ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

                ଭାରି ବଢିଆ ସେ ଜାଗା । ଖଣ୍ଡ ମଣ୍ଡଳ ଛାଡି ବଣ ପର୍ବତ ଲାଗିଛି । ହ୍ରଦ ତୀରଟି ଦେଖିଲେ ପେଟ ଯେପରି ପୂରିଉଠୁଥାଏ । ଥଣ୍ଡା ପବନ ବହି ମନକୁ ଖାଲି ଶୀତଳ କରୁଥାଏ । ପ୍ରକାର ପ୍ରକାର ଜଳଜୀବ ଓ ଜଳଚର ଜନ୍ତୁମାନେ ସେଠାରେ ଦେଖା ଦେଉଥାନ୍ତି । ପ୍ରକାର ପ୍ରକାର ଚଢେଇମାନ ସେଠାକୁ ଆସୁଥାନ୍ତି ପୁଣି ଯାଉଥାନ୍ତି । ସେମାନେ ସବୁ ମନୋହର ରାବ ବି କରୁଥାନ୍ତି । କେତେବେଳେ ସେଠାକୁ ପାଣି ପିଇବାକୁ ଆସୁଥାନ୍ତି ମୃଗପଲ । ତ ପୁଣି କେତେବେଳେ ଆସୁଥାନ୍ତି ସମ୍ବରପଲ । ଲତା ବୃକ୍ଷ ଆଢୁଆଳରେ ଲୁଚି ଛବି ଏ ସମସ୍ତଙ୍କୁ ଦେଖେ । ତେଣୁ ବେଳେ ବେଳେ ତାକୁ ଖୁବ୍ ଭୟ ଆସେ । ତା’ପରେ ପୁଣି ସେ ସାହସ ବାନ୍ଧେ ଓ ଭାବେ…ମଣିଷ ତ ଜନ୍ମ ହୋଇଛି ମରିବାକୁ । ଯେତେବେଳେ ବି ହେଲେ ତାକୁ ତ ଦିନେ ନା ଦିନେ ମରିବାକୁ ହିଁ ହେବ । ତେବେ ଭୟ ଗୋଟେ କ’ଣ?

                ଛବି ଏସବୁ କଥା ଭାବୁଥାଏ ।  କିନ୍ତୁ ମନେ ମନେ ସେ ଖୋଜୁଥାଏ ସେହି କାପତା ବସାଟା । ଦିନସାରା ଗଲା, ରାତି ସାରା ବି ଗଲା । ହେଲେ କାପତା ବସାକୁ ସେ ସ୍ଥିର କରି ପାରିଲାନି । ଆରଦିନ ଖରାବେଳେ ସେ ଗାଧୋଇ ସାରିକରି ଫଳମୂଳ ଆଣିବାକୁ ଯାଇଛି, ଠିକ୍ ଏତିକିବେଳେ ସେ ଦେଖିଲା କଟାସଟାଏ ଆସି ଚଢୁଛି ଗୋଟାଏ ଗଛରେ । ତାକୁ ଦେଖି ସେ ବସାରେ ଥିବା ଚଢେଇ ଛୁଆ ଯୋଡିଏ କେବଳ ବିକଳ ହୋଇ କେଁ କାଁ ହେଉଛନ୍ତି । ତାଙ୍କ କେଁ କାଁ ଶୁଣି ସେ କାପତା କପୋତୀ ଯୋଡିଏ ଆସି କଟାସଟାକୁ ଯେତେ ଖୁମ୍ପା ଖୁମ୍ପି କଲେ ବି ସେ ଆଦୌ ମାନୁନି । ବରଂ ସେ ଚେଷ୍ଟା କରୁଛି କାପତା କପୋତୀଙ୍କୁ ମାରି ଖାଇବାକୁ । ଏପରି ଅବସ୍ଥାରେ ସେମାନଙ୍କୁ ଦେଖି ସମସ୍ତ କଥା ଠିକ୍ ଠିକ୍ କରି ବୁଝି ପାରିଲା ସେ ଛବି । ମୁଣ୍ଡମାଳ କହିଥିବା କାପତା କପୋତୀ ଯେ ଏହିଠାରେ ଅଛନ୍ତି ଏ କଥା ପରିଷ୍କାର ଭାବେ ଜାଣିପାରି ସେ ଛବି ଗୋଟାଏ ଟେକା ମାରିଲା କଟାସକୁ ।

