ଛବି ଠିକଣା ବେଳରେ ପହଁଚି ଠିକଣା କାମ କରି ଦେଇଛି । ଅମୃତ ମଣି ଛୁଆଁଇ ଦେଲା ମାତ୍ରେ ଗୋଟିକ ପରେ ଗୋଟି ଗୋଟି ହୋଇ ମୁଣ୍ଡଯାକ ଉଠିଛନ୍ତି ମଣିଷ ରୂପ ଧରି । ସମସ୍ତଙ୍କ ହାତରେ କାଣ୍ଡ ଖଣ୍ଡା, ଟେକା ପଥର, କଟୁରୀ, ଶାବଳ ଇତ୍ୟାଦି ଅସ୍ତ୍ରଶସ୍ତ୍ର । ସମସ୍ତେ ସମସ୍ୱରରେ କହୁଛନ୍ତି – ଛବି କୁମାରୀର ଜୟ । କପାଳୀ ମୁନିକି ମାର । ଏପରି କଥା ସବୁ ଶୁଣି ଶୁଣି ହଠାତ୍ ଛାତି ଥରି ଉଠିଲା ସେ କପାଳୀର । ତା ମନର ସମସ୍ତ ଉଦାମ ଉଦ୍ଦୀପନା ବି ଆସ୍ତେ ଆସ୍ତେ ପାଣି ଫାଟି ଆସିଲା । ବିଚରା କଣ କରିବ ନ କରିବ ସେ କିଛି ବି ସ୍ଥିର କରିବା ଆଗରୁ ସେହି ମୁଣ୍ଡମାଳ ସଦର ଦରୋଜାଟାକୁ ଯାଇ ସେ ଖୋଲିଦେଲା ।
ବଂଚିଥିବା କୁମାର କୁମାରୀମାନେ ସେ କପାଳୀକୁ ଦେଖିବା ମାତ୍ରେ ପ୍ରଳୟ ନିଃଶ୍ୱାସ ଛାଡିଲେ । ଅମୋକ୍ଷ ଓ ପ୍ରେତମାନଙ୍କ ବିଶ୍ୱାସ ଏବେ ତ ତାଙ୍କଠାରୁ ଦୂର । ତେଣୁ ସେ କପାଳୀ ମୁନି ସେସବୁକୁ ହଜମ କରି ନପାରି ସେଠାରୁ ଉଡିଗଲା ଖଣ୍ଡେ କୁଟାପରି । ଯେତେ ଚେଷ୍ଟା କଲେ ମଧ୍ୟ ସେ ତା ନିଜକୁ ଆଦୌ ଥୟ କରି ପାରିଲାନି । ଅନନ୍ତ ଆକାଶର ନୀରବିନ୍ଦୁ ପରି ସେ ଖାଲି ଭାସି ଚାଲିଲା ପ୍ରଳୟ ପବନର ତାଡନାରେ । କେତେ ଦୂର ଦୂରାନ୍ତରକୁ ଯାଇ ଶେଷରେ ତାର ଅବସ୍ଥା ଯେ କ’ଣ ହେଲା ସେ କଥା ଜାଣିବାକୁ ଆଉ କେହି ବି ଇଚ୍ଛା କରି ନଥିଲେ ।
ଏଣେ ଏତେଗୁଡିଏ ଅମୋକ୍ଷ ପ୍ରେତମାନଙ୍କୁ ପ୍ରାଣ ଦାନ ଦେଇ ଛବି ପଚାରିଲା – “ଏଥର ତୁମ୍ଭେମାନେ ନିଜ ନିଜ ଘରଦ୍ୱାର ଖୋଜି ଏଠାରୁ ଯାଇ ପାରିବ ତ?”
ତହୁଁ ଜଣେ କହିଲା – “ଆମ ପ୍ରାଣରୁ ତ ସେ ପ୍ରେତଗନ୍ଧ ଆଦୌ ଯାଇନି । ତେଣୁ ଆମ ପାଇଁ ତୁମେ ଆଉ ଟିକିଏ ପରିଶ୍ରମ କର । ତା ନ ହେଲେ ଏତେଗୁଡାକ ପରିଶ୍ରମ ତୁମର ବିଫଳ ହୋଇଯିବ ସିନା ।”
ଛବି ଆଶ୍ଚର୍ଯ୍ୟ ହୋଇ ପଚାରିଲା – ପୁଣି ମୁଁ କ’ଣ କରିବି?