ଦିନକର କଥା । ମଇନା ଗୋଟାଏ ଘୋଡାରେ ବସି ଯାଇଥାଏ ଶିକାର କରିବାକୁ । ସେ ତା ହାତରେ ଧରିଥାଏ ଧନୁ ତୀର । ମୁଣ୍ଡରେ ତାର ଥାଏ ଗୋଟାଏ ମୁକୁଟ ପରି ସୁନାର ଟୋପି । ସେ ମଇନା ଦିଶୁଥାଏ ଠିକ୍ ବନଦୁର୍ଗା ପରି । ଦୈବାତ୍ ଦସ୍ୟୁ ଦଳରେ ଥିବା ଗଜା ଶାଳୁଆ ପରି ଗୋଟାଏ ଭେଣ୍ଡାର ନଜର ପଡିଲା ସେହି ମଇନା ଉପରେ । ଦୀର୍ଘ ଏତେଦିନ ମଧ୍ୟରେ ସେ ଦସ୍ୟୁଟା ଦିନକ ପାଇଁ ବି ମଇନାକୁ କଦାପି ଦେଖି ନଥିଲା ।
ମଇନାର ରୂପ ଓ ଫୁର୍ତି ଦେଖି ମନଟା ସେ ଦସ୍ୟୁର ଖାଲି ଲୋଭେଇ ଉଠିଲା । ସେ ଦସ୍ୟୁଟି ନିଜ ମୁଁହ ଫିଟାଇ ମଇନାକୁ କିଛି ବି କହି ପାରିଲାନି ସିନା, ହେଲେ ସେ ତା ମନେ ମନେ ବିଚାର କଲା ସେ ଯାଇ ସର୍ଦ୍ଦାର ପାଖେ ଅଳି କରିବ ମଇନାକୁ ବିଭା ହେବା ପାଇଁ । ଯଦି ତା’ କଥାରେ ସର୍ଦ୍ଦାର ରାଜି ନ ହୁଅନ୍ତି, ତେବେ ଯାହା ହେବାର ହେବ ପଛକେ ମୁଁ ସେହି ସର୍ଦ୍ଦାରକୁ ଛୁରାରେ ଦେବି ଗୋଟିଏ ଭୂଷା । ସର୍ଦ୍ଦାର ଖତମ୍ ହେଲା ପରେ ମଇନା କିପରି ମୋ ଅକ୍ତିଆରରେ ନ ପଡିବ ମୁଁ ଦେଖିବି । ଏହି କଥା ଭାବି ଭାବି ସେ ସିଧା ଚାଲିଲା ସର୍ଦ୍ଦାରଙ୍କ ପାଖକୁ । ଦସ୍ୟୁଟି ନିଜ ମନର କଥା ପ୍ରକାଶ କରିବା ମାତ୍ରେ ସେ ସବୁ କଥା ଶୁଣି ହଠାତ୍ ରାଗି ଉଠିଲା ସେ ସର୍ଦ୍ଦାର । ଦେଖୁଦେଖୁ ଦିହିଁଙ୍କର କଳିଗୋଳ ହେଉ ହେଉ ସେମାନଙ୍କ ମଧ୍ୟରେ ଲାଗିଗଲା ହାତାହାତି ଯୁଦ୍ଧ । ସେତେବେଳେ ସେ ସର୍ଦ୍ଦାରଙ୍କ ପାଖରେ ଅନ୍ୟାନ୍ୟ ଦସ୍ୟୁମାନେ ତ କେହି ନଥିଲେ । ତେଣୁ ସେ ସର୍ଦ୍ଦାରର ବହପ ଆସ୍ତେ ଆସ୍ତେ କମି ଆସିଲା । ଏପଟେ ଏ ଦସ୍ୟୁ ଟୋକା ବସିଲା ଅକଳରେ ପକାଇ ସର୍ଦ୍ଦାରକୁ ସବଦିନ ପାଇଁ ମାରି ପକାଇବ ବୋଲି । ଠିକ୍ ଏହି ସମୟରେ ସେଠାରେ ଆସି ପହଁଚିଲା ମଇନା ।
ବାପା ତା’ର ଅକଳରେ ପଡିବା ଦେଖି ମଇନା ସଙ୍ଗେ ସଙ୍ଗେ ଆଉ କାଳ ବିଳମ୍ବ ନ କରି ସେ ଭେଣ୍ଡିଆ ଦସ୍ୟୁ ଉପରେ ବସାଇଦେଲା ଗୋଟିଏ ତୀର । ସେ ତୀର ଯାଇ ଗଳିଗଲା ସେ ଭେଣ୍ଡିଆ ଦସ୍ୟୁର ବ୍ରହ୍ମ ତାଳୁରେ । ଅଜସ୍ର ରକ୍ତଧାରା ଛୁଟି ସେହିଠାରେ ହିଁ ଟଳି ପଡିଲା ସେ ଭେଣ୍ଡିଆ ଦସ୍ୟୁ ମାଟି ଉପରେ ।
ଏହି ସମୟରେ ସେ ଦସ୍ୟୁମାନଙ୍କ ମଧ୍ୟରୁ କେତେକ ଆସି ସେଠାରେ ପହଁଚିଲେ ଓ ଭେଣ୍ଡିଆଟି ମରିଥିବା ଅପରାଧରେ ଦାୟିକଲେ ସର୍ଦ୍ଦାରକୁ । ଏଥର ବଡ ଅଡୁଆରେ ପଡିଲା ସେ ସର୍ଦ୍ଦାର ବିଚରା । କ’ଣ କରିବ ସେ, ତା ଅଜାଣତରେ ତ ଗୋଟାଏ ଭୁଲ୍ କାର୍ଯ୍ୟ ହୋଇ ଯାଇଛି । ସେ କଥା ଏ ଦସ୍ୟୁମାନେ ବି ମୋଟେ କିଛି ବୁଝିଲେନି । ଦୋଷ କାହାର, ନିର୍ଦୋଷ କିଏ, ଏବେ ଏ କଥାର ପ୍ରମାଣ କରିବ ବା କିଏ? ପ୍ରମାଣ କରିବା ପାଇଁ କାହାର ମଧ୍ୟ କିଛି ଜିଦ୍ ଜିଗର ନାହିଁ । ସମସ୍ତେ ଖାଲି ସମସ୍ୱରରେ କହିବାକୁ ଲାଗିଲେ – ଏ ମୃତ୍ୟୁ ଘଟାଇଛନ୍ତି ସର୍ଦ୍ଦାର ଏବଂ ତାର ଝିଅ । ସେମାନଙ୍କୁ ଆମ ଦଳରୁ ତଡିଦେବା ପାଇଁ ପ୍ରସ୍ତାବ ଆସୁ ।