ମାନବ ଭାଗ୍ୟରେ ଅନୁକୂଳ ହୁଏ
ଯେତେବେଳେ ସୁଖ-ସୂର୍ଯ୍ୟ
ତା ପୂର୍ବରୁ ଥରେ ବଜାଏ ସଘନେ
ଦୁଃଖର ବିଷମ ତୂର୍ଯ୍ୟ ।
ଥରାଏ ଜୀବନ ଅପଘନ ମନ
ହତାଶରେ ଦିଏ ଜାଳି
କେଣେ ଯିବି କିସ କରିବି ବୋଲି ମୁଁ
ବିପନ୍ନେ ମରଇ ଭାଳି ।
ଆସୁଥାଏ ବେଳ ଗୁମୁରି ଗୁମୁରି
ବୁହାଇ ସୁଖ ମଳୟ
ପୁଲକାଇ ଦିଏ ଚିତ ଉପବନ
ଉକୁଟାଇ କିଶଳୟ ।
ସେ ସର୍ଦ୍ଦାର ତ ଜଣେ ମଣିଷ । ସେ ବା ନିୟତିର ମାୟା ବୁଝିବ କ’ଣ? ହଠାତ୍ ଅତି ଦୁଃଖରେ ପଡି କାତର ହୋଇ ପଡିଲା ସେ । ତା’ର ଏପରି ଗତିବିଧି ଦେଖି ମଇନା ତାକୁ କହିଲା, ବାବା! ତୁମେ ଆଦୌ ହତାଶ ହୋଇ ପଡନା? କିଛି ଉପାୟ ନ ମିଳିଲେ ଶେଷରେ ମୁଁ ଭିକମାଗି ତୁମମାନଙ୍କୁ ନିଶ୍ଚୟ ପୋଷିବି ।
ସର୍ଦ୍ଦାର ତା ଝିଅ କଥା ଶୁଣି ଖାଲି ହସିଲା ଏବଂ କହିଲା – “ସେ କଥା ତ ମୁଁ କେବେହେଲେବି କରାଇଦେବିନି ମଇନା । ଏବେବି ମୋ ଦେହରେ ଅଛି କାଠିଏ ବଳ । ଏହି ବଳ ଖର୍ଚ୍ଚକରି ମୁଁ ବି ବେଶ୍ ଦି’ପଇସା ରୋଜଗାର କରି ପାରିବି । ତୁମେ ମା’ ଝିଅ ଦି’ଜଣ ଯେତେ ଖାଇଲେ ବୋହିଲେ ବି ମୋଟେ ତାହା ସରିବନି ।”
ମଇନା ଭାବିଲା – “ଆପଣା ପରିଚୟ ଦେବ ଏବଂ କହିବ ତା ବାପାଙ୍କ ପାଖକୁ ଯିବାପାଇଁ । ଏ କଥାରେ ବିବେକ୍ ପୁଣି ବାଧା ଦେଲା ତାକୁ । ମନ କହିଲା ଜଣେ ରାଜ୍ୟର ରାଜା । ତାଙ୍କର ଯଦି ତାଙ୍କ ଝିଅ ପ୍ରତି ଏତିକି ଟିକିଏ ବି ସ୍ନେହ ଶ୍ରଦ୍ଧା ଥାଆନ୍ତା ତେବେ ସେ କ’ଣ ତାଙ୍କ ଲୋକ ଲଗାଇ ମୋତେ ଖୋଜାଇ ନଥାନ୍ତେ? ତା’ପରେ ସେ ଛବି, ତାକୁ ତ ମୁଁ ଏତେ ଶ୍ରଦ୍ଧା କରିଥିଲି । ସେ ବି ମୋତେ ଖୁବ୍ ଶ୍ରଦ୍ଧା କରୁଥିଲା । ଦୀର୍ଘ ଏତେଦିନ ହେଲାଣି ତା’ର ମୋର ଦେଖା ସାକ୍ଷାତ ହେବାକୁ ବି ନାହିଁ, ତେବେ କ’ଣ ସେ ମୋର କିଛି ତତ୍ୱ ନେଉନି? ଛାଡ ଏ ସଂସାରଟା ଖାଲି ଇନ୍ଦ୍ରଜାଲ ଖେଳପରି ମାୟା କୁହେଳିକା । ଏଠି କେହି କାହାର ବି ଆପଣାର ନୁହଁନ୍ତି । ସମସ୍ତେ ପର । ସେମାନଙ୍କ ସଙ୍ଗେ ରକ୍ତର ସମ୍ବନ୍ଧ ଥାଇ ଯାହା, ସର୍ଦ୍ଦାରଙ୍କ ସଙ୍ଗେ କିଛି ସମ୍ପର୍କ ନ ଥାଇ ମଧ୍ୟ ତା’ଠାରୁ ଏହା କେତେ ମାତ୍ରାରେ ଅଧିକ ।