ଏହି କଥାଟା ସାନ ରାଣୀକି ଭାରି ଆନନ୍ଦ ଲାଗିଲା । ତେଣୁ ସେ ସାନରାଣୀ ତେଲୁଣୀକି ହଜାରେ ଟଙ୍କା ଲାଂଚ ଦେଇ ତାକୁ କହିଲା ନେ, ଯେତେ ଚଂଚଳ ପାରୁ ସେତେ ଚଂଚଳ ତୁ ସେ ମଇନାକୁ ରାସ୍ତାରୁ ହଟାଇଦେ ।
ଟଙ୍କା ପାଇ ତେଲୁଣୀ ତ ଖୁବ୍ ଖୁସୀ ହେଲା ଏବଂ ଧୀରେ ଧୀରେ ଯାଇ ଦେଖାକଲା ମଇନାକୁ । ତେଲୁଣୀ ଜଣକ ତ ମଇନାକୁ ଖୁବ୍ ଟେକାଟେକି କରି କହେ । ଆଖି ନ ଦେଖିଲା ଓ କାନ ନ ଶୁଣିଲା କଥାମାନ ସବୁ ସେ ତେଲୁଣୀ ତାକୁ ଶୁଣାଏ । ହସ ଖୁସି ଉଠିଲାପରି ଖାଲି ସେ କାହାଣୀ କହେ । ବେଳେ ବେଳେ ଦିହେଁ ଯାଆନ୍ତି ନଦୀ କୂଳକୁ ବୁଲିବା ପାଇଁ । ଦେଖୁ ଦେଖୁ ଦିହିଁଙ୍କ ମନ ବେଶ୍ ମିଳିଗଲା । ଏଣେ ସେ ତେଲୁଣୀ ତ ଖାଲି ବେଳ ଉଣ୍ଡୁଥାଏ । ଛବି ଓ ମଇନା ଯେତେବେଳେ ଏକାଠି ହୁଅନ୍ତି, ସେତେବେଳେ ସେ ତେଲୁଣୀ ଜଣକ ମୋଟେ ଦେଖା ଦିଏନି । ଏକୁଟିଆ ବେଳେ ସେ ତେଲୁଣୀ ଆସି ମଇନା ସଙ୍ଗେ ମିଶେ ।
ଦିନକର କଥା । ମଇନା ଓ ସେ ତେଲୁଣୀ ନଦୀ ବାଲିରେ ବସି ଗପସପ ହେଉଥାନ୍ତି । ଠିକ୍ ଏତିକିବେଳେ କଥା ପ୍ରସଙ୍ଗରେ କହୁ କହୁ ସେ ତେଲୁଣୀ ଜଣକ କହି ପକାଇଲା – “ଦେଈ ଗୋ! ଏଠୁ ଅଳ୍ପ ଦୂରରେ ଖଣ୍ଡେ ନିଘୋଡ ବଣ ଅଛି । ସେହି ବଣର ଗୋଟିଏ କୂଅ ଭିତରେ ଅଛନ୍ତି ଯୋଡାଏ ସୁନାର ନେଉଳ । ଦେଖିବାକୁ ସେମାନେ ଭାରି କୌତୁକିଆ । ମଣିଷକୁ ତାଙ୍କର ମୋଟେ ଡର ଭୟ ନାହିଁ । ପାଖକୁ ଯାଇ ସେହି ନେଉଳ ମାନଙ୍କୁ କଡି କଡି ବୋଲି ଡାକିଲେ ସେମାନେ ଦଉଡି ଆସି ମଣିଷର କାନ୍ଧରେ, ମୁଣ୍ଡରେ ବସନ୍ତି । କେତେ ପ୍ରକାର ଗେଲବସର ହୋଇ ସେମାନେ ମଧ୍ୟ ଖେଳନ୍ତି । ଖାଇବାକୁ ଦେଲେ ସେମାନେ ଖାଇ ପିଇ ସିଧା ଚାଲିଯାଆନ୍ତି ଆପଣା ବସାକୁ ।
ସୁନା ନେଉଳ କଥା ଶୁଣି ମଇନାର ମନଟା ଖାଲି ହାଇଁ ପାଇଁ ହୋଇ ଉଠିଲା ସେମାନଙ୍କୁ ଦେଖିବାକୁ । ତେଣୁ ମଇନା ପଚାରିଲା “ଆଚ୍ଛା, ତାଙ୍କୁ ଧରିଆଣି ଘରେ ରଖିଲେ ସେମାନେ କ’ଣ ଆମ ପୋଷା ମାନିବେନି ।”
ତେଲୁଣୀ କହିଲା – ମାନିବେନି କାହିଁକି? ତୁମ ଭଳିଆ ରାଜାଘର ନ ହେଲେ ସୁନାର ନେଉଳ ପୋଷି ତାକୁ ପୁଣି ଚଳାଇ ପାରିବ କିଏ? ତାଙ୍କ ପିଛା ପରା ନିତି ପାଂଚଟଙ୍କା ଖର୍ଚ୍ଚ ହେବ?
ମଇନା କହିଲା – ମୁଁ ସେମାନଙ୍କୁ ଟିକିଏ କିପରି ଦେଖନ୍ତି?
ତେଲୁଣୀର ମନ୍ତ୍ର ମଇନାକୁ ଠିକ୍ କାଟୁ କରିଛି ଦେଖି ସେ ତେଲୁଣୀ ବି ତା ମନେ ମନେ ଭାରି ଖୁସୀ ହେଲା ଏବଂ କହିଲା “ଚାଲୁନା ଦେଈ! ଏହି ତ ଅଳ୍ପ ବାଟ, ଘଡି ଗୋଟାଏ ଲାଗିବକି ନାହିଁ, ସେହି ନେଉଳମାନଙ୍କୁ ଟିକେ ଦେଖି ଆସିବ ।”
ମଇନା ପଚାରିଲା – ତାଙ୍କୁ ଆମେ ଖାଇବାକୁ ଦେବା କ’ଣ?