ବେଳେବେଳେ ସେ ଭ୍ୟାନ୍ହୁଙ୍କୁସ୍ ପର୍ବତର ନିମ୍ନଅଂଶରେ ବଢିଥିବା ଆଖୁ ଆଉ ରୂପାଭଳି ଚକ୍ ଚକ୍ ଦେଖାଉଥିବା ଗଛ ଭିତର ଦେଇ ସେ ପର୍ବତ ଶୃଙ୍ଗରେ ଥିବା ତାର ବସିବାସ୍ଥାନକୁ ଯାଇ ଆଖିରେ ଦୂରବୀକ୍ଷଣଯନ୍ତ୍ର ଦେଇ ସାରା ସହର, ସମୁଦ୍ରରେ ଭାସୁଥିବା ଜାହାଜ ଓ ପୋତାଶ୍ରୟରେ ଥିବା ଜାହାଜ ଲକ୍ଷ୍ୟକରୁଥିଲା ଏବଂ ସେଠାରେ ଘଂଟାଘଂଟା ଧରି ବସି ତମାଖୁ ଟାଣୁଥିଲା । ସବୁଦିନଭଳି ଦିନେ ଭ୍ୟାନ୍ହୁଙ୍କୁସ୍ ଗୋଟିଏ ପାତ୍ରରେ କିଛି ତମାଖୁ ଆଉ ଗୋଟିଏ ମୁନକିନସ୍ପିରିଟ ବୋତଲ ଓ ପାଟିରେ ଗୋଟିଏ ହୁକାନଳୀ ପୂରାଇ ତା ବସିବା ସ୍ଥାନରେ ବସିଥିବା ବେଳେ ସେ ଦେଖିଲା ପର୍ବତ ତଳଆଡୁ ଜଣେ ଅଜଣା ଲୋକଟିଏ ଆସୁଛି । ଲୋକଟି ରେଶମୀ ପୋଷାକ ପିନ୍ଧି ଗୋଟାଏ ବଡ ହୁକାନଳୀ ହାତରେ ଧରି ଟିକିଏ ଛୋଟେଇ ଛୋଟେଇ ତା ଆଡକୁ ଅଗ୍ରସର ହେଉଛି ।
ସେ ଲୋକଟି ଆସି କହିଲା ‘ଗୁଡମର୍ଣ୍ଣିଂ ଭ୍ୟାନ୍ହୁଙ୍କୁସ୍’ । ବୃଦ୍ଧ ଜଳଦସ୍ୟୁକୁ ଏ ଭ୍ୟାନ୍ହୁଙ୍କୁସ୍ ବି ରୁକ୍ଷ ସ୍ୱରରେ ଉତ୍ତର ଦେଲା ‘ଗୁଡମର୍ଣ୍ଣିଂ’ । ସେ ପୁଣ କହିଲା ‘ମୁଁ ମଧ୍ୟ ବେଳେବେଳେ ତମାଖୁ ଟାଣିବାକୁ ଏଠାକୁ ଆସେ । ମାତ୍ର ଦୁର୍ଭାଗ୍ୟ ବଶତଃ ଆଜି ମୋର ତମାଖୁ ଶେଷ ହୋଇ ଯାଇଥିବାରୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ମୋ ହୁକାରେ କିଛି ତମାଖୁ ଦିଅନ୍ତୁ ।’
ଭ୍ୟାନ୍ହୁଙ୍କୁସ୍ ତା’ ତମାଖୁ ବ୍ୟାଗକୁ ସେ ଲୋକଙ୍କ ଆଡକୁ ଠେଲି ଦେଲା ଏବଂ ତାକୁ ତମାଖୁ ନେବାକୁ କହିବା ପୂର୍ବରୁ ସେ ଅଧପାଉଣ୍ଡେ ତମାଖୁ ତା ହୁକାନଳୀରେ ଭର୍ତ୍ତି କରି ଦେଲା ।
ତା’ପରେ ସେ ଲୋକଟି ଖୁବ୍ ନମ୍ର ଭାବରେ କହିଲା ‘ମହାନୁଭବ! ମୁଁ ଶୁଣିଛି ଆପଣ ଜଣେ ପ୍ରସିଦ୍ଧ ଧୂମପାୟୀ । ଉତ୍କୃଷ୍ଟ ତମାଖୁ ମିଳେ ବୋଲି ଏହାକୁ ମୁଁ ନେଲି ଏବଂ କଡାଗନ୍ଧ ଯୁକ୍ତ ତମାଖୁର ସ୍ୱାଦ ମୋତେ ଭାରି ଭଲ ଲାଗେ ।’
