ଦସ୍ୟୁଦଳ ମାନେ ଗୋଟିଏ ଅନୁଷ୍ଠାନ । ସେଥିରେ କାହାର ବି ବ୍ୟକ୍ତିଗତ ସତ୍ୱ ସମ୍ପତ୍ତି ନାହିଁ । ପ୍ରତି ପାଂଚ ବର୍ଷରେ ଥରେ ନିର୍ବାଚନ ସଭାବସି ସମସ୍ତେ ଯାହାକୁ ସର୍ଦ୍ଦାର ବୋଲି ମନୋନୀତ କରନ୍ତି, ଶେଷରେ ସେ ହିଁ ସର୍ଦ୍ଦାର ହୁଏ । ପ୍ରତ୍ୟେକ ଦସ୍ୟୁ ତାରି ଆଦେଶମାନି ଚଳିବାକୁ ବାଧ୍ୟ ହୁଅନ୍ତି । ସେମାନଙ୍କ କାର୍ଯ୍ୟ ଲୁଣ୍ଠନ କରିବା, ଚୋରି କରିବା ଓ ଦରିଦ୍ର ନାରାୟଣର ଯଥାସାଧ୍ୟ ସେବା କରିବା । ରକ୍ତପାତ କରିବା, ହତ୍ୟା କରିବା କି ନାରୀଧର୍ଷଣ କରି ବର୍ଣ୍ଣଶଙ୍କର ସୃଷ୍ଟି କରିବା ସେମାନଙ୍କର ସମ୍ବିଧାନରେ ଆଦୌ ନାହିଁ ।
ଦଳଗଠନ ହେବାର ଦୀର୍ଘ କୋଡିଏ ବର୍ଷ ମଧ୍ୟରେ ବର୍ତ୍ତମାନର ସର୍ଦ୍ଦାର ହିଁ ସର୍ଦ୍ଦାର ରୂପେ ବିବେଚିତ ହୋଇ ଆସିଛି । ତାର ସମସ୍ତ କାର୍ଯ୍ୟକଳାପକୁ ଏ ଦସ୍ୟୁମାନେ ବି ପସନ୍ଦ କରି ଆସିଛନ୍ତି । ଆଜି ଦୈବାତ୍ ଭାଗ୍ୟର ବିପର୍ଯ୍ୟୟହେତୁ ସେ ସର୍ଦ୍ଦାର ଜଣକ ପଡିଗଲା ଗୋଟିଏ ବିଷମ ଅଡୁଆରେ । ତେଣୁ ସେହି ସର୍ଦ୍ଦାରର ଦଣ୍ଡ ହେଲା ଦଳରୁ ବାହାରିଯିବା । ସମସ୍ତ ଦସ୍ୟୁ ମାନେ ମିଶି ସେହି ସର୍ଦ୍ଦାରକୁ, ତାର ପତ୍ନୀକୁ ଓ ମଇନାକୁ ସେଠାରୁ ବାହାର କରି ଦେଇ ଅନ୍ୟ ଜଣକୁ ନିଜ ସର୍ଦ୍ଦାର ବାଛିଲେ ।
ଏଥିରେ ସେ ସର୍ଦ୍ଦାର କୌଣସି ପ୍ରକାର କିଛି ବି ପ୍ରତିବାଦ ନ କରି ଶୂନ୍ୟହାତ ଓ ଶୂନ୍ୟ ମନରେ ସେଠାରୁ ସେ ବାହାରିଲା ନିଜ ସ୍ତ୍ରୀ କନ୍ୟାକୁ ନେଇ । କ’ଣ ଖାଇ ଏବେ ସେ ତିନିପ୍ରାଣୀ କୁଟୁମ୍ବ ବଂଚିବେ ତାହା ହେଲା ପ୍ରଥମ ଚିନ୍ତା । ତାପରେ ଦ୍ୱିତୀୟ ଚିନ୍ତା ହେଲା ମଇନା ପରି ଏକ ଅପରୂପ ସୁନ୍ଦରୀ ଓ ଯୁବତୀ ଝିଅକୁ ଘେନି ସେ କେଉଁଆଡେ ବୁଲିବେ?
ଏହି କଥା ଭାବି ଭାବି ସ୍ଥିର କଲା ସେ ସର୍ଦ୍ଦାର । ଯେ କୌଣସି ବଡଲୋକ ପାଖରେ ଚାକିରି କରି ସେ ତା ସ୍ତ୍ରୀ ଓ କନ୍ୟାକୁ ପ୍ରତିପୋଷଣ କରିବ । ସେ ଆଉ ଦିନେହେଲେ ବି ସେ ଅନ୍ୟାୟ ଅତ୍ୟାଚାରର ପାଖ ସୁଦ୍ଧା ମାଡିବନି ।
କଥାରେ ପରା ଅଛି –