ରାଜା ସୁଖୀ ହୋଇ ଲାଗିଲେ ବିଭାଘର ଆୟୋଜନରେ । କଥାଟା ଆଉ ଲୁଚା ଛପା ହୋଇ ରହିପାରିଲାନି । କ୍ରମେ କାନକୁ କାନ ଯାଇ ପହଁଚିଲା ମଇନା କାନରେ । ପ୍ରମାଦ ଗଣିଲା ସେ । ଛାତି ଓ ମୁଣ୍ଡ ଭିତରେ ଛେଚିଲା ଧୂର୍ମୁଷ ପାହାର ପରି ଭାବନାର ସହସ୍ର କଷାଘାତ । ଏବେ ସେ କ’ଣ କରିବ? କୁଆଡେ ପଳାଇଯିବ କି ଆତ୍ମହତ୍ୟା କରିବ ସେ କିଛି ବି ସ୍ଥିର କରି ପାରିଲିନି । ତାପରେ ସେ ଯୋଉଠି ବସିଲା ସେଠି କାନ୍ଦିଲା । ଗାଧୁଆପାଧୁଆ, ଖିଆପିଆ, ମୁଣ୍ଡବନ୍ଧା, ବେଣୀ ସାଉଁଳା କାହିଁରେ ତାହାର ମନ ଆଦୌ ଲାଗିଲାନି । ଦିନକୁ ଦିନ ସେ ଦେଖାଗଲା ଗୋଟିଏ ପାଗଳୀ ପରି ।
ହଠାତ୍ ବିଭାଘର କଥା ଶୁଣି ଝିଅ ଏପରି ବିଷାଦିନୀ ହେବାରୁ ସର୍ଦ୍ଦାରିଆଣୀ ଏହାର କାରଣ ପଚାରି ବସିଲେ । ମଇନା କହିଲା – ବାବାଙ୍କୁ ଡକାଇ ମନା କରିଦେ, ସେ ଯାଇ ରାଜଙ୍କୁ ମନା କରିଦେବେ ମୋତେ ବିଭା ହେବାକୁ ।
ସର୍ଦ୍ଦାରିଆଣୀ ବି ସେହି କଥା କଲା । ସେ ତାର ସ୍ୱାମୀଙ୍କୁ ଡକାଇ କହିଲା, “ଝିଅ ମନା କରୁଛି ସେଠାରେ ବିଭା ହେବାକୁ । ତୁମେ ବି ଯାଇ ରାଜାଙ୍କୁ ମନା କରିଦିଅ ।”
ଏକଥା ଶୁଣି ପ୍ରମାଦ ଗଣିଲେ ସେନାପତି । ଜବାବ୍ ଦେଇସାରି ମନା କରିଦେଲେ ମୁଣ୍ଡକାଟ ଶାସ୍ତି ହେବା ସୁନିଶ୍ଚିତ କଥା । ତେଣୁ ସେ ଆସି ତାଙ୍କ ଝିଅକୁ ବହୁତ କରି ବୁଝାଇଲେ ।
ହେଲେ ସେ ମଇନା କିଛିବି ବୁଝିଲାନି । କେବଳ ଏତିକି କହିଲା – “ମୁଁ ସେ ରାଜାଙ୍କୁ ନ ଦେଖିଲେ ମୋଟେ ବିଭା ହେବିନି । ଏବେ ସେ ସେନାପତିଙ୍କର ଆଉବା ଚାରା କ’ଣ? ବୁଝି ସୁଝି କାର୍ଯ୍ୟ ନ କଲେ ଶେଷରେ ଅନୁତାପ ହିଁ କରିବାକୁ ପଡିବ । ଏହି କଥାକୁ ସେ ସେନାପତି ଜଣକ ବାରମ୍ବାର ଆଲୋଚନା କରୁ କରୁ ହଠାତ୍ ତାର ବି ମନେ ପଡିଗଲା –