‘ଆଚ୍ଛା! ଆଚ୍ଛା!’ ଟିକିଏ ଶାନ୍ତ କଣ୍ଠରେ ଭ୍ୟାନ୍ହୁଙ୍କୁସ୍ ଏହା କହିଲା । ପୁଣି ସେ କହିଲା ‘ଏହା ଖୁବ୍ ଭଲ ତମାଖୁ ଏବଂ ମୁଁ ଯେକୌଣସି ଲୋକଠାରୁ ଅଧିକ ତମାଖୁ ପିଏ ।’
ଅଚିହ୍ନା ଲୋକଟି ଏକଥା ଶୁଣି କହିଲା ‘ମୁଁ ଗର୍ବ କରି କହିପାରେ ଯେ ମୁଁ ଯେଉଁ ଅଂଚଳରୁ ଆସିଛି ସେଠାରେ ଆମେସବୁ ଦିନ ରାତି ତମାଖୁ ହିଁ ଟାଣୁ । ଆପଣ ମୋ ସହିତ ବାଜି ମାରନ୍ତୁ । ମୁଁ ଏକାଥରକେ ଆପଣଙ୍କ ଅପେକ୍ଷା ଅଧିକ ତମାଖୁ ଟାଣି ଧୂଆଁ ପିଇ ପାରିବି ।’
ତାପରେ ଆଖିରେ ଉତ୍ସାହର ଝଲକ ଖେଳାଇ ଜଳଦସ୍ୟୁ ଭ୍ୟାନ୍ହୁଙ୍କୁସ୍ ପଚାରିଲା ‘ତେବେ ବାଜି ସବୁ କ’ଣ?’
ସଙ୍ଗେ ସଙ୍ଗେ ସେଇ କଳାରଙ୍ଗର ଅଚିହ୍ନା ଲୋକଟି ଖୁବ୍ ଖୁସି ହୋଇ କହିଲା ‘ବାଜି ହେଉଛି ଜୀବନ କିମ୍ବା ରାଜ୍ୟ’ । ତହୁଁ ସେ ଭ୍ୟାନ୍ହୁଙ୍କୁସ୍ କହିଲା ‘ଛାଡ ସେ ଜୀବନ ବାଜିକଥା କିଛି ନୁହେଁ । ଆଉ ରାଜ୍ୟ ସିନା ଯୁଦ୍ଧକ୍ଷେତ୍ରରେ ବାଜିରଖାଯାଏ ପୁଣି ରାଜ୍ୟପାଇଁ ଇତିହାସରେ କେତେ ସଂଘର୍ଷ ଘଟିଯାଇଛି । ମୋର ରାଜ୍ୟ ଦରକାର ନାହିଁ । ମୋ ଘର, ମୋର ସେଇ ଉଦ୍ୟାନ, ମୋ ହୁକା ଆଉ ତମାଖୁ ନେଇ ମୁଁ ଖୁବ୍ ଆନନ୍ଦରେ ଅଛି ।’
ତାପରେ ଭ୍ୟାନ୍ହୁଙ୍କୁସ୍ ତାର ବ୍ୟାଗର ଦୁଇ ମୁଣ୍ଡକୁ ଧରି ତା ଭିତରେ ଥିବା ତମାଖୁ ସବୁକୁ ଗୋଟିଏ ପଥର ଉପରେ ଅଜାଡିଦେଲା । ଲୋକେ କହନ୍ତି ସେଇ ବ୍ୟାଗ୍ରେ ଆଠ ପାଉଣ୍ଡ ରମ୍ ଭିଜା କଡା ତମାଖୁ ଥିଲା । ସେ ତମାଖୁ ଗଦାକୁ ଭ୍ୟାନ୍ହୁଙ୍କୁସ୍ ଦୁଇଭାଗ କରି ଦେଲା ।
ତାପରେ ଭ୍ୟାନ୍ହୁଙ୍କୁସ୍ କହିଲା ‘ଏଇ ଦୁଇ ଭାଗରୁ ତୁମେ ଗୋଟିଏ ଭାଗ ନିଅ ଏବଂ ମୁଁ ଗୋଟିଏ ଭାଗ ନେଉଛି ।’