ମହେଶ୍ୱର ନିଜ ଲେଙ୍ଗୁଟିରୁ ଖଣ୍ଡିଏ ଦସୀ ଛିଣ୍ଡାଇ ତାକୁ ଦେଲେ ଏବଂ କହିଲେ – ଯେତେବେଳେ ତମେ ମାନେ ଏଠାରୁ ଯିବାପାଇଁ ବାହାରିବ, ସେତେବେଳେ ଏହି ଲେଙ୍ଗୁଟିକୁ ତୁ କହିବୁ –
ଯେବେ ଅଟୁ ମହାଯୋଗୀ ଲେଙ୍ଗୁଟି, ତୁ ବିମାନ ଗୋଟିଏ ହେବୁ ।
ଆଖି ପିଛୁଳାକେ ଆମକୁ ନେଇଣ, ସେଠି ପହଁଚାଇ ଦେବୁ ।
କେଉଁଠି କେଉଁଠି କେଉଁଠି? ? ?
ବାପ ଝିଅଙ୍କର ବିବାହ ରହସ୍ୟ
ସମାଧାନ ହେବ ଯେଉଁଠି ।”
ଏତିକି ମାତ୍ର ସୁତ୍ର ପାଇ ସମର ସିଂହ ସେଠାରୁ ଲେଉଟି ଆସିଲା ନିକୁମ୍ବିଲା ସରୋବର କୂଳକୁ । ସେତେବେଳେ ପାଂଚଦିନ ତ ହୋଇ ଗଲାଣି । ଛବି କୁମାରୀ ଓ ତା ସଙ୍ଗୀମାନେ ଖାଇ ପିଇ ଆନନ୍ଦରେ ଥାଆନ୍ତି ସେଠାରେ । ସେମାନଙ୍କର ଅଭାବ କି ଅସୁବିଧା ଟିକିଏ ବି ହୋଇ ନ ଥାଏ । ସମସ୍ତଙ୍କ ମନ ଖାଲି ଚଙ୍ଗ ଚଙ୍ଗ ହେଉଥାଏ କେମିତି ଶୀଘ୍ର ଶୀଘ୍ର ନିଜ ନିଜ ଘରକୁ ଯିବାପାଇଁ ।
ସମର ସିଂହ ଶୀଘ୍ର ଫେରିଆସିବା ଦେଖି ସମସ୍ତେ ଖୁବ୍ ଆନନ୍ଦରେ କୋଳାହଳ କରି ଉଠିଲେ ସେଠାରେ । ଛବି କହିଲା – ଟିକିଏ ଥୟ ଧର । ସେ କ’ଣ କ’ଣ ସବୁ ଖବର ଆଣିଛନ୍ତି ଆମେ ଆଗେ ତାହା ଶୁଣିବା ।
ଏହା ଶୁଣି ସମସ୍ତେ ଟିକେ ଥୟ ହୋଇ ବସିଲେ । ସମର ସିଂହ ହସ ହସ ମୁହଁରେ ଆଗେଇ ଆସି କହିଲା – ଶୁଣ କୁମାରୀ! ମୁଁ ତୁମ ଜୀବନର ଇତିହାସ କହିବି ।”
ଛବି କହିଲା – “ତାହେଲେ କୁହ ।”