ତୁମେ ହେବ ଶହ ଶହ ପ୍ରାଣୀଙ୍କର ଉଦ୍ଧାର କର୍ତ୍ତା ।
କଥାରେ ପରା ଅଛି –
ନିୟତିର ଯେବେ ହୁଅଇ କରୁଣା
ପଙ୍ଗୁ ଲଙ୍ଘେ ହିମାଚଳ,
ବଧିର ଶୁଣାଇ ଅନନ୍ତ ସଙ୍ଗୀତ
ମଧୁ ହୁଏ ସିନ୍ଧୁ ଜଳ ।
ଅନ୍ଧ ଦେଖିପାରେ ବିଶାଳ ଜଗତେ
ଯାହା ଅଛି ଯେଉଁଠାରେ
ଖଞ୍ଜି ଲଙ୍ଘି ଗିରି ସାଗର ସୈକତ
କ୍ରୀଡଇ ସାରା ସଂସାରେ ।
ନିୟତିର କରୁଣା ହେଲେ ନ ହେବା କଥା ବି ହୁଏ । ଅତି ଅସମ୍ଭବ କଥା ବି ସମ୍ଭବକୁ ଆସେ । ଛବି ପ୍ରତି ତ ନିୟତିର ଅହେତୁକ ଅନୁକମ୍ପା ଅଛି । ତେଣୁ ସେ କାପତା-କପୋତୀ ଯୋଡିକଙ୍କ କଣ୍ଠରେ ଆସି ସରସ୍ୱତୀ ବସିଲେ । ତାପରେ ସେମାନେ ଅତି ଅଦ୍ଭୂତ ଭାବେ ସବୁ କିଛି ବୁଝି ପାରିଲେ ଯେ, ଅମୃତମଣି ପାଇଁ ହିଁ ଆସିଛି ଏ ଛବି । ତାକୁ ଅମୃତମଣି ନ ଦେଲେ ପ୍ରଭୁ ଆମ ଉପରେ ଖୁବ୍ ଅସନ୍ତୋଷ ହେବେ । ସେ ଆମ ବଂଶ ରକ୍ଷା କରିଛି । କାଳ କାଳ ଧରି ସେ କଟାସଟା ଆମର ଶତ୍ରୁ ହୋଇ ଏ ବଣରେ ଥିଲା । ଏମାନେ ଡିମ୍ବ ଦେଇ ଛୁଆ ଫୁଟାଇବାର କିଛିଦିନ ପରେ ଓରଓଣ୍ଡି ଆମ ଛୁଆ ମାନଙ୍କୁ ଖାଇ ଯାଉ ଥିବାରୁ ଆମ ବଂଶ ଆଉ ଆଗକୁ ବଢି ପାରୁ ନଥିଲେ । ଏହି ଚିନ୍ତାରେ ସେ କାପତା-କପୋତୀ ଯୋଡିକ ଦିନ ରାତି ଜଳି ପୋଡି ହତାଶ ହେବା ଆଜକୁ ଅନେକ ବର୍ଷ ହେଲାଣି । କେହି ବି ତାଙ୍କୁ ଭରସା ହୋଇ ପାରୁ ନ ଥିଲେ । ଆଜି ଏ ଛବି କୁମାରୀ କେଉଁ ଦୂର ଦୂରାନ୍ତରୁ ଆସି ତାଙ୍କର ଯାହା ବି ଉପକାର କରିଛି, ତାହା ସୁଝାଇ ପାରିବା ତ ଭାରି କଷ୍ଟ । କାପତା ଖାଲି ତା ବଂଶରକ୍ଷା କରିବ ବୋଲି ଜଣେ ଋଷିଙ୍କୁ ସେଥିରେ ସନ୍ତୋଷ କରି ଅମୃତ ମଣିଟି ଆଣି ନିଜ ବସାରେ ରଖିଥିଲା ସିନା? ହେଲେ ସେ ବା ବଂଚାଇଥାନ୍ତା କାହାକୁ?
ଛୁଆଗୁଡାକ ତା’ର ମରି କରି ସମାଧି ନେଉଥିଲେ ସେ କଟାସ ପେଟରେ । ମୃତଶବ ଥିଲେ ସିନା ବଂଚନ୍ତା?