ଭ୍ୟାନ୍ହୁଙ୍କୁସ୍ର ନିଆଁପରି ନୀଳଲୋହିତ ମୁଖମଣ୍ଡଳରେ କିଛି ପରିବର୍ତ୍ତନ ଘଟୁନଥିଲା । ମାତ୍ର ସେ ଯେତେବେଳେ ମୁହଁରୁ ହୁକା କାଢି ସେଥିରେ ତମାଖୁ ଭର୍ତ୍ତି କରୁଥିଲା ସେତେବେଳେ ତାର ନାକ ନୀଳଅଗ୍ନିଶିଖା ପରି ଝଲସି ଉଠୁଥିଲା । ଆରଲୋକଟି ଖୁବ୍ କଷ୍ଟରେ ଧୂଆଁ ଟାଣୁଥିଲା ଏବଂ ତାର ଆଖି ନିଶାରେ ଖାଲି ଜୁଳୁଜୁଳୁ ହେଉଥିଲା ।
ପ୍ରଚଣ୍ଡ ବେଗରେ ପବନ ବହି ଧୂଆଁର ବାଦଲ ଖଣ୍ଡକୁ ବିପର୍ଯ୍ୟସ୍ତ କରିଦେଲା ଓ ଏହା ପର୍ବତ ଦେହରେ ବାଡେଇ ହୋଇ ଖଣ୍ଡଖଣ୍ଡ ହୋଇ ସହର ଉପରେ ଅଜାଡିହୋଇ ପଡିଲା । ଏହି କାରଣରୁ ସେ ସହରର ଅଧିବାସୀମାନେ କାଶିକାଶି ଶ୍ୱାସରୁଦ୍ଧ ହୋଇଗଲେ ଓ ଘରେ କବାଟ ବନ୍ଦକରି ବ୍ରାଣ୍ଡି ପିଇଲେ । ଆଗରୁ କେବେ ଏପରି ପବନ ବହି ନଥିବା କଥା ଲୋକମାନେ ପରସ୍ପର ମଧ୍ୟରେ କୁହାକୁହି ହେଲେ ।
ଭ୍ୟାନ୍ହୁଙ୍କୁସ୍ ଓ ସେ ଆଗନ୍ତୁକ ଲୋକଟି ଦିନ ପରେ ଦିନ ଧୂଆଁ ପିଇ ଚାଲିଲେ ଏବଂ ପଥର ଉପରେ ଗଦା ହୋଇଥିବା ତମାଖୁଗଦା ଆସ୍ତେ ଆସ୍ତେ ସରିଆସିବା ସହିତ ଧୂଆଁର ବାଦଲ ଆହୁରି ବଢିବାକୁ ଲାଗିଲା । କ୍ରମଶଃ ଭ୍ୟାନ୍ହୁଙ୍କୁସ୍ର ମୁଖମଣ୍ଡଳ ଲାଲ୍ ଦେଖା ଯାଉଥିବା ବେଳେ ସେଇ ଆଗନ୍ତୁକର ମୁଖମଣ୍ଡଳ କ୍ରମଶଃ ବିବର୍ଣ୍ଣ ଓ ନୀଳ ପଡିଯାଇଥିଲା । ତାର ଆଖିପତା ଥଣ୍ଡା ଝାଳରେ ଭିଜି ଯାଇଥିଲା ।
ଆଗନ୍ତୁକ ଜଣକ ଭୀଷଣ ଯନ୍ତ୍ରଣାରେ ଚିତ୍କାର କରି କହିଲା, ‘ଓଃ ଏ ତମାଖୁର କଡା ଗନ୍ଧ ପାଖରେ ନର୍କର ଗନ୍ଧ କିଛି ବି ନୁହଁ ।’
ଭ୍ୟାନ୍ହୁଙ୍କୁସ୍ ଉଲ୍ଲସିତ ହୋଇ ପଚାରିଲା ‘କ’ଣ, ଆଉଟିକିଏ କଡା ଦରକାର?
