ମଇନା ପଚାରିଲା – “ଯଦି ଏଭଳି ଏକ ସ୍ଥାନ ନ ମିଳେ?”
ଛବି କହିଲା – “ତେବେ ସନ୍ନ୍ୟାସିନୀ ହୋଇ ଆମେ ଦୁହେଁ କାଳ କଟାଇବା ।” କାହାରିକି ଆମେ ମୋଟେ ହିଂସା କରିବାନି । ବରଂ ପାରିଲେ ପରର କିଛି ଉପକାର କରିବା, ନ ପାରିଲେ ଫଳ ମୂଳ ଖାଇ ଲାଗିବା ଈଶ୍ୱରଙ୍କ ସେବାରେ ।
ମଇନା କହିଲା – ‘ସବୁ କଥା ହେବ, ମାତ୍ର ଥରେ ବାପାଙ୍କୁ ଏ ବିଷୟରେ ପଚାରିବା ନିହାତି ଦର୍କାର । ସେ ଆମପାଇଁ ବହୁତ କଷ୍ଟ କରିଛନ୍ତି । ତାଙ୍କୁ ନ ପଚାରିଲେ ଭାରି ଦୁଃଖ କରିବେ ସେ ।”
ଛବି କହିଲା – “ଯେବେ ପଚାରିବା, ତେବେ ଆମ ବୋଉମାନଙ୍କୁ ଛାଡିବା କାହିଁକି?”
ମଇନା କହିଲା – ହଁ, ସେମାନଙ୍କୁ ବି ପଚାରିଦେବା ।
ଏହିପରି କଥାବାର୍ତ୍ତା ହୋଇ ସେଦିନ ରାତିକି ସେମାନେ ପ୍ରଥମେ ଯାଇ ପଚାରିଲେ ନିଜ ନିଜ ବୋଉମାନଙ୍କୁ । ଦି’ଭଉଣୀଙ୍କ ଭିତରେ କେଉଁଦିନ ଏତେ କଥା ହୋଇଯାଇଛି, ସେ କଥା ତ ସେମାନଙ୍କ ବୋଉମାନେ ଆଦୌ ଜାଣି ନଥିଲେ । ତେଣୁ ପ୍ରଥମେ ସେମାନଙ୍କ ବୋଉମାନଙ୍କୁ ଏହି ସବୁ କଥା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହେବାକୁ ପଡିଲା । ତା’ପରେ ଝିଅମାନଙ୍କୁ ସେମାନେ ଲାଗିଲେ ଖୁବ୍ ବୁଝାଇବାକୁ ।
ବଡ ରାଣୀ ତା ଝିଅ ଆଗରେ ସାନ ରାଣୀର ଦୁର୍ଗୁଣମାନ କହି ତାକୁ ମନାକଲା ସାନ ରାଣୀର ଝିଅ ସଙ୍ଗେ ମିଶିବାକୁ । ସାନ ରାଣୀ ବି ତା ଝିଅ ଆଗରେ ବଡ ରାଣୀର ଦୁର୍ଗୁଣମାନ କହି ତାକୁ ମନାକଲା ବଡ ରାଣୀର ଝିଅ ସଙ୍ଗେ ମିଶିବାକୁ । ମାତ୍ର ସେମାନଙ୍କ ପ୍ରରୋଚନା ସୁଅ ପାଣି ମୁହଁରେ ବାଲି ବନ୍ଧ ଦେଲା ପରି କିଛି ବି କାମକୁ ଆସିଲାନି ।
ମଇନା ଓ ଛବି କହିଲେ – “ତୁମ ଦିହିଁଙ୍କ ଭିତରେ ସିନା ମନାନ୍ତର ଅଛି ।” ହେଲେ ଆମେ ତ ଏକ ବାପର ଦି’ଝିଅ, ଦି’ଭଉଣୀ, ଆମ ଭିତରେ ପୁଣି କାହିଁକି ଅମେଳ ରହିବ? ତୁମେ ଯେବେ ଅମେଳ ରହିବାକୁ ଇଚ୍ଛା କରୁଛ, କର । କିନ୍ତୁ ଆମେ ଦି’ଭଉଣୀ ଏକାଠି ରହିବୁ । ଏ କଥା ଶୁଣି ସେ ଦି’ ରାଣୀଯାକ ଯାହା ପ୍ରମାଦ ଗଣିଲେ । ମନେ ମନେ ସେମାନେ ଭାବିଲେ – ଏ ଦିହିଁଙ୍କି କିପରି ଆମେ ଅଲଗା କରିବା ।
ସାନ ରାଣୀର ଗୋଟିଏ ତେଲୁଣୀ ସାଙ୍ଗରେ ଭାରି ଭାବ ଥାଏ । ସେ ସାନରାଣୀ ତା ଜୀବନର ସବୁ ଭଲ ମନ୍ଦ କଥା ସେ ତେଲୁଣିକି ପଚାରିକିରି କରେ । ଆଜିକାର ଏ ସାମାନ୍ୟ କଥା ପାଇଁ କିପରି କ’ଣ କରାଯିବ, ବୋଲି ତାକୁ ଡକାଇ ପଚାରିବାରୁ, ସେ ତେଲୁଣି ଜଣକ କହିଲା – ମହାଦେଈ! ଆପଣ ଯେବେ ମୋତେ ଥରେ ଖାଲି ହୁକୁମ୍ ଦେବେ, ତେବେ ମୁଁ ମୋ ବୁଦ୍ଧି ବଳରେ ଏ ମଇନାକୁ ଏଠୁ ହଟାଇ ଦେବି । ଏ ଦେଶ ଦୁନିଆରୁ ସେ ମଇନା ଚାଲିଗଲେ ଛବିଦେଈ କଣ ବଳେ ମୋଡିମାଡି ହୋଇ ରହିଯିବେନି କି?”