ଆଗରେ ଦୌଡୁଥିଲେ ଛାୟାମୂର୍ତ୍ତି ଦି’ଟା, ତାଙ୍କ ପଛରେ ନିଆଁ ପିଣ୍ଡୁଳାଟା । ଧଇଁସଇଁ ହେଇ ସେମାନେ ଯାଇ ମହାରାଜାଙ୍କ ପାଦତଳେ ପଡିଗଲେ ।
ଗୁପ୍ତଚର-ମହାରାଜ… ମହାରାଜ…ମହାରାଜ !!
ମହାରାଜ-କ’ଣ ହେଇଚି ଗୁପ୍ତଚର?
ଗୁପ୍ତଚର-ଦେଖନ୍ତୁ ମଣିମା ! ହେଇ ଆସିଗଲା ।
ମହାରାଜ-ଗୋଟାଏ ନିଆଁ ପିଣ୍ଡୁଳା!
ଗୁପ୍ତଚର-ହଁ ମଣିମା, ଏଇ ନିଆଁପିଣ୍ଡୁଳା ଆମକୁ ଗୋଡାଇଚି ।
ମହାରାଜ-ଆଚ୍ଛା । ଆରେ ! ଏ କ’ଣ ମୁଁ ଦେଖୁଚି !! ନିଆଁ ପିଣ୍ଡୁଳାଟା ମଧ୍ୟରେ ସର୍ମିଷ୍ଠା ହସୁଛି !!
ସର୍ମିଷ୍ଠା-ସର୍ମିଷ୍ଠା?
ନିଆଁ ପିଣ୍ଡୁଳା ମଧ୍ୟରେ ସର୍ମିଷ୍ଠା ହସୁଥିଲା ।
ମହାରାଜ-ତମେ କ’ଣ ମତେ ବିଦ୍ରୂପ କରୁଚ? ତମକୁ ଖୋଜିବା ପାଇଁ ମୁଁ ରାଜ୍ୟଟାକୁ ଗୁପ୍ତଚରରେ ବିଛେଇ ଦେଇଚି । ଅଥଚ ତମେ କୋଉଠି ଅଛ?
କୁହ ସର୍ମିଷ୍ଠା ! ଥରେ ଖାଲି କହିଦିଅ ତମେ କୋଉଠି ଅଛ? ତମେ ପୁଣି ଏ ନିଆଁପିଣ୍ଡୁଳା ମଧ୍ୟରେ? ଏହାର ରହସ୍ୟ କ’ଣ?
ଏହାପରେ ହଠାତ୍ ବାଣ ଫୁଟିଲାପରି ଫୁଟିଲା ସେ ନିଆଁ ପିଣ୍ଡୁଳଟା । ନିଆଁ ଛିଟିକି ପଡିଲା ମହାରାଜଙ୍କ ଗାଲକୁ । ଭୀଷଣ ଆଘାତ ପାଇଲେ ସେନାପତି ମହାରାଜ; ମାତ୍ର ସର୍ମିଷ୍ଠା ପ୍ରେମରେ ପାଗଳ ରାଜାଙ୍କୁ ତାହା ଗେଣ୍ଡୁଫୁଲର ଆଘାତ ପରି ଲାଗିଲା ।
ସେତେବେଳକୁ ଖାଲି ବରଡାପତ୍ର ପରି ଥରୁଥିଲେ ଗୁପ୍ତଚର ଦି’ଜଣ । ସେହିକ୍ଷଣି ଆଖି ଦି’ଟା ଢିମା ଢିମା କରିଦେଲେ ସେନାପତି ମହାରାଜ । ତା’ପରେ ସେ ରାଜା ଆଗେଇ ଗଲେ ଗୁପ୍ତଚର ଦି’ଜଣଙ୍କ ଆଡକୁ ।
ମହାରାଜ-କୁହ କୃତଘ୍ନ ସିଂ, ଏହି ନିଆଁ ପିଣ୍ଡୁଳାଟା କୋଉଠୁ ଆସିଲା?
କୃତଘ୍ନ ସିଂ-ଠିକ୍ କଥା ମଣିମା ! ନିଆଁ ପିଣ୍ଡୁଳାଟା କୋଉଠୁ ଆସିଲା?
ମଣିମା ମୋର ମନେପଡିବନି । ସେ ନିଆଁପିଣ୍ଡୁଳାଟା କଥା ମନେ ପକେଇଲା ବେଳକୁ ସବୁ ବିସ୍ମରଣ ହୋଇଯାଉଚି ।
ମହାରାଜା-କୃତଘ୍ନ ସିଂହ । ତୁମକୁ ମୁଁ ମୋଟେ କ୍ଷମା ଦେବିନି । ଆଚ୍ଛା ବେଇମାନ ସିଂ, ତମର ମନେପଡୁଛି ନା ନାହିଁ?
