ଅତିଶୀଘ୍ର ବିଜୁଳି ବେଗରେ ଏହି ଘଟଣାଟି ଚାରିଆଡେ ପ୍ରଚାରିତ ହୋଇଗଲା । ଦିଲ୍ଲୀ ବାଦ୍ଶାହା ଆକବର ଏ ଘଟଣା ଶୁଣି, ରଘୁପତି ଓ ସେ ସିପାହୀଟିକୁ ତୁରନ୍ତ ତାଙ୍କ ନିକଟରେ ହାଜର କରିବା ପାଇଁ ଆଦେଶ ଦେଲେ । ଆକବରଙ୍କ ଆଦେଶ ମଧ୍ୟ ସଙ୍ଗେ ସଙ୍ଗେ ପାଳିତ ହେଲା । ବନ୍ଦୀ ରଘୁପତି ଓ ସେ ସିପାହୀ ଯାଇ ଆକବରଙ୍କ ଦରବାରରେ ହାଜର ହେଲେ ।
ସ୍ଥିରମନ ଓ ଧିରଚିତ୍ତରେ ଆଗ ଆକବର ସେ ସିପାହୀଠାରୁ ସମସ୍ତ ଘଟଣା ଶୁଣିଲେ । ସବୁ ଶୁଣି ହଠାତ୍ ତାଙ୍କ ଭିତରେ ଥିବା ମଣିଷ ପଣିଆ ଜାଗି ଉଠିଲା । ତେଣୁ ସେ ସିପାହୀଟିକୁ ବନ୍ଧନରୁ ମୁକ୍ତ ଓ ସେନାବାହିନୀରେ ପୁଣି ନିଯୁକ୍ତି ଦେବାପାଇଁ ଆକବର ଆଦେଶ ଦେଲେ । ତାପରେ ବାଦ୍ଶାହା ଆକବର ସେ ସିପାହୀଟିକୁ କହିଲେ – ତୁମେ ମଧ୍ୟ ଜଣେ ମଣିଷ । ଏ ଦୁନିଆକୁ ତୁମେ ଦେଖାଇ ଦେଇଛ, ଯେ ତୁମେ ପ୍ରଥମେ ଖୁଦା (ଭଗବାନ)ଙ୍କ ସନ୍ତାନ ଓ କେବଳ ତାଙ୍କର ହିଁ ନିର୍ଦ୍ଧେଶ ପାଳନ କରିଛ । ତା’ପରେ ଯାଇ ତୁମେ ହେଉଛ ବାଦଶାହାଙ୍କ ସିପାହୀ ।
ଏଣେ ନୀରବରେ ଠିଆ ହୋଇଥାନ୍ତି ରଘୁପତି ସିଂହ । ରଘୁପତିଙ୍କୁ ବି ମୁକ୍ତ କରିବା ପାଇଁ ଆଦେଶ ଦେଲେ ସେ ମୋଗଲ ସମ୍ରାଟ ଆକବର । ଆକବର କହିଲେ – ସତ୍ୟନିଷ୍ଠ ଭାବରେ ତୁମେ ଯେଭଳି ନିଜର କାର୍ଯ୍ୟ ନିର୍ବାହ କରିଛ ତାହା ତ ଅତ୍ୟନ୍ତ ପ୍ରସଂଶନୀୟ । ସତ କହିବାକୁ ଗଲେ ତୁମେ “କଥା ଓ କାର୍ଯ୍ୟରେ ବାସ୍ତବିକ ଧନୀ ।”
ତାପରେ ପୁଣି ସମ୍ରାଟ ଆକବର କହିବା ଆରମ୍ଭ କଲେ । ସେ କହିଲେ ମୁଁ ମଧ୍ୟ ବୀର, ବାହାଦୁର, ଶତ୍ରୁକୁ ମଧ୍ୟ ପ୍ରଶଂସା କରେ । ତୁମକୁ ମୁଁ କେବଳ ଏତିକି କହିବାକୁ ଚାହେଁ, ଲଢେଇ କରିବାର ଇଚ୍ଛା ତ ସମ୍ମୁଖ ଲଢେଇ କର, ଲୁଚିଛପି ତ ମୋଟେ ନୁହେଁ ।
ମୋଗଲ ସମ୍ରାଟଙ୍କ ଏପରି ବ୍ୟବହାର ଅତ୍ୟନ୍ତ ମୁଗ୍ଧ କଲା ସେ ରଘୁପତିଙ୍କୁ । ତହୁଁ ସେ ରାଜପୁତ୍ ସର୍ଦ୍ଦାର କହିଲେ – ସମ୍ରାଟ କଥା ଦେଉଛି ଆପଣଙ୍କ ତରଫରୁ ଆକ୍ରମଣ ନହେଲେ ମୁଁ ମଧ୍ୟ ଆପଣଙ୍କ ବିରୁଦ୍ଧରେ କଦାପି ଖଡ୍ଗ ଉଠାଇବି ନାହିଁ । ମହାନୁଭବ ଆକବର ପରେ ରଘୁପତିଙ୍କ ଘରକୁ ଯାଇ ତାଙ୍କର ରୋଗଣା ପୁତ୍ରର ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଧେଶ ଦେଇଥିଲେ ।
ସତ୍ୟନିଷ୍ଠ, ନମ୍ରତା, ଜବାବ ରକ୍ଷା ଓ ମଣିଷ ପଣିଆ ଆଦି ମହତ୍ ଗୁଣ ସତରେ ଏ ପୃଥିବୀକୁ ଅତି ସୁନ୍ଦର ଭାବେ ଗଢି ତୋଳିବାରେ ହିଁ ସମର୍ଥ ହେବ ।