ଝିଅଟିକୁ ଦେଖି ସର୍ଦ୍ଦାରର ମନ ବି ଖୁବ୍ ଖୁସୀ ହୋଇଗଲା । ସେ ଆଉ ତାକୁ କିଛି ପଚରା ପଚରି ନ କରି ନେଇଗଲା ଆପଣା ଘରକୁ । ସେ ସର୍ଦ୍ଦାରକୁ ଭଗବାନ ପିଲାଝିଲା କିଛି ବି ଦେଇ ନ ଥିବାରୁ ସେ ଖୁବ୍ ମନ ଦୁଃଖରେ ଦିନ କଟାଉଥିଲା । ତା’ର ଘରଣୀ ମଧ୍ୟ ତା ଅପେକ୍ଷା ଥିଲା ଆହୁରି କଷ୍ଟରେ । ତେଣୁ ଏବେ ମଇନାକୁ ପାଇ ସେ ସର୍ଦ୍ଦାରର ମନଟା ଖୁବ୍ ଆନନ୍ଦ ହୋଇ ଉଠିଲା । ତେଣୁ ବହୁତ ହେପାଜତ କରି ସେ ସର୍ଦ୍ଦାର ଜଣକ ମଇନାକୁ ଲାଳନ ପାଳନ କଲେ ।
ତେଣେ ସେ ଛବି କୁମାରୀକୁ କପାଳୀ ମୁନି ନେଇ ଗୋଟିଏ ନିରୋଳା ଘରେ ରଖିଲା । ସେ କପାଳୀ ଛବିକୁ ଯେତେ ଭଲ ପଦାର୍ଥ ଆଣିଦେଲା, ଛବି ସେସବୁ କିଛି ଖାଇଲାନି କି ସେ କପାଳୀକୁ ଆଡ ଆଖିରେ ସୁଦ୍ଧା ଟିକେ ବି ଅନାଇଲାନି । ଛବି ଏଥର ତା ମନେ ମନେ ଜାଣି ପାରିଲା ଯେ, ମୋତେ ଏ ଆଣିଛି ବଳି ଦେବାକୁ । ସତକୁ ସତ କଥା ବି ଜଣା ପଡିଗଲା ଆପଣା ଛାଏଁ ଛାଏଁ ।
କିପରି?
ଛବି ତ ସବୁବେଳେ କାନ୍ଦିଲା । ସେ କିଛି ଖାଇଲାନି କି ପିଇଲାନି । କପାଳୀକି ଦେଖିଲେ ସେ ଛବି ରାଇ ରାଇ ଠାଇ ଠାଇ ହୋଇ ଉଠିଲା । ଏହିପରି ଅସୁବିଧା ଜନକ କଥା ହେବାରୁ ଶାସନ କରିବା ଉଦ୍ଧେଶ୍ୟରେ ସେ କପାଳୀ ଛବିକୁ ନେଇଗଲା ଆଉ ଗୋଟିଏ ଘରକୁ, ସେ ଘରେ ଖାଲି ଝୁଲୁଥାଏ ମାଳକୁ ମାଳ ମଣିଷ ମୁଣ୍ଡ । ଝିଅର ବି ପୁଅର ବି । ସବୁ ପ୍ରକାର ମୁଣ୍ଡ ଚାଳ, ବାଡ, କାନ୍ଥ, ଶେଣୀ ସବୁଆଡେ ଟଙ୍ଗା ହୋଇଥାଏ ।
କାଳୀ ଠାକୁରାଣୀଙ୍କ ପାଖେ ସେ କପାଳୀ ତା’ଜୀବନକାଳ ମଧ୍ୟରେ ଯେତେ ନର ଓ ନାରୀ ମାନଙ୍କୁ ବଳି ଦେଇଛି, ସେ ସମସ୍ତଙ୍କ ମୁଣ୍ଡ ଆଣି ସେ ଟାଙ୍ଗିଛି ଏହି ଘର ଭିତରେ । ଏବେ ତା’ର ସପ୍ତାଙ୍ଗ ସାଧନ ସିଦ୍ଧି ହେବାପାଇଁ ଆଉ ସାତୋଟି ମାତ୍ର କୁମାରୀକୁ ବଳି ଦେବାର କଥା । ତେଣୁ ସେ ପ୍ରଥମେ ଆଣିଛି ଏ ଛବି କୁମାରୀକୁ । ଆଉ ଛଅଟି କୁମାରୀ ପାଇଲେ ଯାଇ ସେ ସେମାନଙ୍କୁ ବଳି ପକାଇ ନିଜ ସିଦ୍ଧିଲାଭ କରିବ । ଏ କଥା ସେ ମୁଣ୍ଡମାଳାକୁ ପୂରାପୂରି ଜଣାଥାଏ ।
କପାଳୀ ସେହି ଘରେ ଛବିକୁ ପୁରାଇ ବାହାରୁ ଚାବି ପକାଇ ଦେବାରୁ ସେ ଛବି କାନ୍ଦି ଉଠିଲା ଖୁବ୍ ବିକଳ ହୋଇ । ତା’ର (ଛବିର) ଏପରି କାନ୍ଦଣା ଦେଖି ସେ ମୁଣ୍ଡଗୁଡାକ ଖାଲି ଠୋ’ ଠୋ’ କରି ହସି ଉଠିଲେ । ସେହି ମୁଣ୍ଡମାନଙ୍କ ହସ ଦେଖି ଛବି ମଧ୍ୟ ଆହୁରି ଛାନିଆ ହୋଇ ଉଠିଲା, ପୁଣି ନିଜ ଦମ୍ଭ ବାନ୍ଧି ସେ ଛବି ପଚାରିଲା – ତୁମେଏମିତି କାହିଁକି ହସିଲ?