ମୁଣ୍ଡମାଳ କହିଲେ – ତୋ କାନ୍ଦଣା ଦେଖି ।
ତହୁଁ ଛବି ପଚାରିଲା – ବିପଦରେ ପଡି ମୁଁ କାନ୍ଦିଲି । ଅଥଚ ତୁମେମାନେ ମୋ ପ୍ରତି ଆହାପଦ ନ କହି, ଏପରି ହସିବାର ମାନେ କ’ଣ?
ତାପରେ ସେହି ମୁଣ୍ଡମାନେ କହିଲେ – ଏହି କପାଳୀ ଆମମାନଙ୍କୁ ଆଣି ଏଭଳି ଦଣ୍ଡ ଦେଲାବେଳେ କାହିଁ କେହି ତ ଆମପାଇଁ ଟିକିଏ ବି ଆହା କରି ନାହାଁନ୍ତି, ତ ଆମେ ଏବେ କାହିଁକି କାହା ପ୍ରତି ଆହା କରିବୁ?
ଛବି ଏହା ଶୁଣି କହିଲା –
ସବୁ ହାତୀ ମୁଣ୍ଡେ ଗଜ ମୋତି ସବୁ –
ସାପମୁଣ୍ଡେ ନାହିଁ ମଣି
ସମସ୍ତେ ନୁହଁନ୍ତି ପର ଦୁଃଖେ ଦୁଃଖୀ
କି ପୁରୁଷ କି ରମଣୀ ।
ବହି ଯାଇଅଛି ବିଷ ବାତ୍ୟା ବୋଲି
ବହୁଥିବ କି କାଳକୁ?
ବଦଳିବ ନାହିଁ ପ୍ରକୃତି ଚିତ୍ର କି
ଲଭିଲେ ବିଧି ବଳକୁ?
ମୁଣ୍ଡମାଳ ଏହା ଶୁଣି କହିଲେ – ବାଳିକାଟିଏ ହେଲେ କ’ଣ ହେବ, ତୁ ଯାହା କହିଲୁ ସେ ସବୁ ସତ କଥା । ବେଳ ପଡିଲେ ନାଆ ଉପରେ ଘଡି, ପୁଣି ବେଳ ପଡିଲେ ଘଡି ଉପରେ ନାଆ ରହିଯାଏ । ସେ କଥା ପକାଇ ଆଉ ଲାଭ ତ କିଛି ନାହିଁ । ବର୍ତ୍ତମାନ ଆମେ ଯେବେ ତୋତେ ସାହାଯ୍ୟ କରିବୁ, ତେବେ ତୁ ଆମ ପାଇଁ କ’ଣ କରିବୁ କହ?
ତହୁଁ ଛବି ବି ପଚାରିଲା – ତୁମେ ମୋତେ କ’ଣ ସାହାଯ୍ୟ କରିବ କହ?
ସେହି ମୁଣ୍ଡମାଳମାନେ କହିଲେ – ଆମେ ତୋତେ ଏ ବନ୍ଦୀ ଘରୁ ମୁକାଳି ଦେବୁ ।
ଛବି କହିଲା – ତୁମେ ଯେବେ ମୋତେ ଏଠାରୁ ମୁକାଳିଦେବ, ତେବେ ମୁଁ ମଧ୍ୟ ତୁମମାନଙ୍କର ନିଶ୍ଚୟ କିଛି ନା କିଛି ଉପକାର କରିବି ।
ମୁଣ୍ଡମାଳ ମାନେ ପଚାରିଲେ – କ’ଣ କରିବୁ କହ?