ମୁଣ୍ଡମାଳ ମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଛବି କହିଲା – ତୁମେମାନେ ଯାହା କହିବ ।
ମୁଣ୍ଡମାଳମାନେ କହିଲେ – ନେଉଳି ସାଗର ବୋଲି ଦକ୍ଷିଣଜିଲ୍ଲାରେ ଅଛି ଗୋଟିଏ ହ୍ରଦ । ସେହି ହ୍ରଦ କୂଳେ ଅଛି ଗୋପା କାପତାର ବସା । ତା’ରି ବସାରେ ଖଣ୍ଡିଏ ପଥର ଅଛି – ସେହି ପଥରର ନାମ ଅମୃତ ମଣି । ସେହି ମଣି ଖଣ୍ଡିକ ଆଣି ତୁ ଯେବେ ଆମର ଏ କଟା ମୁଣ୍ଡ ମାନଙ୍କୁ ଛୁଆଁଇ ଦେବୁ, ତେବେ ଯାଇ ଆମେ ସମସ୍ତେ ପୁଣି ବଂଚିବୁ ।
ଛବି ସେହି ମୁଣ୍ଡମାଳ ମାନଙ୍କୁ ପଚାରିଲା – ନେଉଳି ସାଗରକୁ ମୁଁ ଯିବି କିପରି?
ମୁଣ୍ଡମାଳ ମାନେ କହିଲେ – ସେ ସବୁ ଉପାୟ ଆମେ ତୋତେ ବତାଇ ଦେବୁ । ତୋତେ ସାହାପକ୍ଷ ହୋଇ ତୋ ବିପଦବେଳେ ଆମେ ବି ତୋତେ ଭରସା ଦେବୁ । ତୋ’ ଆଗ ଗୋଡରେ ଯେପରି ମୋଟେ କଂଟା ନ ବାଜିବ, ସେଥିପାଇଁ ଆମେ ଆମ ପ୍ରାଣପଣେ ଚେଷ୍ଟା କରିବୁ ।
ଛବି କହିଲା – ତାହେଲେ ଠିକ୍ ଅଛି ମୁଁ ବି ତୁମ କଥାରେ ରାଜି ।
ମୁଣ୍ଡମାଳ ମାନେ କହିଲେ – ଦେଖ, ତୁ ଆମକୁ ଭରସା ଦେଇ ଏଠୁ ମୁକୁଳିଗଲା ପରେ ଯଦି ଇଚ୍ଛା କରୁ ଆମକୁ ଠକି ଏଠାରୁ ପଳାଇବାକୁ, ତେବେ ତୁ ଆଉ ମୋଟେ ଯାଇ ପାରିବୁନି । ଯେଉଁଠି ତୋ ମନରେ ଠକେଇ କଥା ସ୍ଥାନ ପାଇବ, ତେବେ ତୁ ସେଇଠି ହିଁ ପଥର ପାଲଟିଯିବୁ ।
ଛବି କହିଲା – ତୁମେ ମୋତେ ଯମା ଏଭଳି ଭୁଲ୍ ବୁଝନା । ଓଡିଆଣୀ ଝିଅ ମୁଁ, ମୋ କଥାରେ ତୁମେ ବିନ୍ଦୁଏ ହେଲେ ବି ଠକାମୀ ଆଦୌ ପାଇବନି । ମୁଁ ଯାହା କହିବି ତାହା ହିଁ କରିବି । ନ କରି ପାରିଲେ ଶେଷରେ ମରିବି ।
ଓଡିଆର କଥା ନଟଳେ କଦାପି
କହେ ଯାହା ତାହା କରେ
ନ କରି ପାରିଲେ କର୍ତ୍ତବ୍ୟ କ୍ଷେତ୍ରରେ
ଲାଗି ଲାଗି ଶେଷେ ମରେ ।
ମୁଣ୍ଡମାଳମାନେ ଛବିର ଏପରି କଥା ଶୁଣି କହିଲେ – ତାହେଲେ ଆମର ଆଉ କିଛି ବି ପରୁଓ୍ୟା ନାହିଁ । ଏଥର ତୁ ପ୍ରସ୍ତୁତ ହୋଇଯା । ଆମେ ଗୋଟେ ନିଃଶ୍ୱାସକେ ଘର ଖଣ୍ଡିକ ଉଡାଇ ଦେବୁ । ତୁ ଆଗରୁ ଚାଳଟା ଧରିଥା । ଯେତେ ଯାହା ହେଲେ ବି ତୁ ସେହି ଚାଳଟାକୁ କେବେବି ଛାଡି ଦେବୁନି । ଚାଳଟା ଉଡାଇ ନେବ ତୋତେ ଝୁମୁରୁଝାଇଁ ଗଛ ପାଖକୁ ।
ଛବି ପଚାରିଲା – ସେ ଝୁମୁରୁଝାଇଁ ଗଛଟି ଦେଖିବାକୁ କି ଭଳିଆ?