ଥରେ ଜଣେ ବ୍ୟକ୍ତି ଏକ ଜଙ୍ଗଲ ମଧ୍ୟ ଦେଇ ଯାଉଥିଲେ । ଅନେକ ବାଟ ଗଲା ପରେ ଖୁବ୍ କ୍ଳାନ୍ତ ହୋଇ ସେ ଏକ ଗଛ ତଳେ ବସିଗଲେ । ଏହି ସମୟରେ ହଠାତ୍ ତାଙ୍କର ନଜର ପଡିଥିବା ଏକ ବୋତଲ ଉପରେ ପଡିଲା । ଏଣେ ତେଣେ ଅନାଇ ସେ ବ୍ୟକ୍ତି ଜଣକ ବୋତଲଟିକୁ ଉଠାଇଲେ । ସେ ବୋତଲଟି ବି ଭାରି ସୁନ୍ଦର ଲାଗୁଥାଏ । ତେଣୁ ଏ ବ୍ୟକ୍ତି ଜଣକ ଅତି ଆଗ୍ରହରେ ବୋତଲଟିକୁ ଦେଖୁ ଦେଖୁ ସେହି ବୋତଲଟିର ଠିପି ଖୋଲି ଦେଲେ । ଠିପି ଖୋଲିଦେଲା ପରେ, ସେ ସମଗ୍ର ଅଂଚଳ ଖାଲି ଧୂଆଁମୟ ହୋଇଗଲା । ଏସବୁ ଦେଖି ସେ ବ୍ୟକ୍ତିଟି ଟିକେ ଭୟ ବି ପାଇଗଲେ । ଏହି ସମୟରେ ସେହି ବୋତଲ ଭିତରୁ ଏକ ବିରାଟକାୟ ଯକ୍ଷ ବାହାରି ଆସି ସେ ବ୍ୟକ୍ତିଟିର ସମ୍ମୁଖରେ ଠିଆ ହୋଇଗଲା ।
ହଠାତ୍ ସେ ବ୍ୟକ୍ତି ଜଣକ ବି ଡରିଗଲେ । ତହୁଁ ସେ ଯକ୍ଷ କହିଲା, ମୋତେ ଦେଖି ତୁମେ ଆଦୌ ଡର ନାହିଁ । ମୁଁ ତୁମର କିଛି ବି କ୍ଷତି କରିବି ନାହିଁ । ତୁମର ଅନୁଗତ ହୋଇ ମୁଁ ତୁମର ସବୁ କାର୍ଯ୍ୟ କରିବି । କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି ।
ଏଥର ଯାଇ ସେ ଡରି ଯାଇଥିବା ବ୍ୟକ୍ତିଟିର ଦେହରେ ଟିକେ ଜୀବନ ପଶିଲା । ତଥାପି ବି ଡରି ଡରି ସେ କହିଲେ ତୁମର କି ସର୍ତ୍ତ ଅଛି ଏବେ କୁହ । ଏକ ବିକଟାଳ ହସ ହସି ସେ ଯକ୍ଷ ଜଣକ କହିଲା, ମୁଁ ତୁମର ସବୁ ନିର୍ଦ୍ଧେଶ ମାନିବି । କିନ୍ତୁ ସବୁବେଳେ ମୋତେ କାର୍ଯ୍ୟବସ୍ତ ରଖୁଥିବ । ଯେଉଁ ମୁହୂର୍ତ୍ତରେ ମୋତେ କାର୍ଯ୍ୟବସ୍ତ ରଖିବ ନାହିଁ ସେହି କ୍ଷଣି ହିଁ ମୁଁ ତୁମକୁ ଖାଇଯିବି ।
ଯକ୍ଷର ଏପରି କଥା ଶୁଣି ସରଗରୁ ଚାନ୍ଦ ପାଇଲା ଭଳି ଏ ବ୍ୟକ୍ତିଟିକୁ ଲାଗୁଥାଏ । ବହୁ ଚିନ୍ତା କରି ଯକ୍ଷଟିର କଥାରେ ଶେଷରେ ସେ ବ୍ୟକ୍ତି ଜଣକ ରାଜି ହୋଇ ଗଲେ ଓ ଯକ୍ଷକୁ ଘର, ଧନ, ସମ୍ପତ୍ତି, ରାଜ୍ୟ ସବୁ କିଛି ମାଗି ପକାଇଲେ । ଯକ୍ଷ ମଧ୍ୟ ସଙ୍ଗେ ସଙ୍ଗେ ସବୁ କାର୍ଯ୍ୟ ପୂରଣ କରି ପରବର୍ତ୍ତୀ ନିର୍ଦ୍ଧେଶକୁ ଅପେକ୍ଷା କରୁଥିଲା ।