ନିଜ ଭାଗରୁ ନେଇ ନେଇ ସେ ଲୋକଟି କହିଲା ‘ତୁମେ ଖୁବ୍ ଉଦାର ଆଉ ଭଲ ମଧ୍ୟ । ତେଣୁ ତୁମପ୍ରତି ମୋର ଅତ୍ୟନ୍ତ ଶ୍ରଦ୍ଧା ଜାତ ହେଉଛି ।
ଜଳଦସ୍ୟୁ ଟିକିଏ ରୁକ୍ଷ ଭାବରେ କହିଲା ‘ଅନେକ ଲୋକ ପ୍ରଥମ ସାକ୍ଷାତରେ ମୋତେ ଭଲ ପାଉଥାନ୍ତି ।’
ଆର ଲୋକଟି କହିଲା ‘ମୋତେ ମଧ୍ୟ ସମସ୍ତେ ଭଲ ପାଆନ୍ତି । ମୁଁ ମଧ୍ୟ ଖୁବ୍ ଲୋକପ୍ରିୟ ।’
ଭ୍ୟାନ୍ହୁଙ୍କୁସ୍ କହିଲା ‘ତମେ କିଏ? ତୁମର ପରିଚୟ କ’ଣ?’
ଲୋକଟି କହିଲା ‘ମୋ ପରିଚୟ ଠିକ୍ ସମୟରେ ଜାଣିବ । ଯେଉଁମାନେ ମୋତେ ଚିହ୍ନି ନାହାଁନ୍ତି ସେମାନେ ମୋତେ ସବୁଠାରୁ ବେଶୀ ଭଲପାଆନ୍ତି ।
ମୁଁ ମଧ୍ୟ ଖୁବ୍ ଲୋକପ୍ରିୟ ।’
ଏଇ ଡଚ୍ମ୍ୟାନ ତାର ଅଭିଜ୍ଞତା ବର୍ଣ୍ଣନା କରି କହିଲା ‘ଜଳଦସ୍ୟୁଙ୍କ ଜାହାଜ ଜଲିରୋଗରକୁ ଦେଖିବା ପୂର୍ବରୁ ମୁଁ ଜଳଦସ୍ୟୁ ମାନଙ୍କ ସହିତ ଥିଲି । ସେମାନେ ମୋତେ ସେତେ ଭଲ ପାଉନଥିଲେ । ସେ ସମୟ ଜଲିରୋଗର ସମସ୍ତ ନାବିକ ଜାହାଜର ତକ୍ତାଉପରେ ଆମକୁ ନିରୀକ୍ଷଣ କରିବାକୁ ଲାଗିଲେ । ମୁଁ ଏବଂ ‘ଲାଜବ’ ଆମେ ଦୁହେଁ ଭାରତୀୟ ଜାହାଜକୁ ଘେରାଉ କରିଥିଲୁ । ସେହି ଜାହାଜଟି ଥିଲା ଜଣେ ଭାରତୀୟ ରାଜାଙ୍କର । ସେଇ ଜାହାଜରେ ତାଙ୍କ ପାଖରେ ଅନେକ ପର୍ତୁଗୀଜ ସୁନା ଓ ହୀରା ଥିଲା । ତାପରେ ମୁଁ ମଧ୍ୟ ମାଡାଗାସ୍କାର ଦ୍ୱୀପରେ ରାଜା ପ୍ଲାଟୋନଙ୍କ ସାଙ୍ଗରେ ଥିଲି ଯେତେବେଳେ ରାଜା ପ୍ଲାଟୋନ ରାଜକୁମାରୀ ନେଲ୍ବ୍ରାଉନଙ୍କ ପାଇଁ ଡିକ୍ସହ ଯୁଦ୍ଧ କରିଥିଲେ । ଆମେ ଯେତେବେଳେ ଯୁଦ୍ଧରେ ଡିକ୍ଙ୍କୁ ପରାଜିତ କରି ତାଙ୍କ ପାରିଷଦ ବର୍ଗଙ୍କୁ ବନ୍ଦୀ କରିବା ସହିତ ସେମାନଙ୍କୁ ଜଳନ୍ତା କୋଇଲା ଉପରେ ଠିଆ କରାଇଲୁ । ସେମାନେ ସେଠାରେ ପୋଡି ହୋଇଗଲେ ।
ସେଂଟମ୍ୟାରିସ୍ ଦ୍ୱୀପରେ ଆମ ସମସ୍ତଙ୍କର ଗୋଟିଏ ଗୋଟିଏ ରାଜ ପ୍ରସାଦ ଓ ରାଣୀ ଅନ୍ତଃପୁର ଥିଲା । ସେତେବେଳେ ମୁଁ ମଧ୍ୟ ରବର୍ଟଙ୍କ ସାଙ୍ଗରେ ଥିଲି ଯେତେବେଳେ ସେ କେପ୍ଟାଉନ୍ ସେନା ଛାଉଣୀରେ ପୂଜାର୍ଚ୍ଚନା କରୁଥିବା ପୁରୋହିତଙ୍କୁ ପୂଜାର୍ଚ୍ଚନା କଲେ ମାରିଦେବାକୁ ଧମକ ଦେଉଥିଲେ । ମାତ୍ର ରବର୍ଟ ତାର କିଛି ବି କରିପାରିଲେ ନାହିଁ କାରଣ ସେ ପୁରୋହିତ ଜଣକ ଅତ୍ୟନ୍ତ ଧାର୍ମିକ ଥିଲେ । ତୁମେ ତ ଜାଣିଥିବ କେନିଆ ଉପସାଗର କୂଳରେ ଚାନସେଲର୍ ଓଗଲ ତାଙ୍କର ଅସ୍ଥିକୁ ଟାଙ୍ଗିଛନ୍ତି । ଆଭେରୀ ଯେତେବେଳେ ମୋଗଲ କନ୍ୟା ଓ ମୁରୁକୁ ଅଲମରୁସି ସ୍ତ୍ରୀ ଲୋକମାନଙ୍କୁ ବନ୍ଦୀ କଲେ ସେତେବେଳେ ମୁଁ ମଧ୍ୟ ତାଙ୍କ ସହିତ ଥିଲି ।’
ତାପରେ ସେ ଭ୍ୟାନ୍ହୁଙ୍କୁସ୍ର ସ୍ୱର କ୍ରମଶଃ କମି ଆସିଲା ଓ ସେ ଲୋକଟିର କାନରେ କ’ଣ ସବୁ ଫୁସ୍ଫୁସ୍ କରି କହିଲା ଫଳରେ ସେ ଖାଲି ଭୟରେ ଥରିଉଠିଲା ଏବଂ ସେ ହାତ ଦେଇ କାନ ବନ୍ଦ କରିଦେଲା ।
କିଛି ସମୟ କଥା ବାର୍ତ୍ତାଳାପ ପରେ ଭ୍ୟାନ୍ହୁଙ୍କୁସ୍ ଜୋର୍ରେ ହସି ଉଠିଲା ଓ ଖୁବ୍ ଗମ୍ଭୀର ଓ ଭୟଙ୍କର ସ୍ୱରରେ ଜଳଦସ୍ୟୁଙ୍କ ସଙ୍ଗୀତଟି ଗାଇ ଉଠିଲା –
ପତାକାମାନ ଉଡାଇ ଜଲିରୋଗର ଚାଲଇ
ଭାସିଭାସି ଯାଏ ସେତ ମ୍ୟାରି ଦ୍ୱୀପରେ
ଆନନ୍ଦ ଉଲ୍ଲାସ ମନେ କୋଠରି ମଧ୍ୟେ ଯତନେ
ଅପେକ୍ଷା କରନ୍ତି ସିଉ ମୋତେ ସେଠାରେ
ଟାଣିଦେଇ ଅଝାଲରଶି
ଆନନ୍ଦେ ଖରଚ କରୁ ସୁବର୍ଣ୍ଣରାଶି । ୧ ।
ଝୁଣା ଗୋଗୁଳ ସୁବାସେ ସେ ଦ୍ୱୀପେ ମନ ହରଷେ
ପାନ ପାତ୍ର ଛିଦ୍ର କରି ମଦିରାପାନ
ବସି ଅଗ୍ନି ସନ୍ନିଧାନେ ଶୁକରମାଂସ ରନ୍ଧନେ
ତା ସହିତ ପାନପତ୍ର ହୋଇଛି ପୂର୍ଣ୍ଣ
ପାନକରି ସେହି ମନ୍ଦିର
ଆନନ୍ଦେ ପ୍ରମତ ହୋଇ ହେଲୁ ଅଧୀର । ୨ ।
ତାପରେ କେବଳ ନୀରବତା ବିରାଜମାନ କଲା । ବେଳେ ବେଳେ ସେ ଦୁଇଜଣ ଧୂମପାୟୀଙ୍କ ଫୁକାର ଶବ୍ଦ ସେ ନିରବତାକୁ ଭଗ୍ନ କରୁଥିଲା । ଲମ୍ବା ଲମ୍ବା ଲାଞ୍ଜ ଥିବା ମଧୁରକଣ୍ଠୀ ପକ୍ଷୀ ରୂପାଲୀ ଗଛର ମଖମଲି କଳିକା ଉପରେ ଡେଣା ହଲାଇ ଉଡିବାକୁ ଲାଗିଲେ । ରୋବନ ଦ୍ୱୀପର ଆଶ୍ରୟ ସ୍ଥଳରୁ ମାଛଧରା ନୌକାଗୁଡିକ ମାଛ ଧରିବାକୁ ଗଲେ । ସେହି ବାଟଦେଇ ଜଣେ ଭାରତୀୟ ପାଲ ଉଡାଇ ପୋତ ନେଇ ଗଲା ମାତ୍ର ଧୂମପାୟୀ ଦୁଇଜଣ କାହାକୁ କିଛି ନକହି ଧୂମପାନ ସେମିତି ଧୂମପାନ କରୁଥିଲେ । ଫସ୍ଫସ୍ କରି ଧୂଆଁ ଛାଡି ମଦପିପାରୁ ଢୋକେ ଢୋକେ ମଦ ପିଉଥିଲେ । ପର୍ବତ ଆରପାଖରେ ସୂର୍ଯ୍ୟଅସ୍ତ ଯିବାପରେ ସିଂହମୁଖୀ ପର୍ବତର ଛାଇ ସମୁଦ୍ରଜଳରେ ପ୍ରତିବିମ୍ବିତ ହେଲା ଓ ଗାଈଆଳମାନେ ଗୋରୁମାନଙ୍କୁ ଅଡେଇ ଘରଆଡକୁ ଫେରିଲେ । ଧୂମପାୟୀ ଦୁଇଜଣ କେହି କାହାକୁ କିଛି ନକହି ନୀରବରେ ବସିଥିଲେ ।
