ସୀତାପୁର ଗ୍ରାମରେ ଜଣେ ହରି-କଥା ବାଚକ ଥିଲେ । ତାଙ୍କ ନାମ କୃଷ୍ଣକାନ୍ତ ଥିଲା । ତାଙ୍କ ସହିତ ସଙ୍ଗତ ଦେବା ପାଇଁ ତିନିଜଣ ପାଶ୍ୱର୍ଗାୟକ ଓ ବାଦକ ମଧ୍ୟ ଥିଲେ । ସେମାନେ ହେଲେ ଶ୍ରୀହରି, ଗଣେଶ ଓ ଚନ୍ଦ୍ର । ସେମାନଙ୍କ ଗାୟନ ଓ ବାଦନ ଯୋଗୁଁ କୃଷ୍ଣକାନ୍ତଙ୍କର କଥା ସବୁ ଅତ୍ୟନ୍ତ ସରସ ହୋଇ ଉଠେ । ଫଳରେ ଆଖପାଖ ଗ୍ରାମମାନଙ୍କରେ ସେ ଖୁବ୍ ଅଳ୍ପ ସମୟ ମଧ୍ୟରେ ଲୋକପ୍ରିୟ ହୋଇଗଲେ । ହରିକଥା ଥରେ ଶୁଣାଇବା ପାଇଁ କୃଷ୍ଣକାନ୍ତ ଶହେ ଷୋଳ ଟଙ୍କା ନିଅନ୍ତି । ଅଧିକନ୍ତୁ ଶ୍ରୋତାମାନେ ଖୁସି ହୋଇଗଲେ କିଛି କିଛି ଅଧିକା ପଇସା ବି ଦିଅନ୍ତି । ଶେଷରେ ଠାକୁରଙ୍କ ଆରତୀ ଚଳିବା ପରେ ଆରତୀ ଥାଳୀରେ ମଧ୍ୟ କିଛି କିଛି ପଇସା ଶ୍ରୋତାମାନେ ଦେଇଥା’ନ୍ତି । ସେସବୁ କୃଷ୍ଣକାନ୍ତ ନେଇଯା’ନ୍ତି । ଶେଷରେ ଏ ତିନିଜଣଙ୍କୁ ଅଳ୍ପ କିଛି ପଇସା ଦେଇ ସେ ବିଦା କରି ଦିଅନ୍ତି ।
ଥରେ କୃଷ୍ଣକାନ୍ତ ଅନ୍ୟ କୌଣସି ଗ୍ରାମକୁ ଯାଇଥା’ନ୍ତି । ଠିକ୍ ସେତିକିବେଳେ ଏ ତିନି ପାଶ୍ୱର୍ଗାୟକ ଯାଇ ତାଙ୍କ ଘରେ ପହଁଚି ତାଙ୍କ ସ୍ତ୍ରୀ ପାର୍ବତୀଙ୍କୁ କହିଲେ, “ମା’ ଟିକିଏ ବାଚକଙ୍କୁ କହିବେ ସମସ୍ତେ ତ ତାଙ୍କର ପ୍ରଶଂସା କରୁଛନ୍ତି । ତେବେ ଆମର କ’ଣ ସେଥିରେ କିଛି ଭାଗ ନାହିଁ? ପଇସା ପତ୍ର ଆମକୁ ସେ ବହୁତ କମ୍ ଦେଉଛନ୍ତି । ଦୟାକରି ତାଙ୍କୁ କହିବେ ଆଉ କିଛି ବେଶି ଦେବେ ।”
ପାର୍ବତୀ କହିଲେ, “ଆପଣମାନେ ତ ଆଜି ଏକଥା କହୁଛନ୍ତି, ହେଲେ ମୁଁ ତ ଆରମ୍ଭରୁ ହିଁ ଜାଣିଥିଲି ଯେ ସେ ଆପଣଙ୍କ ସହିତ କିପରି ବ୍ୟବହାର କରିଛନ୍ତି!”
“ମା’ ବର୍ଷ ବର୍ଷ ଧରି ଆମେ ତାଙ୍କର ଓ ସଙ୍ଗୀତର ସେବା କରିଛୁ । ଏବେ ଏ ବୟସରେ ଏ କାମ ଛାଡି ଆଉ କିଛି ଚାକିରୀ ବା ଶାରୀରିକ ଶ୍ରମ କରିବୁ ତାହା ମଧ୍ୟ ଆଉ ସମ୍ଭବ ନୁହେଁ ।” ଏହିଭଳି ଭାବେ ସେ ତିନିଜଣ ଯାକ ପାର୍ବତୀଙ୍କୁ ବୁଝାଇବାକୁ ଚେଷ୍ଟା କଲେ ।
କିଛି ସମୟ ଭାବିବା ପରେ ପାର୍ବତୀ କହିଲେ, “ଠିକ୍ ଅଛି, ସୁବିଧା ଦେଖି ମୁଁ ଆପଣମାନଙ୍କ କଥା ତାଙ୍କୁ କହିବି ।”
ସେହିଦିନ ସଂଧ୍ୟାବେଳେ କୃଷ୍ଣକାନ୍ତ ଘରକୁ ଫେରିବା ପରେ କଥାବାର୍ତ୍ତା କରୁ କରୁ କୃଷ୍ଣକାନ୍ତଙ୍କୁ ପାର୍ବତୀ କହିଲେ, “ତୁମକୁ ହରିକଥାରେ ଯାହା କିଛି ବି ଧନ ମିଳେ ସେଥିରୁ ତୁମେ ପାଶ୍ୱର୍ଗାୟକଙ୍କୁ ସେମାନଙ୍କ ନ୍ୟାୟପୂର୍ଣ୍ଣ ଅଂଶ ଦିଅନାହିଁ କାହିଁକି?”
ସ୍ତ୍ରୀକଥା ଶୁଣି କୃଷ୍ଣକାନ୍ତ ଗମ୍ଭୀର ହୋଇ କହିଲେ, “ଏସବୁ ବିଷୟରେ ତୁମର ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଏ ବିଷୟରେ ଆଉ କେବେ କୌଣସି ପ୍ରଶ୍ନ ପଚାରିବ ନାହିଁ ।”
କିଛିଦିନ ବିତିଗଲା । କୃଷ୍ଣକାନ୍ତ ଗୋଟିଏ ଯୋଗ୍ୟ ଯୁବକ ଠିକ୍ କରି ସେ ତାଙ୍କ କନ୍ୟାର ବିବାହ ତା’ସହିତ ଦେଲେ । କିନ୍ତୁ ଏ ତିନିଜଣଙ୍କୁ ଆଗପରିହିଁ ବ୍ୟବହାର କରୁଥା’ନ୍ତି । ବହୁତ ଦିନ ଅପେକ୍ଷା କରିବା ପରେ ସେମାନେ ଆଉ ବଜାଇବାକୁ ବା ଗାଇବାକୁ ଆସିଲେ ନାହିଁ ।