ତାପରେ ସେ କପାଳୀ ମନରେ ଟିକେ ସନ୍ଦେହ ହେଲା । ଚେଷ୍ଟା କଲା ସାଧନାର ବଳ ଓ ନିଜ କୌଶଳ ଦେଖାଇ ସେହି ଗଛକୁ ଖସାଇ ଆଣିବ ତଳକୁ । ଯେତେ ଚେଷ୍ଟା କଲା, ମନ୍ତ୍ରଜଳ ଫୋପାଡିଲା, ଯାଦୁ ବି ଲଗାଇଲା, ହେଲେ ଶେଷରେ କେହି କିଛି ବି କାମ କରି ପାରିଲେନି ।
ଗଛଟା ଶୂନ୍ୟରେ ଥାଇ କହିଲା –
ଝୁମୁରୁଝାଇଁକି ଝୁମୁରୁଝାଇଁ
ଅଯଥା ଚେଷ୍ଟା ତୁ କରୁ କିପାଇଁ ।
ମୋର କରମ ଶୂନ୍ୟେ ବିହାର
ବିପନ୍ନର କରେ ମୁଁ ଉପକାର ।
ମୋ ବାଟରେ ମୁହିଁ ଯାଉଛି ଚାଲି
ତୋ ବାଟ ଧର ତୁ ନୋହି ଜଞ୍ଜାଳି ।
ଏତିକି କଥା କହି ସେ ଗଛ ସେଠାରୁ ତୁରନ୍ତ ଉଡିଗଲା । ଏଣେ ସେ କପାଳୀ ଖାଲି ଅନାଇ ରହିଲା ସେହି ଗଛକୁ ଶୂନ୍ୟ ଦୃଷ୍ଟିରେ । ମନ ତା’ର ଧୀରେ ଧୀରେ ଭାଙ୍ଗି ପଡିଲା । ମା’ କାଳୀଙ୍କ ଉପରେ ଅଭିମାନ କରି ସେ କପାଳୀ ବସିଲା ଅନଶନ କରିବାକୁ । ଠିକ୍ ଏତିକିବେଳେ ଶୁଣାଗଲା ଗୋଟାଏ ବିରାଟ କୋଳାହଳ ।
ସେହି ସବୁ ଶବ୍ଦ ଶୁଣି ହଠାତ୍ ଚମକି ଉଠିଲା ସେ କପାଳୀ । ଏପରି କୋଳାହଳର କାରଣ କ’ଣ ଜାଣିବାକୁ ମନ ତାର ଖୁବ୍ ବ୍ୟଗ୍ର ହୋଇ ଉଠିଲା । ତେଣୁ ସେ ଦଉଡିଲା ମୁଣ୍ଡମାଳ ଆଡେ । କାହିଁକିନା ଏପରି କୋଳାହଳଟା ତାରି ଭିତରୁ ହିଁ ଶୁଣା ଯାଉଥାଏ । ଏଣେ କପାଳୀର ମନକୁ ଟିକେ ପାପ ଛୁଇଁଲା । ତେଣୁ ଦଣ୍ଡକ ପାଇଁ ସେ କପାଳୀ ସେ ଘର ପାଖରେ ଠିଆ ହେଲା ନିଜ କାନ ଡେରିଦେଇ ।