାର୍ଯ୍ୟକାରୀ କଲେ ନାହିଁ । ସେ ତଲବାର ଫିଙ୍ଗି ଦେଇ ଭୂବନସୁନ୍ଦରୀଙ୍କ ହାତ ଧରି ନିଜ ଜାହାଜକୁ ଚାଲିଗଲେ ।

ଟ୍ରୋଜନ୍ ହେଲେ ମଧ୍ୟ ପ୍ରତ୍ୟାମ୍ନାୟ ଗ୍ରୀକମାନଙ୍କୁ ସମର୍ଥନ କରୁଥିଲେ । ଏକଥା ଭୁଲିଯାଇ ଗ୍ରୀକ୍ ସୈନିକମାନେ ତାଙ୍କର ଏକ ପୁତ୍ରକୁ ମାରି ମାରି ପ୍ରାଣାନ୍ତକ କଷ୍ଟ ଦେଇଥିଲେ ତାଙ୍କର ଅନ୍ୟ ପୁତ୍ରକୁ ମାରିବାପାଇଁ ତା’ ପଛରେ ଧାଉଁ ଥା’ନ୍ତି । ଠିକ୍ ସେହିସମୟରେ ରୂପଧର ଆସି ସୈନିକମାନଙ୍କୁ ସେସବୁଥିରୁ ନିବୃତ କଲେ ଓ ପ୍ରତ୍ୟାମ୍ନାୟଙ୍କ ଘର ସାମନାରେ ଏକ ବାଘ ଚମଡା ଝୁଲାଇ ଦେଲେ । ତାହାର ଅର୍ଥ ଏହି ଘରେ ଥିବା କୌଣସି ଲୋକ ଉପରେ ଯେପରି ଅତ୍ୟାଚାର ନହୁଏ । ଏହି ଭାବରେ ପ୍ରଶଂସନଙ୍କ ଘର ମଧ୍ୟ ଗ୍ରୀକ୍ଙ୍କ ଆକ୍ରମଣରୁ ବଂଚିଗଲା । କାରଣ ସେ ଟ୍ରୋଜନ୍ମାନଙ୍କ ତରଫର ଲୋକ ହୋଇ ମଧ୍ୟ ଗ୍ରୀକ୍ମାନଙ୍କୁ ସମର୍ଥନ କରୁଥିଲେ ।

ଟ୍ରୋୟରେ ଗ୍ରୀକ୍ମାନଙ୍କ ହତ୍ୟାକାଣ୍ଡ ଆରମ୍ଭ ହେବା ମାତ୍ରେ, ବର୍ଦ୍ଧନଙ୍କର ବଡ ଝିଅ ଜାଳିନୀ, ବୁଦ୍ଧିମତୀ ମନ୍ଦିର ଭିତରକୁ ଯାଇ ସେଠାରେ ଲୁଚିଗଲେ । କିନ୍ତୁ ଗ୍ରୀକ୍ମାନେ ତାଙ୍କୁ ସେଠାରୁ ଧରିନେଇ ଗଲେ । ଯେଉଁ କେତେକ ଟ୍ରୋଜନ୍ ସ୍ତ୍ରୀ ବଂଚି ରହିଲେ ସେମାନଙ୍କୁ ଗ୍ରୀକମାନେ ଧରିନେଇଗଲେ । ଗ୍ରୀକ୍ ସମ୍ରାଟ ଜାଳିନୀଙ୍କୁ ନିଜର ସ୍ତ୍ରୀ କରି ରଖିଲେ । ହତ୍ୟାକାଣ୍ଡ ପରେ ଗ୍ରୀକ୍ମାନେ ଟ୍ରୋୟ ନଗରୀରେ ଲୁଟତରାଜ ଆରମ୍ଭ କଲେ । କାନ୍ଥମାନ ଭାଙ୍ଗି ପକାଇଲେ, ଘର ଜଳେଇ ଦେଲେ ଓ ଲୋକମାନଙ୍କୁ ଧରି ନେଇ ବନ୍ଦୀ କରି ପକାଇଲେ । ଲୁଣ୍ଠନ ପରେ ପାଇଥିବା ଧନକୁ ସେମାନେ ନିଜ ନିଜ ମଧ୍ୟରେ ବାଂଟି ନେଲେ ।

ବୀରସିଂହଙ୍କ ପତ୍ନୀଙ୍କୁ ନବବୋଧ ତାଙ୍କର ସ୍ତ୍ରୀ କରିନେଲେ; ତାଙ୍କର ମଧ୍ୟ ଛୋଟ ଶିଶୁଟିଏ ଥିଲା, ତାକୁ ଗ୍ରୀକ୍ମାନେ ଷଡଯନ୍ତ୍ର କରି ମାରିପକାଇଲେ । ବଜ୍ରକାୟଙ୍କୁ ବିବାହ କରିବାକୁ ଯାଇ ଠକିଥିବା ପ୍ରମୋଦିନୀଙ୍କୁ ନେଇ ନାନା ପ୍ରକାର ଗଣ୍ଡଗୋଳ ହେଲା । ଟ୍ରୋୟ ରାଜ୍ୟର ପତ୍ତନ ପରେ ପ୍ରମୋଦିନୀଙ୍କୁ ତାଙ୍କରି ସମାଧି ପାଖରେ ବଳି ଦେବାକୁ ବଜ୍ରକାୟ ତାଙ୍କ ମୃତ୍ୟୁ ପୂର୍ବରୁ କହିଥିଲେ । ଏକଥା ସେ ସ୍ୱପ୍ନରେ କେତେଜଣ ଗ୍ରୀକ୍ ଓ ତାଙ୍କର ଅନ୍ୟତମ ପୁତ୍ରକୁ ମନେ ପକାଇଦେଲେ । ପୁଣି ସେ ସ୍ୱପ୍ନରେ ଏପରି ଚେତାବନୀ ଦେଇଥିଲେ ଯେ ପ୍ରମୋଦିନୀକୁ ଯଦି ବଳି ଦିଆ ନଯାଏ ତେବେ ସେ ନିଜେ ଗ୍ରୀକ୍ମାନଙ୍କର ଫେରିବାର ରାସ୍ତା ବନ୍ଦ କରିବେ ଓ ଗ୍ରୀକ୍ ସୈନ୍ୟଙ୍କୁ ଧ୍ୱଂସ କରିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