ଦିନେ ଏହାର କାରଣ ଜାଣିବା ପାଇଁ କୃଷ୍ଣକାନ୍ତ ଶ୍ରୀହରିର ଘରକୁ ଗଲେ । ହଠାତ୍ ତାଙ୍କୁ ଦେଖି ଶ୍ରୀହରିର ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ କହିଲେ, “ଆସନ୍ତୁ, ଆସନ୍ତୁ । ବହୁତ ଦିନ ପରେ! ଆପଣଙ୍କ ହରିକଥାରେ ମୁଗ୍ଧ ହୋଇ ମୋ ସ୍ୱାମୀ ଘର ଚିନ୍ତା ଛାଡିଦେଲେ । ଆମ ଝିଅ କେବେଠୁଁ ବିବାହଯୋଗ୍ୟା ହେଲାଣି । ଏବେ ଭଲ ଭଲ ପ୍ରସ୍ତାବ ଛାଡିଦେଲେ ପରେ ଆଉ ମିଳିବ ନାହିଁ । କିନ୍ତୁ ସେଥିଲାଗି ଧନ କାହିଁ?”
ତାଙ୍କ କଥା ସବୁ ଶୁଣିବା ପରେ ସେ ଗଣେଶର ଘରକୁ ଗଲେ । ସେଠାରେ ଦେଖିଲେ ତା’ ସ୍ତ୍ରୀ ଶଯ୍ୟାଶାୟୀ ହୋଇ ପଡିଛନ୍ତି । ତାଙ୍କର ପନ୍ଦର ବର୍ଷର ପୁଅ ଆସି କହିଲା, “ମୋ ମା’ର ଦେହ ଦିନକୁ ଦିନ ଖରାପ ହେଉଛି । ଚିକିତ୍ସା କରିବା ପାଇଁ ପଇସା ବା କାହିଁ? ବହୁତ କହିବାରୁ ଏବେ ବାପା ସାହୁକାର ଠାରୁ କିଛି ଟଙ୍କା ଧାର୍ ଆଣିବାକୁ ଯାଇଛନ୍ତି ।” ଏସବୁ ଶୁଣି କୃଷ୍ଣକାନ୍ତ ସେମାନଙ୍କୁ କିଛି ସାନ୍ତ୍ୱନା ବାକ୍ୟ କହି ସାରି ଚନ୍ଦ୍ରର ଘରକୁ ଗଲେ ।
ସେଠାରେ କୃଷ୍ଣକାନ୍ତଙ୍କୁ ଦେଖି ଚନ୍ଦ୍ରଙ୍କ ମନରେ ଟିକିଏ ରାଗ ହେଲା । ତେଣୁ ସେ ସେହି ରାଗତ ସ୍ୱରରେ କହିଲେ, “ଅଳ୍ପ ପଇସା ଯୋଗୁଁ ମୋର ସ୍ତ୍ରୀ ପିଲା ଟିକିଏ ପେଟପୁରା ଥରେ ବି ଖାଇପାରୁ ନାହାଁନ୍ତି । ପୁଣି ମୁଁ ମଧ୍ୟ ବୁଢା ହୋଇ ଗଲିଣି । ଏବେ ତ ଯିବା ଆସିବା କରିବା ମୋ ପକ୍ଷେ ମହା କଷ୍ଟ ।”
“ଓହୋ, ଏପରି କଥା?” ଏହା କହି କୃଷ୍ଣକାନ୍ତ ଟିକିଏ ହସିଲେ । କିନ୍ତୁ ଚନ୍ଦ୍ର ଆଉ ହସିଲା ନାହିଁ । ନିଜ ଘରକୁ ଲେଉଟି ଆସି କୃଷ୍ଣକାନ୍ତ ଗ୍ରାମର କେତେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଡାକି ଆଣିଲେ ଏବଂ ସେ ତିନି ପାଶ୍ୱର୍ଗାୟକଙ୍କୁ ମଧ୍ୟ ଡାକି ଆଣିଲେ । ତା’ପରେ ସେ କହିଲେ, “ତମେ ତିନିଜଣ ମୋତେ ବହୁତ ସାହାଯ୍ୟ କରିଛ । ଏବେ ତୁମର ଯଦି ମୋ ବିରୁଦ୍ଧରେ କିଛି ଅଭିଯୋଗ ଅଛି ନିର୍ଭୟ ହୋଇ କୁହ ମୁଁ ମଧ୍ୟ ମୋ କଥା କହିବି ।”
ଏହାପରେ ସେ ତିନିଜଣଯାକ ସମସ୍ୱରରେ କହିଲେ, “ଆପଣ ସ୍ୱାର୍ଥପର, ପୁଣି କଞ୍ଜୁସ୍ । ଆମର କାର୍ଯ୍ୟ ଓ ସେବା ଅନୁସାରେ ଆପଣ ଆମ୍ଭମାନଙ୍କୁ ଉପଯୁକ୍ତ ପଇସା ଦିଅନ୍ତି ନାହିଁ ଏବଂ ହରିକଥା ନାମରେ ବହୁତ ପଇସା ରୋଜଗାର କରନ୍ତି । ଆମ ଉପରେ ଲାଭ ଉଠାନ୍ତି । ଆମ କଥା କେବେ ମଧ୍ୟ ବିଚାର କରନ୍ତି ନାହିଁ । କେବଳ ସେତିକି ହିଁ ଆମର ଦୁଃଖ ।”
