ଦିନକର ଘଟଣା, ଜର୍ଜ ୱାଶିଂଗଟନ୍ ରାଷ୍ଟ୍ରପତି ଭାବରେ ଗାଦିସୀନ ହେବାର କିଛି ମାସ ଅତିବାହିତ ହୋଇଥାଏ । ଆମେରିକା କଂଗ୍ରେସର ନିର୍ବାଚିତ ପ୍ରତିନିଧି ମାନଙ୍କୁ ଜର୍ଜ ୱାଶିଂଗଟନ୍ ନିଜର ବାସଭବନରେ ଏକ ଭୋଜିସଭାର ଆୟୋଜନ କରି ନିମନ୍ତ୍ରଣ କଲେ । ଉଦ୍ଧେଶ୍ୟ ଥିଲା ସଦସ୍ୟମାନେ ପରସ୍ପରକୁ ଚିହ୍ନିବେ ଏବଂ ସେମାନଙ୍କ ମଧ୍ୟରେ ଭାବ ବିନିମୟ ହେବ ।
ଏହି ଭୋଜିସଭା ନିମନ୍ତେ ଦିନ ଓ ସମୟ ଧାର୍ଯ୍ୟ ହୋଇଥାଏ । ଭୋଜିରନ୍ଧା ସରିଲା, ସେଦିନ ୱାଶିଂଟନ ଠିକଣା ସମୟ ଯାଏଁ ଅପେକ୍ଷା କରି ବସିଥାନ୍ତି । ମାତ୍ର ନିର୍ଦ୍ଧାରିତ ସମୟରେ କେହି ବି ନ ଆସିବାରୁ ସେ ନିଜେ ଏକାକୀ ଖାଇବସିଲେ । ଠିକ୍ ଖାଉଥିବା ସମୟରେ ଜଣ ଜଣକରି ସଦସ୍ୟ ଆସିବା ଆରମ୍ଭ କଲେ ।
ଭୋଜିକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ଅତିଥିମାନଙ୍କୁ ଟିକିଏ ବି ଅପେକ୍ଷା ନକରି ଖାଇ ବସିଥିବାରୁ ସେମାନେ ବିସ୍ମୃତ ହୋଇଗଲେ । ଖୋଦ ରାଷ୍ଟ୍ରପତି ଯଦି ଏଭଳି ଭୁଲ୍ କରିବେ ତେବେ କାହାକୁ କୁହାଯିବ? ସୁତରାଂ ସମସ୍ତେ ଏହି ଘଟଣାକୁ ମନେ ମନେ ନିନ୍ଦା କରିବା ସହିତ ନିଜକୁ ଅପମାନ ବୋଧ ବି କଲେ । କେତେଜଣ ସେଠାରୁ ଫେରି ଆସିବା ପାଇଁ ମଧ୍ୟ ମନେ ମନେ ନିଷ୍ପତି ନେଇ ସାରିଲେଣି ।
ଠିକ୍ ଏତିକିବେଳେ ଜର୍ଜ ୱାଶିଂଟନ୍ ସଦସ୍ୟମାନଙ୍କ ମୁଖମଣ୍ଡଳରେ ଆଶ୍ଚର୍ଯ୍ୟର ଚିହ୍ନ ଲକ୍ଷ୍ୟ କରି କହିଲେ, “ବନ୍ଧୁଗଣ! ଆମନ୍ତ୍ରିତ ଅତିଥି ଭାବରେ ଆପଣମାନେ ଏଠାରେ ପହଁଚିବା ପୂର୍ବରୁ ମୁଁ ଖାଇବସିଥିବା ଦେଖି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିଏ କେମିତି ଏହାକୁ ଅପମାନବୋଧକ କାର୍ଯ୍ୟ ଭାବରେ ବି ଧରିନେଇଥାଇ ପାରନ୍ତି; ହେଲେ ସେଭଳି ଭାବିବା କି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ବି ନାହିଁ । ମୁଁ ମୋର ପ୍ରତ୍ୟେକ କାର୍ଯ୍ୟ ଠିକ୍ ସମୟରେ ନିର୍ବାହ କରିଥାଏ । ଏ କ୍ଷେତ୍ରରେ ମଧ୍ୟ ମୁଁ ତାହାହିଁ କରିଛି । ମୋର ନୀତିସହିତ ମୋର କର୍ମଚାରୀମାନେ ଭଲଭାବରେ ପରିଚିତ । ଠିକ୍ ସମୟରେ ରୋଷେଇ ଶେଷ ହୋଇଥିବାରୁ ଆପଣମାନେ କେହି ନଆସିଥିଲେ ମଧ୍ୟ ମୋର ରୋଷେୟା ମୋ ଖାଇବାପାଇଁ ବାଢି ଆଣି ମୋ ସମ୍ମୁଖରେ ରଖିଦେଲା । ନିମନ୍ତ୍ରିତ ଅତିଥି ଆସିଲେ କି ନାହିଁ ତା’ଉପରେ ସେ ଆଦୌ ଗୁରୁତ୍ୱ ନଦେଇ ସେ କେବଳ ଗୁରୁତ୍ୱ ଦେଇଥିଲା ମୋର ସମୟାନୁବର୍ତ୍ତିତା ପ୍ରତି ।”
ଏଥର ସେ ଆମନ୍ତ୍ରିତ ଅତିଥିମାନେ ନିଜ ନିଜର ଭୁଲ୍ ବୁଝିପାରି ଅତ୍ୟନ୍ତ ଲଜ୍ଜିତ ହେଲେ । ତାପରେ ସେମାନଙ୍କର ଏତାଦୃଶ ଆଚରଣ ପାଇଁ ସେମାନେ ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା ମାଗିନେଲେ । ଆଉ ଯେପରି ଭବିଷ୍ୟତରେ ସେମାନେ ଜୀବନରେ ଏଭଳି ଭୁଲ୍ କେବେ ବି କରିବେ ନାହିଁ ବୋଲି ଶପଥ ମଧ୍ୟ ନେଇଗଲେ ।
ଏବେ ୱାଶିଂଟନ୍ ସେ ସଦସ୍ୟମାନଙ୍କୁ ବୁଝାଇ କହିଲେ “ଜୀବନର ପ୍ରତ୍ୟେକ କ୍ଷଣ ଅମୂଲ୍ୟ । ଏହି କାରଣରୁ ପ୍ରତ୍ୟେକ କାର୍ଯ୍ୟ ଠିକ୍ ସମୟରେ ନିର୍ବାହ କରିବା ଉଚିତ୍ । ଏହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ । ଉଚିତ ସମୟରେ ଉଚିତ କାର୍ଯ୍ୟ କରା ନଗଲେ କାଳ ସେହି କାର୍ଯ୍ୟର ନିର୍ଯ୍ୟାସକୁ ଗ୍ରାସ କରିଥାଏ । ଯେଉଁ ବ୍ୟକ୍ତି ସମୟର ଉପଯୁକ୍ତ ମୂଲ୍ୟ ବୁଝି ପ୍ରତିଟି କ୍ଷଣର ସଦୁପଯୋଗ କରିଥାନ୍ତି ସେମାନେ ସାଧାରଣରୁ ଅସାଧାରଣ ଚରିତ୍ର ଭାବରେ ଗଣାଯାଆନ୍ତି । ନଦୀର ସ୍ରୋତ ଯେପରି ବହିଯାଏ ମାତ୍ର ପଛକୁ ଫେରିନଥାଏ, ଠିକ୍ ସେହିଭଳି ଦିନ ଓ ରାତି ପ୍ରାଣୀଙ୍କର ଆୟୁକୁ ଘେନି ଯାଉଛନ୍ତି । ଏହାକୁ ହୃଦଙ୍ଗମ କରି ଯେଉଁମାନେ ସମୟର ସଦୁପଯୋଗ କରିଥାନ୍ତି, ସେମାନେ ଧରାବକ୍ଷରେ କାଳକାଳକୁ ସ୍ମରଣୀୟ ହୋଇ ରହିଯାଆନ୍ତି ।”