ପୁଣି ସେ ଯନ୍ତ୍ରଣାରେ ଚିତ୍କାର କରି ଉଠିଲା ଆଉ କହିଲା ଆର୍କଙ୍ଗେଲ ମାଇକେଲ ଯାହା କରିପାରି ନଥିଲା ତୁମେ ତା କରିପାରିଲ । ଓଃ… ମୁଁ ଶକ୍ତିହୀନ, ମୁଁ ତୁମଠାରୁ ପରାଜିତ ।’
ତା ହାତରୁ ହୁକା ଖସି ପଡିଲା ଓ ଭୟଙ୍କର ଯନ୍ତ୍ରଣାରେ ଚିତ୍କାର କରି ସେ ତଳେ ପଡିଗଲା ।
ଶୂନ୍ୟକୁ ତା ଟୋପିଟାକୁ ପକେଇ ଦେଇ ଜଳଦସ୍ୟୁ ଭ୍ୟାନ୍ହୁଙ୍କୁସ୍ ମହା ଆନନ୍ଦରେ ଚିତ୍କାର କରି ଗୀତ ପଦେ ଗାଇ ଉଠିଲା । ଆନନ୍ଦରେ କହିଲା ‘ମୁଁ ଜାଣିଛି’ ତା ପରେ ମଦ ପିପାଟି ତା ଓଠରେ ଲଗାଇ ଦେଲା । ସେ ଲୋକଟି ଶୂନ୍ୟକୁ ଫୋପାଡିଥିବା ଟୋପିଟି ଭ୍ୟାନ୍ହୁଙ୍କୁସ୍ର ଆଖିରେ ପଡିବା ମାତ୍ରେ ସେ ଲୋକଟି ଆଡକୁ ଚାହିଁଲା । ସେ ଦେଖିବାକୁ ପାଇଲା ତାର ଆଣ୍ଠୁ ଦୁଇଟି ହଲଚଲ ହେବା ସଙ୍ଗେ ସଙ୍ଗେ ତାର ରୋମ ଟାଙ୍କୁରି ଉଠୁଛି ।
ଖୁବ୍ ଦମ୍ଭରସହ ଭ୍ୟାନ୍ହୁଙ୍କୁସ୍ କହି ଉଠିଲା “ଏ ହେଉଛି ସେଇ ଡେଭିଲ ବୃଦ୍ଧ ନିକ୍ ଯେ କି ମୋ ଭଳି ଜଣେ ପାପୀ ।’
ଏହି ସବୁ ଦୃଶ୍ୟ ଗୋଟିଏ ଆଖୁବୁଦା ମୂଳେ ଆଶ୍ରୟ ନେଇଥିବା ଏକ ପିଲା ଦେଖୁଥିଲା । ଆଗନ୍ତୁକଟିର ଆଖିରୁ, ମୁଖ ମଣ୍ଡଳରୁ ଓ ପାଦରୁ ଜ୍ୟୋତି ଲିଭିଗଲା । ଏହି ଦୃଶ୍ୟ ଦେଖି ପିଲାଟି ମୂର୍ଚ୍ଛା ହୋଇଗଲା ।
ସେ ଆଗନ୍ତୁକ ଜଣକ କହିଲା ‘ମୁଁ ହେଉଛି ଡେଭିଲ୍ । ଆସ ଆସ ଭ୍ୟାନ୍ହୁଙ୍କୁସ୍ ।’
ହଠାତ୍ ସେଠାରେ ବଜ୍ରପାତ ହେବାର ଶୁଣାଗଲା ଏବଂ ସତେ ଯେପରି ପର୍ବତଟା ଭାଙ୍ଗି ଦୁଇଖଣ୍ଡ ହୋଇ ଯିବାର ଜଣା ପଡିଲା । ଆକାଶର ମେଘମାଳାକୁ ଅଗ୍ନିର ଏକ ପିରାମିଡରେ ପରିଣତ କରି ବିଜୁଳିର ଝଲକ ଝଲସି ଉଠିଲା ଏବଂ ଚାରିଆଡେ ଯେମିତି ବାରୁଦ ଜଳିଲା ଭଳି ଗନ୍ଧ ହେଲା ।
ଆସ୍ତେ ଆସ୍ତେ ଧୂଆଁର କୁହୁଡି ପରିଷ୍କାର ହୋଇଗଲା । ଧୂଆଁର କୁହୁଡି ପରିଷ୍କାର ହୋଇଯିବା ପରେ ସେଠାରେ ଏକ ଚିତ୍କାର ଶୁଣାଗଲା ଆଉ ଦେଖାଗଲା ସେମାନେ ବସି ଧୂଆଁ ପିଉଥିବା ସ୍ଥାନରେ ଘାସସବୁ ପୋଡି ଯାଇଛି ଏବଂ ସେଠାରେ ଗୋଟିଏ ଖାଲି ପିପା, ଦୁଇଟି ତମାଖୁ ହୁକା, ଗୋଟିଏ ଦୂରବୀକ୍ଷଣ କାଚ ଆଉ ଗୋଟିଏ ଆଉବ୍ସ ଲେଖା ଦୁଇଗଦା ତମାଖୁ ପଡିରହିଛି ।
ଏହି କାହାଣୀର ପ୍ରମାଣ ସ୍ୱରୂପ ଆଜି ସେଇ ପର୍ବତଟି ଡେଭିଲ୍ ପର୍ବତ ନାମରେ ନାମିତ । ଏବେ ଯେତେବେଳେ ଦକ୍ଷିଣ ପୂର୍ବ ପଟରୁ ତୋଫାନ ବହେ ସେତେବେଳେ ବୃଦ୍ଧ ଲୋକମାନେ କୁହାକୁହି ହୁଅନ୍ତି ଯେ ଆଜି ଡେଭିଲ୍ ତମାଖୁ ଟାଣୁଛି । ଯେତେବେଳେ କଳା ବାଦଲ ଖଣ୍ଡକୁ ବିପର୍ଯ୍ୟସ୍ତ କରି ଦକ୍ଷିଣ ଦିଗରୁ ତୋଫାନ ବହେ ସେତେବେଳେ ସେମାନେ କହନ୍ତି ଆଜି ଡେଭିଲ୍ ଓ ଭ୍ୟାନ୍ହୁଙ୍କୁସ୍ ଦୁଇଜଣଯାକ ତମାଖୁ ଟାଣୁଛନ୍ତି ।