ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଖଦେବ ଜାତକ

ଆଗ କାଳରେ ବିଦେହ ବୋଲି ଏକ ରାଜ୍ୟ ଥିଲା । ତା’ର ରାଜା ଥିଲେ ମଖଦେବ । ତାଙ୍କର ରାଜଧାନୀ ଥିଲା ମିଥିଳା । ସେ ଜଣେ ଅତି ଉଦାର ଶାସକ ଥିଲେ । ପ୍ରଜାମାନଙ୍କୁ ନିଜର ପୁଅ ଭଳି ପାଳୁଥିଲେ । ଧର୍ମକାର୍ଯ୍ୟରେ ତାଙ୍କର ମନ ଥିଲା । ବିଦେହର ପ୍ରଜାମାନେ ଅତି ସୁଖରେ ଥିଲେ ।

       ଦିନକର କଥା । ଭଣ୍ଡାରୀ ରାଜାଙ୍କ ବାଳ କାଟିଦେଉଥିଲା । ରାଜା ତାକୁ କହିଲେ – “ଯଦି ମୋ ମୁଣ୍ଡର କୌଣସି ବାଳ ଧଳା ହୋଇଯାଇଥିବ ତେବେ ମତେ କହିବୁ ।”

       କେତେଦିନ ବିତିଗଲା । ଦିନେ ଭଣ୍ଡାରୀ ରାଜାଙ୍କ ବାଳ କାଟିବାବେଳେ ଦେଖିଲା ଯେ ରାଜାଙ୍କ ମୁଣ୍ଡର ଗୋଟିଏ ବାଳ ଧଳା ଦେଖାଯାଉଚି । ଭଣ୍ଡାରୀ ସେକଥା ରାଜାଙ୍କୁ ଜଣାଇଲା । ରାଜା କହିବାରୁ ଭଣ୍ଡାରୀ ସେଇ ବାଳଟିକୁ ଉପାଡିଆଣି ରାଜାଙ୍କ ହାତରେ ଦେଲା । ରାଜା ତାହା ଦେଖି ମନେମନେ ଭାବିଲେ – “ମୋର ମରଣ ସମୟ ଏବେ ପାଖେଇ ଆସିଲା । ମୁଁ ବଡ ବୋକାମୀ କରୁଚି । ଏତେ ଦିନ ଚାଲିଗଲା, ତଥାପି ସଂସାରର ମାୟା ଛାଡିପାରିଲି ନାହିଁ । ମରଣ ବେଳ ତ ହେଲା, ଆଉ କେବେ ଏ ମାୟା ଛାଡି ମଂଗଳ କାର୍ଯ୍ୟ ରେ ମନଲଗାଇବି?”

       ସେ ନିଜର ଦାମିକା ରାଜପୋଷାକକୁ ଚାହିଁ ମନେମନେ ବିରକ୍ତ ହେଲେ । ରାଜାର ପୋଷାକ ପିନ୍ଧିବାକୁ ତାଙ୍କୁ ଆଉ ଭଲଲାଗିଲାନି । ସେ ମନରେ ଠିକ୍କଲେ – “ଆଉ କାହିଁକି ଡେରି କରିବି? ଆଜି ସଂସାର ଛାଡି ସନ୍ନ୍ୟାସୀ ହୋଇଯିବି ।”

ସେ ନିଜର ବଡପୁଅକୁ ଡାକି କହିଲେ – “ମୋ ମୁଣ୍ଡର ବାଳ ଧଳା ହୋଇଆସିଲାଣି । ମୁଁ ବୁଢା ହୋଇଗଲିଣି । ବହୁଦିନ ରାଜା ହେଲି, ବହୁତ ସୁଖ ବି ପାଇଚି । ଆଉ ଏ ସବୁ ମୋର ଲୋଡା ନାହିଁ । ମୁଁ ଏ ସଂସାର ଛାଡି ଦେବାକୁ ଠିକ୍ କରିଚି । ମୁଁ ଆଜି ରାଜଗାଦି ଛାଡି ଦେଇ ସନ୍ନ୍ୟାସୀ ହୋଇଯିବି । ତୁମେ ରାଜଗାଦିରେ ବସ । ଆମ ଏଇ ନଗର ବାହାରେ ଯେଉଁ ଆମ୍ବବଗିଚା ଅଛି ମୁଁ ସେଠାରେ ଗୋଟିଏ କୁଡିଆରେ ରହି ଜନ ମଂଗଳ କାର୍ଯ୍ୟରେ ନିଜକୁ ଲିପ୍ତ କରିବି। ସେଥିରେ ମୁଁ ଆନନ୍ଦ ପାଇବି ।”

       ମିଥିଳା ନଗରୀରେ ଏଇ ଖବର ଖେଳିଗଲା । ସମସ୍ତେ ଶୁଣିଲେ ଯେ ରାଜା ସନ୍ନ୍ୟାସୀ ହୋଇ ଚାଲିଯାଉଛନ୍ତି । ମନ୍ତ୍ରୀମାନେ ଆସି ରାଜାଙ୍କୁ କହିଲେ – “ମହାରାଜ ! ଆପଣ କାହିଁକି ସନ୍ନ୍ୟାସୀ ହୋଇଯିବାକୁ ମନକରିଛନ୍ତି?”

       ରାଜା ତାଙ୍କ ମୁଣ୍ଡର ଧଳାବାଳଟିକୁ ଦେଖାଇ କହିଲେ – “ଏଇ ଧଳାବାଳ ହେଉଚି ଯମରାଜାଙ୍କ ଦୂତ । ସେମାନେ ମତେ ନେବାକୁ ଆସିଚନ୍ତି । ମୋର ମରଣର ବେଳ ନିକଟ ହେଲାଣି । ମରଣକୁ ଆଗରେ ଦେଖି ମୁଁ ସଂସାର ସୁଖରେ ମାତିରହିବା ଠିକ୍ ହେବନାହିଁ । ଏବେ ଜନ ମଂଗଳ କାର୍ଯ୍ୟରେ ନିଜକୁ ଲିପ୍ତ କରିନେବା ଦରକାର । ସେଥିରେ ସୁଖ ଅଛି । ତେଣୁ ମୁଁ ସନ୍ନ୍ୟାସୀ ହୋଇଯିବାକୁ ମନ କରିଚି ।”

       ରାଜାଙ୍କ କଥା ଶୁଣି ମନ୍ତ୍ରୀମାନେ ତୁନିହେଲେ । ସେଇଦିନ ମଖଦେବ ନିଜର ନଅର ଛାଡିଦେଲେ । ରାଜପୋଷାକ ଛାଡି ସନ୍ନ୍ୟାସୀର ଗେରୁଆଲୁଗା ପିନ୍ଧିଲେ । ସହର ବାହାରେ ଥିବା ଆମ୍ବବଣକୁ ଚାଲିଗଲେ । ସେଠାରେ ଗୋଟିଏ କୁଡିଆରେ ରହିଲେ । ତା’ ପରଠାରୁ ଦିନରାତି ଧ୍ୟାନ କଲେ । ରାଜା ଲୋକଂକୁ ନ୍ୟାୟଗତ ଦର୍ସନଦେଇ ବାକିତକ ଜୀବନ ଜନ କଲ୍ୟାଣରେ ସମର୍ପଣ କଲେ। କିଛି ଦିନ ପରେ ସେ ମୃତ୍ୟୁ ବରଣ କରି ଇତିହାଶରେ ତାରକା ସମ ସୋଭାପାଇଲେ।


ଗପ ସାରଣୀ

ତାଲିକାଭୁକ୍ତ ଗପ