ତେଣେ ସେ ସର୍ଦ୍ଦାର ତା’ର ସଂସାର ଚଳାଇବା ପାଇଁ ଚାକିରୀ ଖଣ୍ଡେ ଖୋଜି ଖୋଜି ଶେଷରେ ଯାଇ ପହଁଚିଲା ମଇନା ଓ ଛବିର ବାପ ରାଜ୍ୟରେ । ସେ ସର୍ଦ୍ଦାର ତା ଘରଣୀ ଓ ମଇନାଙ୍କ ପାଇଁ ସେଠାରୁ ପାଂଚକୋଶ ଦୂରରେ ନେଲା ଖଣ୍ଡିଏ ବସାଘର । ସେହି ଘରେ ମା’ ଝିଅ ଦିହେଁ ରହିଲେ । ରାଜାଙ୍କର ସେନାପତି ହୋଇ ସେ ସର୍ଦ୍ଦାର ଚାକିରୀ କଲା । ସଂସାର ଚଳାଇବା ପାଇଁ ତାର ଆଉ ବିଶେଷ କିଛି ଅଭାବ ହେଲାନି । ଏଣେ ଏ ମା ଝିଅ ଦିହେଁ ବି ବହୁତ ଖୁସିରେ ଚଳିଲେ ।
ସେନାପତିଙ୍କ ଘରକୁ ଚାଉଳପତ୍ର ଓ ମାଲ ମସଲା ନେଇ ଦିନେ ଦିନେ ପ୍ରହରୀମାନେ ଯାଆନ୍ତି । ମଇନା ସବୁ ଜିନିଷ ବୁଝି ସୁଝି ରଖେ । ସେମାନଙ୍କ ସଙ୍ଗେ କଥାବାର୍ତ୍ତା ବି ହୁଏ । ସମସ୍ତେ ତାକୁ ଖୁବ୍ ପ୍ରଶଂସା କରନ୍ତି ।
ରାଜା ତାଙ୍କ ରାଣୀ ମାନଙ୍କୁ କାରାଗାରରେ ରଖାଇ ଏକ ପ୍ରକାର ବିପତ୍ନୀକ କଷ୍ଟ ଭୋଗୁଥିବାରୁ ସେ ଇଚ୍ଛା କରୁଥାନ୍ତି ଆଉ ଥରେ ବିଭା ହେବାକୁ । ତେଣୁ ରାଜାଙ୍କ ପାଇଁ କନ୍ୟା ପାତ୍ରୀ ବି ଖୋଜା ଚାଲିଥାଏ । ଏହି ପ୍ରସଙ୍ଗଟି ଯେଉଁଠି ପଡେ, ଦେଓର ବାହୀ (ଦ୍ୱିତୀୟ ପକ୍ଷ) ବୋଲି ସମସ୍ତେ ନିଜ ନିଜ ମୁହଁ ମୋଡି ଦେଉଥାନ୍ତି । ଏପରି କଥା ଜାଣି ରାଜା କହିଥାନ୍ତି ଯେ କୌଣସି ଗରିବଘରୁ ଭଲ କନ୍ୟା ପାତ୍ରଟିଏ ମିଳିଲେ ତାକୁ କିଛି ଟଙ୍କା ଦେଇକରି ମଧ୍ୟ ସେ ବିଭାହେବେ ।
ରାଜାଙ୍କ ମନର କଥା ଜାଣି ଗୋଟିଏ ବୁଢା ପ୍ରହରୀ ଦିନେ ବିଶ୍ୱାସରେ କହିଲା – “ମହାରାଜ! ଆମ ସେନାପତିଙ୍କ ଝିଅଟି ଦେଖିବାକୁ ଠିକ୍ ସ୍ୱର୍ଗର ଅପସରୀ ଭଳି । ବୁଦ୍ଧି ବୃତି ଅକଲ ପସନ୍ଦ ସବୁଥିରେ ସେ ସରସ । ଛାମୁଁଙ୍କ ପରି ରାଜାଙ୍କର ରାଣୀ ହେବାକୁ ସେ ନିଶ୍ଚେ ଉପଯୁକ୍ତ ହେବ ।” ଏ କଥା ଶୁଣି ରାଜା ସେନାପତିଙ୍କ ମତ ଲୋଡିଲେ ।
ସେନାପତି କହିଲା – “ଛାମୁଁ! ମୁଁ ଅତି ଗରିବ ଲୋକ । ଅର୍ଥାଭାବରୁ ପିଲାଟାକୁ ମୁଁ ବିଭା ଦେଇ ପାରୁନି । ଛାମୁଁ ଯଦି ଇଚ୍ଛା କରୁଛନ୍ତି, ତେବେ ମୋର ଏଥିରେ କିଛି ବି ଆପତି ନାହିଁ । ଯେତେ ଯାହା ହେଲେବି ଝିଅତ ମୋର ରାଜରାଣୀ ହେବ ନା । ଏ ଭାଗ୍ୟ ପୁଣି ମିଳେ କାହାକୁ?