କିଛି ବି ପ୍ରତିବାଦ କରିବାକୁ ଆଉ ସେ ରାଜାଙ୍କ ତୁଣ୍ଡ ଖୋଲିଲାନି । ତେଣୁ ସେ ବାଧ୍ୟ ହେଲେ ସମର ସିଂହର କଥା ମାନି ନେବାକୁ । ତା’ପରେ ସମସ୍ତେ ଡମପଡାକୁ ଫେରିଗଲେ । ପ୍ରଥମେ ସେମାନଙ୍କୁ ଦିଆଗଲା ଶହେ ଖଣ୍ଡ ମୌଜା ପୁରସ୍କାର ରୂପେ । କାଳକ୍ରମେ ସେ ସେଥିରେ ସର୍ବରାକାର ହୋଇ ପୁରୁଷାନୁକ୍ରମେ ଉପଭୋଗ କରିବେ ।
ତା’ପରେ ରାଣୀମାନଙ୍କୁ କାରାଗାରରୁ ଖଲାସ କରାଗଲା । ସେମାନେ ନିଜ ନିଜ ଝିଅ ମାନଙ୍କୁ ପାଖରେ ପାଇ ଖୁବ୍ ଆତ୍ମହରା ହେଲେ ଏବଂ ପ୍ରତିଜ୍ଞା କଲେ ଆଉ ସେମାନଙ୍କ ମଧ୍ୟରେ କେବେବି ସେ ସପତଣୀ ବିବାଦ ନ ରଖି ଏଣିକି ପରସ୍ପର ମନ ମିଳାଇ ଚଳିବେ । ମଇନା ଓ ଛବି ଦୁହେଁ ସେ ସମର ସିଂହର ପାଣି ଗ୍ରହଣ କରି ସୁଖିନୀ ହେଲେ । ଯେଉଁ ଦେଶର ରାଜପୁତ୍ର ଓ ରାଜକନ୍ୟା ମାନଙ୍କୁ ଛବି କୁମାରୀ ସେ କପାଳିର ଆଶ୍ରମରୁ ବଂଚାଇ ଆଣିଥିଲା, ସେମାନଙ୍କ ବାପମାନେ ଭେଟି ଦର୍ଶନୀ ଘେନି ପହଁଚିଲେ ଡମପଡାରେ । ସେମାନେ ସମସ୍ତେ ଛବି କୁମାରୀକୁ ବହୁତ ବହୁତ ଅଭିନନ୍ଦନ ଜଣାଇଲେ ।
ଦାନ ଯୌତୁକ ନେଇ ଯଥା ସମୟରେ ସେ ସମର ସିଂହ ଫେରିଗଲା ଆପଣା ରାଜ୍ୟ ବଲାଙ୍ଗୀରକୁ । ପୁଅବୋହୂକୁ ପାଇ ସେଠାକାର ରାଜା ରାଣୀ ବି ଅତ୍ୟନ୍ତ ଆନନ୍ଦ ହେଲେ । ସେଠାରେ ତ ଭୋଜୀ ଭାତର ଖାଲି ସୁଅ ଛୁଟିଲା । ଡମପଡା ଠାରୁ ଆରମ୍ଭ କରି ବଲାଙ୍ଗୀର ପର୍ଯ୍ୟନ୍ତ ଲୋଭୀ ଲୋକମାନେ ଖାଇ ଖାଇ କେବଳ ବଦହଜମୀ ଭୋଗିଲେ ।