ନୁଖୁରୀ କହିଲା – “ଏଠୁ ଅଳ୍ପ ଦୂରରେ ଅଛି ଖଣ୍ଡିଏ ବଣ ଯେ ସେ ବଣଟି ଖାଲି ଫୁଲ ଗଛରେ ଭରା । ତେଣୁ ସେଠାରେ ମହୁ ବି ଅନେକ ହୁଏ । ତା ଭିତରେ କେତେଗୁଡିଏ ଲତା ଅଛି ଯେ ସେଥିରୁ ଖାଲି ମିଠାରସ ହିଁ ଝରେ । ତାକୁ ପିଇଲେ ମନ କୁଆଡେ ଭାରି ଶାନ୍ତ ହୋଇଯାଏ । ସେଠାରେ ଏମିତି ଗୋଟିଏ ଗଛ ଅଛି ଯେ ସେଥିରେ ଯେତେ ଡାଳ, ଫୁଲ ଫୁଟେ ସେତେ ପ୍ରକାର । ସେ ସବୁ ଫୁଲର ମହକ ବି ଗୋଟିଏ ପ୍ରକାର । ସେଥିରୁ ଫୁଲଟିଏ ନେଇ ନିଜ ବେଣୀରେ ଖୋସିଦେଲେ ମାସକ ଯାଏଁ ମହକ ରହିଯାଏ ।
ଏମିତି ଏମିତି ସେ ବଣର ଅଶେଷ ପ୍ରକାର ପ୍ରଂଶସା ଶୁଣି ସେହିଠାକୁ ଯିବାକୁ ଛବିର ବି ପ୍ରବଳ ଇଚ୍ଛା ହେଲା । ତେଣୁ ସେ ଛବି ଅନ୍ୟ କଥା କିଛି ନ ଭାବି ସିଧା ବାହାରିଲା ନୁଖୁରୀ ସାଙ୍ଗରେ ସେ ଯାଗାକୁ ଯିବା ନିମନ୍ତେ ।
ବହୁ ଦୂର ଦୂରାନ୍ତର ନିବିଡ ବଣ ଭିତରେ ଥାଏ, ଗୋଟାଏ କପାଳୀ ମୁନି । ସେ କେବଳ କାଳୀ ସାଧନା କରୁଥାଏ । ସେ ପ୍ରତିଜ୍ଞା କରିଥାଏ ଯେ, ସାତୋଟି କୁମାରୀ ବଳି ଦେଇ ମା’ କାଳୀଙ୍କଠୁ ବରଲାଭ କରିବାକୁ । ଏ ନୁଖୁରୀ ସଙ୍ଗେ ସେ କପାଳୀ ମୁନିର ବି ଥାଏ ଭଲ ପରିଚୟ । ବେଳେ ବେଳେ ସେ କପାଳୀ ନୁଖୁରୀକୁ କହେ, ଗୋଟିଏ କୁମାରୀ ଦେଲେ ତା ବଦଳରେ ତୋତେ ମୁଁ ପାଂଚ ଟଙ୍କା ଦେବି ବୋଲି । ନୁଖୁରୀ ବି କେବଳ ସେ କପାଳୀକୁ ସଙ୍କେତ ଦେଇଥାଏ ନିତି ଆସି ସଞ୍ଜବେଳିଆ ଗୋଟିଏ ଆମ୍ବ ତୋଟାରେ ବସିବାକୁ । ତେଣୁ ସେ କପାଳୀର କିଛି କାମ ଥାଉ ବା ନ ଥାଉ ଦିନକେ ଥରଟାଏ ସେ ଆସି ଆମ୍ବତୋଟାରେ ଟିକେ ବୁଲି ପୁଣି ସେଠୁ ଚାଲିଯାଏ ।
ସେଦିନ ଯୋଗକୁ କପାଳୀ ଆସିବାକୁ ନୁଖୁରୀ ବି ଛବିକି ନେଇ ସେଠାରେ ପହଁଚିଲା । ସେ କପାଳୀ ତ ମନ୍ତ୍ରଧୂଳି ଜାଣେ । ନୁଖୁରୀ ଠାରୁ ଇସାରା ପାଇଲା ମାତ୍ରେ ତୁରନ୍ତ ସେ କପାଳୀ ପାଂଚ ଟଙ୍କା ନେଇ ନୁଖୁରୀକୁ ଦେଲାରୁ ସେ ଗଲା ତା ଘରକୁ । ଛବିର ମୁଖ ବନ୍ଧନ ଓ ତା ମନ ମୋହିତ ହୋଇଥିବାରୁ ସେ ବି ଆଉ କିଛି ପ୍ରତିବାଦ କରି ପାରିଲାନି । ତେଣୁ ଏଥର ସେ କପାଳୀ ଛବିକୁ ବାନ୍ଧି ନେଇଗଲା ଅଗନା ଅଗନି ବନସ୍ତକୁ ।
ଏଣେ ତ ଖୋଜା ପଡିଲା ଝିଅ ମାନଙ୍କୁ । ଦି’ରାଣୀଯାକ ଖାଲି ନିଜ ନିଜ ମୁଣ୍ଡ ବାଡେଇ ବାଇବିଚ୍ଛା ଭଳି କାନ୍ଦି କାନ୍ଦି ଗଡୁଛନ୍ତି । ସେମାନଙ୍କୁ ଯିଏ ଯେତେ ପ୍ରକାର ସାନ୍ତ୍ୱନା ଦେଲେ ବି ସେମାନେ କାହା କଥା କିଛି ବି ଆଦୌ ଶୁଣୁ ନଥାନ୍ତି । ସାନ କହୁଥାଏ ବଡ ମୋ ଝିଅକୁ ଚୋରାଇ ନେଇ କୁଆଡେ ମାରି ପକାଇଛି । ତେଣେ ବଡ ବି କହୁଥାଏ ସାନ ମୋ ଝିଅକୁ ନେଇ କାହାକୁ ଦେଇ ଦେଇଛି । ଏମିତି ଏମିତି ଏ କଥାଟା ରାଜାଙ୍କ କାନକୁ ଗଲା । ରାଜା ଏ ଖବର ପାଇ ଖୁବ୍ କାନ୍ଦିଲେ; ବ୍ୟସ୍ତ ହେଲେ, ଆସିଲେ ଦି’ରାଣୀଙ୍କ ଉଆସ ଦେଖିବାକୁ । କଥା କ’ଣ ବୋଲି ପଚାରି ସେମାନଙ୍କଠାରୁ ରାଜା ଯାହା ବୁଝିଲେ, ସେଥିରେ ତାଙ୍କର ମନ ଆଦୌ ମାନିଲା ନାହିଁ । ତେଣୁ ସେ ରାଜା ଗଣକ ଡକାଇ ଗଣନା କରାଇଲେ ।