ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ଗଣକ ବି ଆସି ଖଡୀପାଠ କଲା । ସେ କହିଲା – ଦି’ରାଣୀଙ୍କ ଚକ୍ରାନ୍ତରେ ରାଜକୁମାରୀମାନେ ପଡିଛନ୍ତି ମୃତ୍ୟୁ ଯନ୍ତ୍ରଣାରେ । ଖୁବ୍ ବିଳମ୍ବରେ ସେହି ଦୁଇ ରାଜ କୁମାରୀଙ୍କର ସନ୍ଧାନ ମିଳିବ । ଏହି କଥା ଶୁଣି ରାଜାଙ୍କ ମନରେ ପ୍ରବଳ ରାଗ ଆସିଲା । ତେଣୁ ସେ ତାଙ୍କ ରାଣୀ ଦୁହିଁଙ୍କୁ ତତ୍କ୍ଷଣାତ୍ ପଠାଇଦେଲେ କାରାଗାରକୁ । ଘୋଷଣା କଲେ ଯେ, ଯେଉଁ ଲୋକ ଖୁବ୍ ଶୀଘ୍ର ମୋ’ କୁମାରୀମାନଙ୍କ ସନ୍ଧାନ ଆଣିଦେବ, ତାକୁ ମୁଁ ମୋ ରାଜ୍ୟରୁ ଅଧେ ଦେବି ।

ଏହି କଥା ଶୁଣି ବହୁତ ଲୋକ ଦୁଇ ରାଜକୁମାରୀକୁ ଖୋଜିବାକୁ ବାହାରିଲେ । ରାଜା ବି ନିଜର କର୍ମଚାରୀ ମାନଙ୍କୁ ଖାଦ୍ୟ, ପାନୀୟ ଓ ରାସ୍ତା ଖର୍ଚ୍ଚ ଇତ୍ୟାଦି ଦେଇ ସେମାନଙ୍କୁ ପଠାଇଲେ ଦୁଇ ରାଜକୁମାରୀକୁ ଖୋଜିବାକୁ । ନିଜ ମନଦୁଃଖ ମନରେ ମାରି ଆଉ ଦଣ୍ଡେ ବି ରହି ପାରିଲେନି ସେ ରାଜା । ତେଣୁ ସେ ରାଜା ଖାଲି ଏକପ୍ରକାର ପାଗଳ ପରି ହେଉଥାନ୍ତି । ସମୟାନୁସାରେ ଦିନ ପରେ ଦିନ ଗଡି ଚାଲିଥାଏ ।

ତେଣେ ସେ ମଇନାକୁମାରୀ ଅସୁର କୂଅ ଭିତରେ ପଡିଲାବେଳୁ ଦି’ଘଡି ପର୍ଯ୍ୟନ୍ତ ମୂର୍ଚ୍ଚିତାବସ୍ଥାରେ ଥିଲା । ତା’ପରେ ରାତିର ଶୀତଳତା ଲାଗି କ୍ରମେ କ୍ରମେ ତାର ହୋସ୍ ଆସିବାରୁ ସେ ମଇନା ଖାଲି ଖୁବ୍ ବିକଳ ହୋଇ କାନ୍ଦିବାକୁ ଲାଗିଲା । ଏବେ କାନ୍ଦିବା ଛଡା ମଇନାର ଆଉ ଅନ୍ୟ ଉପାୟ ବା ଥିଲା କ’ଣ? ସୁତୁରାଂ ତାକୁ ସେଠାରେ ତା ଜୀବନ ଆଶା ଛାଡି ଦେବାକୁ ପଡିଲା ।

ଚାହୁଁ ଚାହୁଁ ଆସିଗଲା ନିର୍ଜନ ରାତି । ଶେଷରେ ମଇନା ଖୁବ୍ ଅସ୍ଥିର ହୋଇ ଉଠିଲା । ମଶାଗୁଡାକ ବି ମଇନାକୁ କାମୁଡି ତା ଦେହ ମୁଣ୍ଡ ସବୁ ଫୁଲାଇ ଦେଲେ । ସାପଗୁଡାକ ମଧ୍ୟ ମଇନାକୁ କୂଅ ଫାଙ୍କରୁ ଅନାଇ ଦେଖୁଥାନ୍ତି; ମାତ୍ର ମଇନାକୁ ସେମାନେ ଆଦୌ ଦଂଶନ କରୁ ନଥାନ୍ତି । ସେ କୂଅ ଭିତରଟା କିଟିକିଟିଆ ଅନ୍ଧାର ହେତୁ ମଇନା ସେମାନଙ୍କୁ ଆଦୌ ଦେଖିପାରୁ ନଥାଏ । ଦେଖି ପାରିଥିଲେ ଭୟରେ ଆହୁରି ସେ ଭାଙ୍ଗି ପଡିଥାନ୍ତା । କାରଣ କଥାରେ ପରା ଅଛି – ଆୟୁଷ ଥିବା ଲୋକ ମରଣ ସଙ୍ଗରେ ଖେଳ କସରତ୍ କରି ଶେଷରେ ବିଜୟ ହୁଏ ।