ଏବେ କୃଷ୍ଣକାନ୍ତ ତାଙ୍କ ଘର ଭିତରକୁ ଗଲେ ଓ ହାତରେ ତିନୋଟି ଥଳୀ ଧରି ତହିଁରୁ ବାହାରି ଆସିଲେ । ତିନୋଟି ଥଳୀ ସେମାନଙ୍କ ସାମନାରେ ରଖି ସେ କହିଲେ, “ପ୍ରକୃତରେ ଦେଖିଲେ ତୁମେମାନେ ମୋତେ ଭୁଲ୍ ବୁଝିଛ, ଅବଶ୍ୟ ସେଥିପାଇଁ ଯଥେଷ୍ଟ କାରଣ ଅଛି । କିନ୍ତୁ ତୁମମାନଙ୍କର ଭଲପାଇଁ ହିଁ ମୁଁ ତୁମର ଦେୟ ପଇସାରୁ ମୁଁ ଅଧା ତୁମକୁ ଦିଏ ଓ ବାକି ଅଧା ରଖିଥାଏ । ମୁଁ ଯେପରି ନିଜ ମନ ଉପରେ ସଂଯମ ରଖିଛି, ମାତ୍ର ତୁମର ସେସବୁ ନାହିଁ । ଏ ଧନ ସବୁ ତୁମକୁ ଆଗରୁ ଦେଇଥିଲେ ତୁମେ ଏସବୁ ବାଜେ ଖର୍ଚ୍ଚ କରିପକାଇଥା’ନ୍ତ । ବାର୍ଦ୍ଧକ୍ୟ ସମୟରେ ଧନବ୍ୟତୀତ ଆଉ ବେଶୀ କ’ଣ କାମ ଦିଅନ୍ତା? ଏସବୁ ତୁମର ବାର୍ଦ୍ଧକ୍ୟ ଅବସ୍ଥାରେ ସହାୟତା କରିବ ।”
ତା’ପରେ ସେ ତିନିଜଣଙ୍କ ହାତରେ ସେମାନଙ୍କ ଭାଗ ତିନିଟି ଥଳୀ ଦେଇ କୃଷ୍ଣକାନ୍ତ ପୁଣି କହିଲେ, “ମୁଁ ପ୍ରତ୍ୟେକକୁ ଏବେ ଦଶହଜାର ଲେଖା ତିରିଶ ହଜାର ଦେଉଛି । କେବଳ ଯେ ଚନ୍ଦ୍ରନାଥ ବୁଢା ହୋଇଛି ତାହା ନୁହେଁ ଆମେ ଚାରିଜଣ ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥାରେ ଆସି ଉପନୀତ । ଏବେ ଗାଁ ଗାଁ ବୁଲି ଆମେ ଆଉ ହରିକଥା ଶୁଣାଇ ପାରିବା ନାହିଁ । ଆମେ ସମସ୍ତେ ନିଜ ନିଜ ଘରେ ରହି ଶାନ୍ତିପୂର୍ଣ୍ଣ ଜୀବନ କଟାଇବା । ଏ ଧନ ଦ୍ୱାରା ତୁମମାନଙ୍କର ପରିବାରର କିଛି କିଛି ସମସ୍ୟା ସମାଧାନ ହେବ । ଭବିଷ୍ୟତରେ ମଧ୍ୟ ଯଦି କିଛି ସମସ୍ୟା ହୁଏ ତେବେ ମୋ ପାଖକୁ ନିର୍ଭୟରେ ଆସିବ; ମୁଁ ଯଥାଶକ୍ତି ବୁଝିବି ।”
ଏବେ ଶ୍ରୀହରି, ଗଣେଶ, ଓ ଚନ୍ଦ୍ର ତିନିହେଁ ଲଜ୍ଜାରେ ନିଜ ନିଜ ମୁହଁ ତଳକୁ କଲେ, କିନ୍ତୁ ଆନନ୍ଦିତ ମଧ୍ୟ ହେଲେ ଓ କୃଷ୍ଣକାନ୍ତଙ୍କର ଚରଣ ସ୍ପର୍ଶ କରି କହିଲେ, “ଆମର ବହୁତ ବଡ ଭୁଲ୍ ହୋଇଗଲା । ଆମକୁ କ୍ଷମା କରି ଦିଅନ୍ତୁ ।
କୃଷ୍ଣକାନ୍ତ କିଛି କହିବାକୁ ଯାଉଥିଲେ, ଠିକ୍ ସେତିକିବେଳେ ଗ୍ରାମର ଜଣେ ଭଦ୍ରଲୋକ କହିଲେ, “ଆରେ, ହରିକଥା ଜୀବନ ସାରା କୃଷ୍ଣକାନ୍ତ ଶୁଣାଇଛନ୍ତି, ଆଉ ତାକୁହିଁ ତମେ ଭୁଲ୍ ବୁଝିଲ, ପୁଣି କଞ୍ଜୁସ୍ ବୋଲି କହିଲ! ତୁମମାନଙ୍କର ଭଲ କରିବାକୁ ଯାଇ ତାଙ୍କର କିଛିଦିନ ପାଇଁ କଞ୍ଜୁସ୍ ବୋଲି ଯାହା ବଦନାମଟା ସାର ହେଲା ।”
ଏକଥା ଶୁଣି ଉପସ୍ଥିତ ସମସ୍ତେ ବହୁତ ହସିଲେ ।