କୃତଘ୍ନ ସିଂ-ମହାରାଜ ! ମୋର ବି…କାହିଁ କିଛି ମନେପଡୁନି
ମହାରାଜ-ବିଶ୍ୱାସଘାତକ ଦଳ, କାହାକୁ ମୁଁ ଛାଡିବିନି ।
କୃତଘ୍ନ ସିଂ-ମହାରାଜ, ଆମେ ବିଶ୍ୱାସଘାତକ ନୋହୁଁ । ଆପଣ ଆମ୍ଭମାନଙ୍କୁ ବିଶ୍ୱାସଘାତକ କରି ଦେଇଛନ୍ତି । ମଣିଷରୁ ଅମଣିଷ କରି ଦେଇଛନ୍ତି । ଆମ ହୃଦୟରୁ ସ୍ନେହ, ମମତା, ପ୍ରୀତି କାଢି ନେଇ ସେଥିରେ ଭରିଦେଇଛନ୍ତି ହିଂସା, ଅହମିକା, ନିଷ୍ଠୁରତା । ଯାହା ଦ୍ୱାରା କି ଆମ୍ଭେମାନେ ଗୋଟାଏ ଗୋଟାଏ ରାକ୍ଷସ ହୋଇଯାଇଚୁ ।
ମହାରାଜ-କୃତଘ୍ନ ସିଂ – ବେଇମାନ ସିଂ!
ଖଚ୍ ଖଚ୍ ! କଟିଗଲା ଦି’ଟା ମୁଣ୍ଡ । ରକ୍ତରେ ଜୁଡୁବୁଡୁ ହୋଇଗଲା ସେନାପତି ମହାରାଜଙ୍କ ପୋଷାକ । ମୁହଁରେ ପଡିଲା ଦଶ ବାର ଟୋପା ରକ୍ତ । ଯେମିତିକି ଜଣାପଡିବନି ଏବେ ପୋଡାଦାଗ କୋଉଟା, ଆଉ ରକ୍ତଦାଗ କୋଉଟା?
ଚିନ୍ତିତ ହେଇ ଉଠିଲେ ସେନାପତି ମହାରାଜ । କ’ଣ କରିବେ ସେ ! ନିଆଁ ପିଣ୍ଡୁଳା ମଧ୍ୟରେ ସେ ସର୍ମିଷ୍ଠାର ମୁହଁ ଦେଖିବାକୁ ପାଇଛନ୍ତି । ତା’ମାନେ କୋଉ ତାନ୍ତ୍ରିକ ସର୍ମିଷ୍ଠାକୁ ତନ୍ତ୍ର ବଳରେ ଅପହରଣ କରିନେଇଚି । ତାକୁ ଦୁର୍ବଳ କରିବାପାଇଁ ଏମିତି ଭେଳିକି ଲଗାଇଚି ।
ମହାମନ୍ତ୍ରୀ !
ମହାମନ୍ତ୍ରୀ-ଆଦେଶ କରନ୍ତୁ ମଣିମା !
ମହାରାଜ-ଆପଣ ନିଆଁ ପିଣ୍ଡୁଳା ମଧ୍ୟରେ ରାଜକୁମାରୀ ସର୍ମିଷ୍ଠାକୁ ଦେଖିଛନ୍ତି?
ମହାମନ୍ତ୍ରୀ-ଦେଖିଚି ମଣିମା ।
ମହାରାଜ-ଆପଣଙ୍କ ମତାମତ?
ମହାମନ୍ତ୍ରୀ-ସାହସୀ ତଥା ବୁଦ୍ଧିମାନ ଗୁପ୍ତଚର ଦି’ଜଣଙ୍କୁ ପଠାଇ ପ୍ରଥମେ ତଦନ୍ତ କରିବାକୁ ହବ ଯେ, ପ୍ରକୃତ ଘଟଣା କଣ? ଏ ନିଆଁ ପିଣ୍ଡୁଳା କୋଉଠୁ ଆସୁଚି? ନିଆଁ ପିଣ୍ଡୁଳା ହେବା ପୂର୍ବରୁ ରାଜକୁମାରୀ କୋଉ ଅବସ୍ଥାରେ ରହୁଛନ୍ତି । ଏ ଖବର ପାଇସାରିଲା ପରେ ଯାଇ ଆମେ ଅନ୍ୟ କଥା ଚିନ୍ତାକରିବା ମଣିମା ।