ମୁଣ୍ଡମାଳ ମଣିଷମାନେ ତାର ପରିଚୟ ଦେଇ କହିଲେ – “ତୁ ଆଗ ତା’ପାଖରୁ ଅନୁମତି ଆଣିଲେ ଯାଇ ତାପରେ ଆମେ ସ୍ନାନ କରିବୁ ।”
ଛବି ପଚାରିଲା – “ଏଥିରେ ତାଙ୍କ ଅନୁମତିର କ’ଣ ଦର୍କାର?
ତହୁଁ ସେ ମୁଣ୍ଡମାଳ ମଣିଷମାନେ କହିଲେ – “ତୀର୍ଥ ଜଗୁଆଳିଠାରୁ ଅନୁମତି ନ ନେଇ ସ୍ନାନ କଲେ ଫଳ କିଛି ଭଲ ହେବା ଦୂରେ ଥାଉ ଓଲଟି ଆମକୁ ଆହୁରି ଅଧିକ ପାପପଙ୍କରେ ବୁଡି ଯିବାକୁ ହେବ ।
ଏବେ ସେ ଛବି ବିଚାରିଣୀ ଆଉ କରେ ବା କ’ଣ? ଗୋଟିଏ ମହତ କାର୍ଯ୍ୟରେ ହାତ ଦେଇଛି ସେ ଯେତେବେଳେ, କାର୍ଯ୍ୟଟି ଶେଷ ହେବା ପର୍ଯ୍ୟନ୍ତ ଯାହା କିଛି ବି ଦର୍କାର ତାକୁତ ପୁଣି ସବୁ କରିବାକୁ ପଡିବ । ତେଣୁ ସେ ଯାଇ ସମରସିଂହକୁ କହିଲା – “ହେ ରାଜକୁମାର! ଅନୁମତି ଦେଲେ ଏ ତୀର୍ଥଯାତ୍ରୀମାନେ ଟିକେ ସରୋବରରେ ସ୍ନାନ କରିବେ ।”
ମୁହୂର୍ତ୍ତକେ ଆଖି ଫିଟାଇ ଅନାଇଲା ସେ ସମର ସିଂହ । ପଚାରିଲା – ତୁମେ ରାଜ କୁମାରୀ ନା ପ୍ରଜା କୁମାରୀ?
ଛବି କହିଲା – “ମୁଁ ରାଜ କୁମାରୀ ।”
ଏହା ଶୁଣି ସେ ସମର ସିଂହ ଆନନ୍ଦ ମନରେ କହିଲା – “ତୁମକୁ ଅଶେଷ ଅଶେଷ ଧନ୍ୟବାଦ କୁମାରୀ! ବହୁଦିନ ପରେ ତୁମେ ଏଠାକୁ ଆସି ମୋର ପଣ ରକ୍ଷା କରିଛ । ଭଗବାନଙ୍କ ଆଶୀର୍ବାଦ ବି ନେଇଛ, କିନ୍ତୁ ସାବଧାନ, ପଛରେ ପୁଣି ମୋତେ ପ୍ରତାରଣ ନକର ଯେପରି?”
ଛବି ପଚାରିଲା – “ଏହାର ଅର୍ଥ?”
ସମର କହିଲା – ମୁଁ ପଣ କରିଥିଲି ଯେ, ଯେଉଁ ରାଜକୁମାରୀ ପ୍ରଥମ ଥର ପାଇଁ ମୋର ଧ୍ୟାନ ଭଙ୍ଗ କରିବ, ସେହିଁ ହେବ ମୋର ପତ୍ନୀ ।”
ଏପରି ଏକ କଥା ଶୁଣି ବଡ ଅଡୁଆରେ ପଡିଲା ସେ ଛବି । ଏବେ ସେ କ’ଣ କରିବ, କିଛି ଉପାୟ ସ୍ଥିର କରି ନ ପାରି ସେ ସମରକୁ ଜବାବ୍ ଦେଲା – ‘ମୋର ବି ଗୋଟାଏ ପଣ ଅଛି ।’
ତହୁଁ ସମର ବି ପଚାରିଲା – “କ’ଣ ତାହା?”