                କଥାରେ ଅଛି – ଠିକ୍ ସମୟ ଆସିଲେ ଦୁବ ଘାସରେ ଛନ୍ଦି ହୋଇ ହାତୀ ବି ଅଟକି ରହେ । ଆଣ୍ଠିକ ପାଣିରେ ମଣିଷ ବି ବୁଡି ମରେ । ସେହି କଥାକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ଛବିର କପାଳ ଲେଉଟିବାକୁ ଓ କଟାସର ଆୟୁଷ ପୂରିବାକୁ । ଟେକାଟି ଲାଖ ହେଲା ଭଳି ଯାଇ ବାଜିଗଲା କଟାସର କାନମୁଣ୍ଡାରେ । ଖରାବେଳଟା ପଶୁଜୀବ, ପୁଣି ସେ କଟାସଟା  ଦି’ଦିନରୁ କିଛି ବି ଆହାର ପାଇ ନଥିଲା । କାନମୁଣ୍ଡାରେ ପଥର ଡେଣୁଆର ମାଡଟା ବାଜିଲା ମାତ୍ରେ ବୁଲି ଖସିପଡିଲା ତାହା ତଳକୁ । ବ୍ରହ୍ମ ସ୍ଥାନରେ ମାଡଟା ବାଜିଛି । ସେ ମାଡ ହେଲା ତା’ର କାଳ । ତେଣୁ ସେ ତଳେ ପଡି ଖାଲି ମ୍ୟାଉଁ ମ୍ୟାଉଁ ହୋଇ ମାଟି ଆମ୍ପୁଡି ପକାଇଲା । ବାଡେଇ ପିଟି ଛଟପଟ ହୋଇ ପ୍ରାଣଟା ଛାଡିଗଲା ତା’ର ।

                କାପତା ବଂଶର ଚିରଶତ୍ରୁ ବଣ କଟାସକୁ ଛବି କୁମାରୀ ମାରି ଦେବାରୁ ସେମାନେ ଖୁବ୍ ଖୁସୀ ହୋଇ ମନେ ମନେ ତାକୁ ଅଶେଷ କଲ୍ୟାଣ ବି କଲେ ।

                ଛବି ସେମାନଙ୍କ ସଙ୍ଗେ କ’ଣ କଥାବାର୍ତ୍ତା କରିବ, ଏବେ ସେ ଅମୃତ ମଣି ପାଇବ କିପରି ଏହି କଥା ଭାବି ଭାବି ଶେଷରେ ସେ କିଛି ବି ସ୍ଥିର କରିପାରିଲାନି । ଏହିପରି ସମୟରେ କାପତା-କପୋତୀ ଯୋଡିକ ଆସି ପୋଷା ଚଢେଇ ପରି ଛବିର କାନ୍ଧରେ ବସିଲେ ଏବଂ ନିଜ ଭାଷାରେ ଆରମ୍ଭ କରିଦେଲେ କଥାବାର୍ତ୍ତା କରିବାକୁ । ମାତ୍ର ଛବି ସେମାନଙ୍କ କଥାରୁ କିଛି ବି ବୁଝି ପାରିଲା ନାହିଁ । କେବଳ ସେ ନିଜ ମୁହଁ ଶୁଖାଇ କହିଲା – “ହେ ସତ୍ୟର ପକ୍ଷୀ! ଯଦି ତୁମର ଧର୍ମ ଓ ସତ୍ୟରେ ବିଶ୍ୱାସ ଥାଏ, ତେବେ ମୋ ମନକଥା ବୁଝି ମୋ କାମନା ଅବଶ୍ୟ ପୂରଣ କର । ମୁଁ ଭାରି ଦୁଃଖରେ ପଡିଛି । ତୁମ ଯୋଗେ କେତେ ଗୁଡିଏ ନିରୀହ ପ୍ରାଣୀ ବଂଚିବେ । ଅନ୍ୟାୟ ଅତ୍ୟାଚାରର ବି ଲୋପ ଘଟିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