ଅନ୍ୟ ମାନଙ୍କୁ ଠକି ଠାକି ଯାହା ସେ ଆଣେ, ସବୁ ନିଜ ପେଟକୁ ଖାଇଦିଏ । ଠକେଇ ଧରା ପଡିଲେ ବିନା ଓଜର ଆପତିରେ ସେ ତା ପିଠି ଦେଖାଇ ଦିଏ । କହେ ବାବୁ ଯାହା ପୁଞ୍ଜାଏ ଦି’ପୁଞ୍ଜା ମାରିବାର କଥା ମାର, ମୁଁ ପୁଣି ଅନ୍ୟ ଆଡେ ଯିବି ମୋ ପେଟ ଖବର ବୁଝିବାକୁ ।
ସେହି ନୁଖୁରୀ ତନ୍ତିଆଣୀ ଦୁନିଆରେ ଗୋଟିଏ ଅପଦାର୍ଥ । କଲ୍ୟାଣମୟୀ ମାତୃ ଜାତିରେ ଜନ୍ମ ହୋଇ ରାକ୍ଷସୀ ଅପେକ୍ଷା ଆହୁରି କ୍ରୁରା ସେ । ତା’ରି ସଙ୍ଗେ ପୁଣି ଏ ବଡ ରାଣୀର ଖୁବ୍ ଭାବ । ତେଣୁ ସେ ବଡ ରାଣୀ ସେହି ନୁଖୁରୀ ତନ୍ତିଆଣୀକୁ ଡକାଇ କିପରି ଛବିକୁ ହଟାଇ ଦିଆଯିବ, ସେଥିଲାଗି ପରାମର୍ଶ ଲୋଡିଲା ।
ନୁଖୁରୀ କହିଲା – ସେଥିପାଇଁ ତୁମେ ଆଦୌ କିଛି ବି ଚିନ୍ତା କରନା ସାଆନ୍ତାଣୀ! ମୋତେ ହୁକୁମ୍ ଦେଲେ ମୁଁ ଦିନ ଦି’ଟା ଭିତରେ ଦେଖିଲା ଭଳି କିଛି କାମ ଅବଶ୍ୟ କରିଦେବି ।
ତହୁଁ ସେ ବଡରାଣୀ କହିଲା – ଛବିକୁ ଜୀବନରୁ କେବେବି ମାରି ଦେବୁନି । କେବଳ ତାକୁ କୁଆଡେନି କୁଆଡେ ହଟାଇ ଦେବୁ । ଯେପରିକି ସେ ଆଉ ଏ ରାଇଜକୁ କେବେବି ଆସି ପାରିବନି ।
ନୁଖୁରୀ କହିଲା – ବାସ୍ ବାସ୍ ତୁମେ ସେତିକି କୁହ । ମୁଁ ଏଥର ସବୁ କିଛି ଠିକ୍ କରିଦେବି । ଏପରି କଥା ସେ ନୁଖୁରୀଠୁ ଶୁଣି ବଡରାଣୀ ବି ତାକୁ ନଗଦ ଗଣିଦେଲା ହଜାରେ ଟଙ୍କା । ସେତିକି ନେଇ ସେ ରାକ୍ଷସୀ ତନ୍ତିଆଣୀ ଚାଲିଲା ଓର ଉଣ୍ଡି ଉଣ୍ଡିକା ।
ଦିନ ଠିକ୍ ଅଢେଇ ପହର ବେଳେ ଛବି ଆସିଲା ମଇନାକୁ ଖୋଜି ଖୋଜିକା ନଦୀ କୂଳକୁ । ସବୁଦିନ ପରି ମଇନାର ଦେଖା ନ ପାଇବାରୁ ଛବିର ମନଟା ଖାଲି କେମିତି କେମିତି ଲାଗୁଥାଏ । ତେଣୁ ସେ ବିରସ ହୋଇ ବସିଲା ଯାଇ ଖଣ୍ଡେ ପଥର ଉପରେ । ସେ ତା ମନେ ମନେ ଗୁଣୁ ଗୁଣୁ ହୋଇ ପଦେ କ’ଣ ଗୀତ ବୋଲୁଥାଏ । ଠିକ୍ ଏତିକିବେଳେ ସେଠାରେ ପହଁଚିଲା ନୁଖୁଣୀ । ପାଚିଲା ହସ ଖଣ୍ଡେ ହସି ଦେଇ ସେ ନୁଖୁଣୀ କହିଲା – “ଆଗୋ ଜେମାଦେଈ! ଆମର ତୁମେ ଏଠି ଏକାକିନୀ ମନମାରି ଦେଇ ବସିଛନ୍ତି କାହିଁକି?”
ଛବି ପଚାରିଲା – ନୁଖୁରୀ ତୁ ମୋ ଦେଈକି ଦେଖିଛୁ କି?
ଏହି କଥା ପଦକ ଉତ୍ତମ ଖୋରାକି ଯୋଗାଇ ଦେଲା ପରି ଲାଗିଲା ସେ ନୁଖୁରୀକି । ପ୍ରତାରକ ଓ ପ୍ରତାରକାରିଣୀ ଲୋକମାନଙ୍କ ମୁଣ୍ଡରେ ତ ଖୁବ୍ ଶୀଘ୍ର ଦୁଷ୍ଟ ବୁଦ୍ଧି ସବୁ ପଇଟି ଯାଏ । ତେଣୁ ସେ ଛବି କୁମାରୀ ମୁହଁରୁ ଏପରି କଥା ପଦକ ଶୁଣିବା ମାତ୍ରେ ସେ ନୁଖୁରୀ କହିଲା – ଆଗୋ ଛବି ଦେଈ! ମଇନା ଦେଈ ପରା ସେବାଟେ ଗଲେ ବନ ବିହାର କରିବାକୁ । ମୋତେ ପରା ଏଣେ ସେ ପଠାଇଲେ ତୁମକୁ ମୋ ସଙ୍ଗରେ ନେବାପାଇଁ ।
ଛବି ତହୁଁ ପଚାରିଲା – “କେଉଁଠାକୁ?”