ଟାଇଗରବର୍ଜ ପର୍ବତର ଅପର ପାଶ୍ୱର୍ରେ ଚନ୍ଦ୍ର ଉଦୟ ହୋଇ କ୍ରମଶ ସେ ଆକାଶର ଉପରକୁ ଉଠିବାକୁ ଲାଗିଲା । ଉପସାଗର ତରଙ୍ଗମାଳା ରୂପାଭଳି ଚକ୍ ଚକ୍ କରିବାକୁ ଲାଗିଲା ଓ କେପ୍ଟାଉନ୍ର କୃଷ୍ଣସବୁଜ ଉଦ୍ୟାନ ବେଷ୍ଟିତ ପ୍ରାସାଦମାଳାର ପ୍ରତିବିମ୍ବ ସମୁଦ୍ର ବକ୍ଷରେ ଯେମିତି ଝଲସିବାକୁ ଲାଗିଲା ।
ତଥାପି ସେ ଧୂମପାୟୀ ଦୁଇଜଣଯାକ ନିରବ ଥାନ୍ତି । ଆକାଶ କ୍ରମଶ ନିର୍ମଳ ହୋଇ ଉଠିଲା ଏବଂ ପରେ ପରେ ଲାଲ ଗୋଲାପୀ ରଙ୍ଗ ଧାରଣ କଲା ଓ ପର୍ବତର ଶୃଙ୍ଗମାନ ପ୍ରଭାତର ଆଗମନରେ ଝଲସି ଉଠିଲା । କିନ୍ତୁ ସେମାନଙ୍କ ପାଟିରେ ତମାଖୁ ହୁକା ସେମିତି ଲାଗି ରହିଥିଲା । ସେମାନେ ଫସ୍ଫସ କରି ଧୂଆଁ ଛାଡୁଥାନ୍ତି ଏବଂ ଧୂଆଁର ଏକ କୁଣ୍ଡଳୀ ଉପରକୁ ଉଠି ବାଦଲ ଭଳି ଦେଖା ଯାଉଥିଲା । କ୍ରମଶଃ ଏହି ଧୂଆଁର ବାଦଲ ଉପସାଗରଠାରୁ ପର୍ବତ ଶୃଙ୍ଗ ପର୍ଯ୍ୟନ୍ତ ସମସ୍ତ ପାର୍ବତ୍ୟ ଅଂଚଳକୁ ଆଛାଦିତ କରିବାକୁ ଲାଗିଲା ଏବଂ ଏକ ବସ୍ତ୍ରଭଳି ଏହା ପର୍ବତ ଶୃଙ୍ଗଗୁଡିକୁ ଆବୃତ କରି ଦେଲା । ଆରବିଆନ ନାଇଟ୍ ଗପର କେଉଟଟି ବୋତଲ ମୁହଁ ଖୋଲିଲା ଭଳି ଏହି ଧୂଆଁ ଆହୁରି ଉପରକୁ ଉଠି ପର୍ବତ ଉପରେ ଧୂଆଁର ଏକ ପିରାମିଡ୍ ସୃଷ୍ଟିକଲା । ଏହି ଧୂଆଁର ପବନରେ ଏପଟ ସେପଟ ହୋଇ ଦୋହଲିବାକୁ ଲାଗିଲା । ଏହା କ୍ରମଶଃ ଖଣ୍ଡ ଖଣ୍ଡ ହୋଇ ଲମ୍ବ ଭାବରେ ଭାସିବାକୁ ଲାଗିଲା । ହଠାତ୍ ଦକ୍ଷିଣପୂର୍ବ ଦିଗରୁ ଏମିତି ତୋଫାନ ବହିଲା ଯେ ତା ଆଗରୁ କେବେ ଏମିତି ତୋଫାନ ବହିନଥିଲା । ଏପରିକି ଭ୍ୟାଡରିବିକ୍ ସାଲଧାନାରେ ପ୍ରଥମେ ପାଦ ଦେବାପୂର୍ବରୁ ମଧ୍ୟ ଏପରି ତୋଫାନ ବହିନଥିଲା । ତଥାପି ମଧ୍ୟ ସେ ଦୁଇଜଣ ଯାକ ଧୂଆଁ ପିଇଚାଲିଥିଲେ ଏବଂ ଧୂଆଁର ବାଦଲର ଆକାର ବଢିବାକୁ ଲାଗୁଥିଲା ।