ଦ୍ୱାରପାଳ-ମଣିମା…ମଣିମା! ମହାମନ୍ତ୍ରୀ କିଛିଟା ମନ୍ତ୍ରଣାପାଇଁ ଅପେକ୍ଷା କରିଛନ୍ତି ମଣିମା?
ମହାରାଜ-ଏଁ…! କ’ଣ ହେଲା ଦ୍ୱାରପାଳ?
ଦ୍ୱାରପାଳ-ମଣିମା-
ମହାରାଜ-ଏଠାକୁ ଜଣେ ରାଜକୁମାରୀ ଆସିଥିଲେ କି?
ଦ୍ୱାରପାଳ-ନା ତ ମଣିମା, ହେଲେ ମଣିମା…!
ମହାରାଜ-ତମ ଜୀବନର ରଙ୍ଗ ଫିକା ପଡି ଆସିଲାଣି । ହେଲେ ମୁଁ…? ମୁଁ ଏବେ ବି ରଙ୍ଗିନ୍… ।
ଦ୍ୱାରପାଳ-କ୍ଷମା କରିବେ ମଣିମା । ମୁଁ ତ କାହିଁ କୌଣସି ରାଜକୁମାରୀଙ୍କୁ ଦେଖିନି । ମୁଁ ଭାବୁଚି…
ମହାରାଜ-କ’ଣ ଭାବୁଚ?
ଦ୍ୱାରପାଳ-ମଣିମା ସ୍ୱପ୍ନ ଦେଖୁଛନ୍ତି ।
ମହାରାଜ-ହାଃ… । ମୁଁ ସ୍ୱପ୍ନ ଦେଖିନି ।
ଦ୍ୱାରପାଳ-ମଣିମା, ମହାମନ୍ତ୍ରୀ ମନ୍ତ୍ରଣା କକ୍ଷରେ ମଣିମାଙ୍କୁ ଅପେକ୍ଷା କରିଛନ୍ତି ।
ମହାରାଜ-ତାଙ୍କୁ ଏଠାକୁ ଆସିବାକୁ କୁହ?
ଦ୍ୱାରପାଳ-ଯେ ଆଜ୍ଞା ମଣିମା ।
ଚିନ୍ତାଗ୍ରସ୍ତ ଅବସ୍ଥାରେ ପ୍ରବେଶ କଲେ ମହାମନ୍ତ୍ରୀ ।
ମହାରାଜ-ଆସନ୍ତୁ ମହାମନ୍ତ୍ରୀ… । ଆସନ ଗ୍ରହଣ କରନ୍ତୁ । ହଠାତ୍ ଏ ଅସମୟରେ?
ମହାମନ୍ତ୍ରୀ-ଯେତେବେଳେ ଆମେ ଗୋଟାଏ ସଙ୍କଟର ସମ୍ମୁଖୀନ ହବାକୁ ଯାଉଚେ, ସେତେବେଳେ ଅସମୟର ପ୍ରଶ୍ନ ଉଠେନା ମହାରାଜ!
ମହାରାଜ-ଅବଶ୍ୟ ଠିକ୍ । ତେବେ କୁହନ୍ତୁ ମହାମନ୍ତ୍ରୀ?
ମଣିମା, ଗୋଇନ୍ଦା ବିଭାଗରେ ନୂଆଭାବେ ଯୋଗଦେଇଥିବା ଦୁଇଜଣ ଆଦିବାସୀ ଯୁବକ ଖୁବ୍ ସାହସୀ, ବୀର, ଜ୍ଞାନୀ ତଥା ଚତୁର । ସେ ଦୁଇଜଣଙ୍କୁ ରାଜକୁମାରୀ ସର୍ମିଷ୍ଠାଙ୍କ ବିଷୟରେ ଅନୁସନ୍ଧାନ କରିବାର ଦାୟିତ୍ୱ ଦେଲେ ଖୁବ୍ ଭଲ ହୁଅନ୍ତା?
ମହାମନ୍ତ୍ରୀ-ମଣିମା, ଏ ତ ସ୍ୱୟଂ ମହାରାଜଙ୍କ ନିୟମ । ଉଚ୍ଚ ଜାତି ମୋଟ ଚାକିରୀଥିବା ଆସନର ