ସେନାପତି-ମହାରାଜ!
ମହାରାଜ-କୁହ ସେନାପତି । ନିର୍ଭୟରେ କୁହ?
ସେନାପତି-ମୋ ମତରେ କୌଣସି ଏକ ଯାଦୁକର ଯଦି ସୁବିଧାବାଦୀ ହୋଇଥାଏ ।
ମହାରାଜ-ଉତ୍ତମ ପ୍ରସ୍ତାବଟିଏ; ମାତ୍ର ଯାଦୁକର ଯଦି ସୁବିଧାବାଦୀ ହୋଇଥାଏ?
ସେନାପତି-ସେ ସୁବିଧା ଆମେ ଦବାନି ମହାରାଜ ।
ମହାରାଜ-ନା, ମୋ ମନରେ ଭୟ ଆସୁଚି ସେନାପତି । ଯାଦୁକରକୁ ବିଶ୍ୱାସ କରି ମୁଁ ଏ ସିଂହାସନ ହରାଇବାର ଭୟକୁ ଆପଣେଇ ପାରିବିନି ।
ସେନାପତି-ତେବେ?
ମହାରାଜ-ବରଂ ସର୍ମିଷ୍ଠାର ଛବି ଅଙ୍କନକରି ରାଜ୍ୟସାରା ବାଂଟିଦିଅ, ଘୋଷଣା କର-ଯିଏ ରାଜକୁମାରୀଙ୍କ ସନ୍ଧାନ ଦେବ, ସେ ପାଇବ ପ୍ରଚୁର ପୁରସ୍କାର । ହଁ, ଗୁପ୍ତଚର ସଂସ୍ଥାର କର୍ମଚାରୀମାନଙ୍କ ବେତନ ଦ୍ୱିଗୁଣ ବଢେଇ ଦେଲି । ଅତିରିକ୍ତ ଭତ୍ତା ମଧ୍ୟ ମଞ୍ଜୁର କରିଦେଲି ।
ହଁ ପୁଣି ଶୁଣିରଖ ସେନାପତି-ଦୁଇମାସ ମଧ୍ୟରେ ଯଦି ରାଜକୁମାରୀ ସର୍ମିଷ୍ଠାକୁ ମୁଁ ନ ପାଏ, ତେବେ ସମସ୍ତଙ୍କୁ ନିର୍ମମଭାବେ ମୁଁ ହତ୍ୟା କରିବି । ଯାଅ ସେନାପତି, ଶିଳ୍ପୀ ନୃସିଂହ ପାଣିଗ୍ରାହୀଙ୍କୁ ଆଦେଶ ଦିଅ ।
ସେନାପତି-ଯେ ଆଦେଶ ମଣିମା ।
ଶିଳ୍ପୀ ପାଣିଗ୍ରାହୀ-ଆଦେଶ କରନ୍ତୁ ମଣିମା ।
ମହାରାଜ-ତୁମେ କେବେ ରାଜକୁମାରୀ ସର୍ମିଷ୍ଠାଙ୍କୁ ଦେଖିଚ?
ଶିଳ୍ପୀ ପାଣିଗ୍ରାହୀ-ନା ମଣିମା !
ମହାରାଜ-ତାହେଲେ ନିଅ ଏ ଛବି । ଏହାର ଅବିକଳ ଛବି ସହସ୍ରାଧିକ ଅଙ୍କନ କର । ମାତ୍ର ମନେରଖ ଶିଳ୍ପୀ, ମୂଳ ଛବିସହ ଯେପରି ଅମେଳ ନ ହୁଏ?
