ଏପରି କଥା ଶୁଣି ସେ ସମର ସିଂହ ଖାଲି ହସିଲା । କହିଲା – ଏ କଥା ତୁମେ କାହାକୁ ଶୁଣାଉଛ?
ଛବି କହିଲା – “ଈଶ୍ୱରଙ୍କୁ ।”
ସମର ସିଂହ ପଚାରିଲା – “ମୁଁ ଏସବୁ ଯାହା କହିଲି ଏଥିରେ କଣ କିଛି ଭୁଲ୍ ଅଛି?”
ତହୁଁ ଛବି କହିଲା – “ନା ।”
ସମର ପଚାରିଲା – “ଏଣିକି ବିଭାଘର କଥା?”
ଛବି କହିଲା – “ହେବ ।”
ସମର ପଚାରିଲା – “କିନ୍ତୁ କେବେ?”
ଛବି କହିଲା – “ସବୁ କଥାର ସମାଧାନ ପରେ । ଆଗେ ଦେଈକୁ ଏବଂ ମୋତେ ବିଭା ହୋଇ ସୁଖୀ ହେବ ରାଜପୁତ୍ର?”
ସମର ସିଂହ କହିଲା – “ତେବେ ଶୀଘ୍ର ଶୀଘ୍ର ସମସ୍ତ କାମ ତୁଟାଇ ଆମର ଚାଲ ସେଠାକୁ ଯିବା ।”
ଛବି ପଚାରିଲା – “କେଉଁଠାକୁ?”
ସମର କହିଲା – “ଯେଉଁଠାରେ ଚାଲିଛି ବାପ ଝିଅଙ୍କ ମଧ୍ୟରେ ବିବାହ ରହସ୍ୟ । ସେହିଠାରେ ହିଁ ପହଁଚିଗଲେ ସବୁକଥାର ସମାଧାନ ଆପେ ଆପେ ହୋଇଯିବ ।”
ଛବି ପଚାରିଲା – “ଆମେ ସେଠାରେ ଠିକ୍ ସମୟରେ ପହଁଚି ପାରିବା ତ?”
ସମର କହିଲା – “ନିଶ୍ଚୟ ପହଁଚିବା । ମହେଶ୍ୱରଙ୍କ ଆଜ୍ଞା କ’ଣ କେବେ ବିଫଳ ହୋଇଯିବ?”
ଏ କଥା ଶୁଣି ଛବି ତା’ର ସଙ୍ଗୀ ଲୋକମାନଙ୍କୁ ସେଠାରୁ ବିଦାୟ ଦେଲା । ସେମାନଙ୍କର (ଛବିର ସଙ୍ଗୀମାନଙ୍କର) ତ ସେତେବେଳକୁ ସ୍ମରଣ ଶକ୍ତି ଫେରି ଆସିଥାଏ । ତେଣୁ ଅବାଧରେ ସେମାନେ ଯାଇ ନିଜ ନିଜ ଘରେ ପହଁଚିଲେ । ଛବି କୁମାରୀ ଦୟାରୁ ପ୍ରାଣ ପାଇଲେ ବୋଲି ସେମାନେ ସମସ୍ତେ କହିଲେ ।
ସବୁଆଡେ ହୈ ଚୈ ପଡିଗଲା ଯେଉଁମାନଙ୍କର ପୁଅ ଝିଅମାନେ ସବୁ ମରଣ ମୁହଁରୁ ଲେଉଟି ନିଜ ନିଜ ଘରେ ପହଁଚିଲେ । ସେମାନେ ନିଜ ନିଜ ମାତା ପିତାଙ୍କୁ ଭେଟି ଦର୍ଶନୀ ନେଇ ଦଉଡିଲେ ଛବି କୁମାରୀ ପାଖକୁ ।
ଏଣେ ରାଜା ଆସି ପହଁଚିଲେ ସେନାପତିଙ୍କ ବସା ଦୁଆରେ । ତାଙ୍କ ରହିବା ପାଇଁ ସେନାପତି ତ ଆଗରୁ ସବୁ ପ୍ରକାର ବନ୍ଦୋବସ୍ତ କରିଥାନ୍ତି । ତେଣୁ କିଛି ବି ଅସୁବିଧା ନ ଥାଏ । ପ୍ରଥମେ ରଖିବା ଓ ଖାଇବା ପିଇବା କଥା ବଢିଯିବା ପରେ ସେନାପତି ମଇନାକୁ ଡକାଇ ପଠାଇଲେ ବର ଦେଖିବାକୁ ।
ମଇନା କହିଲା – “ମୁଁ ସେ ରାଜାଙ୍କୁ ଦେଖାକଲାବେଳେ ଏକା ସେନାପତି ଓ ତାଙ୍କ ଘରଣୀଙ୍କ ଛଡା ତାଙ୍କ ପାଖରେ ଆଉ କେହି ବି ରହିବେନି । ଶେଷରେ ସେହି କଥା ହିଁ ହେଲା । ଏହି କଥା ଶୁଣି ସୈନ୍ୟ ସାମନ୍ତମାନେ ଟିକିଏ ଅନ୍ତରାଳକୁ ଗଲେ । ରାଜା ତାଙ୍କ ସିଂହାସନରେ ବସିଥାନ୍ତି । ତାଙ୍କ ପାଖରେ ଠିଆ ହୋଇଥାନ୍ତି ତାଙ୍କ ସେନାପତି ।”