ପାଳିତା ବୋଉ ସାଙ୍ଗରେ ଓଢଣା ପକାଇ ଧୀରେ ଧୀରେ ଆସିଲା ମଇନା । ସେ ରାଜାଙ୍କ ପାଦଧରି ତାଙ୍କ ଗୋଡତଳେ ପଡିଲା । ପୁଣି ତାଙ୍କ ପାଦଧୂଳି ନିଜ ମୁଣ୍ଡରେ ମାରି ମଇନା କହିଲା – ଆଗେ ହୋଇଥିଲ ବାପ,
ଏବେ କିମ୍ପା ହେଲ ସାପ?
ଏହି କଥା ଶୁଣି ହଠାତ୍ ଚମକି ପଡିଲେ ସେ ରାଜା । କହିଲେ କ’ଣ?
ମଇନା କହିଲା –
“ଝିଅକୁ କେଉଁଠି ବିଭା ହୁଏ ବାପ ଶୁଣା ନାହିଁ କାନେ କେବେ,
କାଳ ଯାଇ ପଶି ଯିବାରୁ ଲଟାରେ ଲାଗିଛି ତାଣ୍ଡବ ଏବେ ।”
ଏହି ପରି କଥା ଶୁଣି ଶୁଣି ଆସ୍ତେ ଆସ୍ତେ ସେ ରାଜାଙ୍କ ମୁଣ୍ଡ ଗରମ ହୋଇ ଆସିଲା । ତହୁଁ ସେ ପଚାରିଲେ ତୁ କ’ଣ ପାଗଳିନୀ?
ମଇନା କହିଲା – “ବାପା! ଆପଣ ସିନା ପାଗଳ ହୋଇଛନ୍ତି, ମଇନା କାହିଁକି ପାଗଳିନୀ ହେବ?
ମଇନା! ରାଜାଙ୍କ ଓଠ ପାଟି ହଠାତ୍ ଥରି ଉଠିଲା । ତାଙ୍କ ଆଖିରୁ ଝର ଛୁଟିଲା ପରି ବହି ଆସିଲା ଦୁଇ ଧାର ତତଲା ଅଶ୍ରୁ । ସେ ଆଉ ଧୈର୍ଯ୍ୟ ଧରି ରହି ପାରିଲେନି । ବାଧା ବାରଣ ନୀତି ନିୟମକୁ ଅପେକ୍ଷା ନ ରଖି ସେ ଯାଇ ଓଢଣା ଟେକିଦେଲେ ମଇନାର । ତାଙ୍କ ଆଖି ଓ ମନର ସମସ୍ତ ଦ୍ୱନ୍ଦ୍ୱ ନିବାରଣ ହେଲା । ପାଇଛି ପାଇଛି ବୋଲି ସେ ମଇନାକୁ ଟାଣି ନେଲେ ଆପଣାର ତତଲା ଛାତି ଉପରକୁ ।