ଶିଳ୍ପୀ ପାଣିଗ୍ରାହୀ-ମଣିମାଙ୍କ ଆଦେଶ ଶିରୋଧାର୍ଯ୍ୟ ।
ଏହା ପରେ ମହାରାଜ ସୋମରସ ପାନକଲେ । ସମସ୍ୟା ଭିତରେ ଥିଲେ ସେ ତ ଅତ୍ୟଧିକ ସୋମରସ ପାନ କରନ୍ତି । ଅକଥାଗୁଡା କଥା ବୋଲି ଘୋଷଣା କରନ୍ତି । ସେହି ସମୟରେ ଯୋଉଟା ମୁଣ୍ଡକୁ ଢୁକିଲା, ସେ ହେଲା ବେଦର ଗାର ।
ଅନ୍ୟ ରାଜ୍ୟର ଗଳିକନ୍ଦିରେ ଗୁପ୍ତଚରମାନେ ବସା ବାନ୍ଧିଲେଣି । ନିଜ ରାଜ୍ୟ କଥା ଛାଡ, ରାଜକୋଷରୁ ଲକ୍ଷାଧିକ ସ୍ୱର୍ଣ୍ଣମୁଦ୍ରା ଯାଇ ଖର୍ଚ୍ଚ ହଉଚି ରାଜକୁମାରୀ ସର୍ମିଷ୍ଠାକୁ ଖୋଜିବାରେ । ଏଇଠି ମନରେ ପ୍ରଶ୍ନଉଠେ-ରାଜକୁମାରୀ ସର୍ମିଷ୍ଠା କ’ଣ ମର୍ତ୍ତ୍ୟର ସବୁଠୁ ସୁନ୍ଦରୀ? ନା, ଅନେକ ଗୁଣର ଅଧିକାରିଣୀ? ତେବେ କ’ଣ ପାଇଁ ଏ ନୀଳବର୍ଣ୍ଣ ରାଜା ଏତେ ଅର୍ଥ ଶ୍ରାଦ୍ଧ କରୁଛନ୍ତି ।
ରାଜ୍ୟର ପ୍ରଜା ତଥା ପଣ୍ଡିତମାନେ କାହିଁକି ଚୁପ୍ଚାପ୍ ବସିଛନ୍ତି? ଏମାନଙ୍କର କ’ଣ ଯୁ ନାହିଁ ତୁଣ୍ଡ ଖୋଲିବାକୁ? ବିଦ୍ରୋହ କରିବାକୁ?
ଯୁ ଅଛି; ମାତ୍ର ରାଜାଙ୍କ ପୋଷା ଗୁଣ୍ଡାମାନେ ଯଦି ତାଙ୍କ ସାମନାରେ ଝିଅ ବୋହୂମାନଙ୍କ ଇଜ୍ଜତ ଲୁଟନ୍ତି? ଭେଣ୍ଡିଆ ପୁଅମାନଙ୍କୁ ଯଦି କଂସେଇ ଭଳି ହତ୍ୟା କରନ୍ତି?
ଗୁଣ୍ଡାମାନଙ୍କୁ ପ୍ରତିରୋଧ କରିବାକୁ ସେମାନଙ୍କର ବାହୁରେ ଆଉ ବଳ ନାହିଁ । ଏ ନୀଳବର୍ଣ୍ଣ ଶୃଗାଳ ରାଜା ନ କରିବା କାମ ସବୁ କରୁଚି । ସେ ରାଜ୍ୟ ଶାସନ କରୁନିତ, ହଜାର ହଜାର ଭଡାଟିଆ ଗୁଣ୍ଡାଙ୍କୁ ବାହାର ରାଜ୍ୟରୁ ଆଣି ଏ ରାଜ୍ୟଟାକୁ ଗୁଣ୍ଡା ରାଜ୍ୟରେ ପରିଣତ କରି ସାରିଲାଣି । ଯୁଆଡେ ଦେଖିବ ଖାଲି ହତ୍ୟା, କଟା, ଜଳାଜଳି । ଆଉ କେଇଦିନ ପରେ ବୋଧେ ରାଜ୍ୟଟା ମଶାଣୀପଦା ହୋଇଯିବ । କାହାର ଜୀବନକୁ ଭୟ ନାହିଁ? କାହାର ବା ବଂଚିବାକୁ ଲୋଭ ନାହିଁ?
ରାଜ୍ୟ ପଛକେ ନର୍କକୁ ଯାଉ, ଧ୍ୱଂସ ହେଇଯାଉ, କିନ୍ତୁ ନିଜ ପିଲାଛୁଆ ଭଲରେ ରହିଲେ ହେଲା ।
ତାନ୍ତ୍ରୀକ କାଳଜୟୀ, ଶତ୍ରୁଜୟୀ, ଦୁଃଖନାଶନ ପରାଭବ କହିଲେ – ମଣିମା ! ରାଜକୁମାର ପୁଷ୍ପକ ଏବଂ ରାଜକୁମାର ସର୍ମିଷ୍ଠା ଜୀବିତ, କିନ୍ତୁ ରାଜକୁମାର ଏପରି ସ୍ଥାନରେ ଆତ୍ମଗୋପନ କରିଛନ୍ତି ଯେ ତାଙ୍କୁ ଆମ ଯାଦୁ ଆଇନା ବି ଦେଖିବାକୁ ସମର୍ଥ ନୁହଁ । ଆଉ ରାଜକୁମାରୀଙ୍କ ଛାୟା ମଧ୍ୟ ଆସୁନି ।
ମହାରାଜ-ତାହାହେଲେ ତମେ କି ତାନ୍ତ୍ରୀକ ହେଇଚ? ମୋ ପାଖକୁ ଆସିବା ପୂର୍ବରୁ ତ ବେଶ୍ ବଡ ବଡ କଥା କହୁଥିଲ; ଅଥଚ ଏବେ କହୁଚ କ’ଣ ନା ତମ ଯାଦୁ ଆଇନା କାମ କରୁନି! କିଏ ଅଛରେ?
ମହାରାଜ-ଏ ଭଣ୍ଡ ତାନ୍ତ୍ରୀକକୁ ନେଇ କାରାଗାରରେ ନିକ୍ଷେପ କର ।
ତାନ୍ତ୍ରୀକ-ମଣିମା ! ମୋ’ କଥା ଟିକେ ଶୁଣନ୍ତୁ?
ମହାରାଜ-ମୁଁ ଯୋଉ ଆଦେଶ ଦିଏ, ସେଇଟା ହିଁ ଶିରୋଧାର୍ଯ୍ୟ ।
ରାଜକୁମାର ପୁଷ୍ପକ ବଂଚିଚି । କେଉଁଠି ସେ ଅଛି? ଆଉ ସେ ରାଜକୁମାରୀ ! ଆଜି ନ ହେଲେ ମଧ୍ୟ କାଲି ତ ତାଙ୍କର ସନ୍ଧାନ ମିଳିବ ।
ମାହାରାଘାଇରେ କୁମ୍ଭୀରାକୃତି ଗେଣ୍ଡୁଫୁଲ ଶଯ୍ୟା ଉପରେ ଆଲୁଅ ବିଛେଇହେଇ ପଡିଲା ଏବଂ ତନ୍ମଧ୍ୟରୁ ଧିରେ ଧିରେ ବାହାରି ଆସିଲା ମତ୍ସ୍ୟସୁନ୍ଦରୀ । ସୁଅ କାଟି କୂଳ ଆଡକୁ ଆସିଲା ଏବଂ ମାନବୀ ରୂପ ଧାରଣ କରି ଶିମୂଳୀଗଛ ନିକଟରେ ଯାଇ ପହଁଚିଲା ।
ଆଗେ ଆଗେ ଆଲୁଅ, ପଛେ ପଛେ ମତ୍ସ୍ୟସୁନ୍ଦରୀ । ଆଉ କେଇ ହାତ ଗଲେ କୂଅ ପାଖରେ ପହଁଚି ଯିବେ । ମତ୍ସ୍ୟସୁନ୍ଦରୀ ଦେଖିଲେ ଦୁଇଟା ଛାୟାମୂର୍ତ୍ତି ଫିସ୍ଫିସ୍ ହେଇ କଥା ହଉଛନ୍ତି । ସେହିକ୍ଷଣି ହଠାତ୍ ସେ ମତ୍ସ୍ୟସୁନ୍ଦରୀଙ୍କ ସୁନ୍ଦର ରୂପଟା କଦାକାର ହୋଇଗଲା ଏବଂ ତାଙ୍କ ପାଟିରୁ ଖାଲି ନିଆଁ ବାହାରିଲା । ଛାୟାମୂର୍ତ୍ତି ଦି’ଟା ପ୍ରାଣ ବିକଳରେ ଚିତ୍କାର କଲେ ।