ମଇନା ଯେତେ ବିପଦ ଭିତରେ ପଡିଥିଲେ ମଧ୍ୟ ନିୟତି ତାକୁ କିନ୍ତୁ ଦେଖୁଥିଲା ଅମୃତ ଦୃଷ୍ଟିରେ । ତେଣୁ ସାପ, ବିଛା, କଙ୍କଡାବିଛା ଇତ୍ୟାଦି କାଳଦେବତାର ଅନୁଚରମାନେ ଭୁଲ୍ରେ ମଧ୍ୟ ସେହିପରି କାର୍ଯ୍ୟ କରୁନଥାନ୍ତି ।

ଡାକୁ ସର୍ଦ୍ଦାର ଓ ତା’ର ଅନୁଚରମାନେ ସେ ରାତିରେ ଗୋଟିଏ ବଡ ଧରଣର ଚୋରି କରି ଧନଦୌଲତ ସବୁ ବାଂଟିବାକୁ ଆସିଲେ । ନିରୋଳାରେ ବସି ଭାଗ ଲଗାଇବା ପାଇଁ ସୁବିଧା ଜାଗା ନ ମିଳିବାରୁ ଖୋଜି ଖୋଜି ସେମାନେ ଯାଇ ପହଁଚିଲେ ସେହି କୂଅ ପାଖରେ । ସେମାନେ ସବୁ ବସି ବଂଟାକୁଂଟା କରୁ କରୁ ମଇନାର କରୁଣ କାନ୍ଦଣା ସେମାନଙ୍କୁ ଶୁଣାଗଲା ।

ସେହି କାନ୍ଦଣାକୁ କାନଡେରି ଶୁଣିଲେ ସର୍ଦ୍ଦାର ଜଣକ । ତାପରେ ସେ କହିଲେ – ଦେଖ, ଏଠି ଗୋଟିଏ କିଏ କନ୍ଦାକଟା କରୁଛି । ଏକଥା ଶୁଣି ଦସ୍ୟୁମାନେ ଲାଗି ପଡିଲେ ଖୁବ୍ ସନ୍ଧାନ ନେବାରେ । ଜଣେ ଦସ୍ୟୁ କହିଲା – ଏହି କୂଅ ଭିତରୁ ହିଁ ଶୁଣା ଯାଉଛି । ତହୁଁ ସେ ଡାକୁ ସର୍ଦ୍ଦାର ତୁରନ୍ତ ଜଣକୁ କହିଲେ କୂଅ ଭିତରେ ପଶିକରି ଅନୁସନ୍ଧାନ କରିବାକୁ ।

ସର୍ଦ୍ଦାରଙ୍କ ଆଦେଶ ପାଇ ଜଣେ ଦସ୍ୟୁ ସେମାନଙ୍କ କପିକଳ ଫିତା ଓହଳାଇ ପଶିଲା କୂଅ ଭିତରେ । ପଚରା ପଚରି କରି ମଇନାଠାରୁ ସେ ଦସ୍ୟୁ ସମସ୍ତ ଖବର ବୁଝିଲା । ତା’ପରେ ଓହଳିଥିବା ଦଉଡିର ଗୋଟାଏ ମୁଣ୍ଡ ଧରାଇ ଦେଇ ସଙ୍ଗୀମାନଙ୍କୁ ଡାକିଲା ତାକୁ ସେଠାରୁ ଉଠାଇ ନେବାକୁ । ଅନ୍ୟ ଦସ୍ୟୁମାନେ କୂଅରୁ ପାଣି କାଢିଲାପରି ମଇନାକୁ ବି ଠିକ୍ ସେହିପରି ଉଠାଇ ଆଣିଲେ ଉପରକୁ, ତା’ପରେ ପୁଣି ଥରେ ଅରଠି ଦଉଡା ପକାଇବାରୁ ଦସ୍ୟୁଟା ମଧ୍ୟ ସେହି କୂଅରୁ ବାହାରି ଆସିଲା ତା କୌଶଳରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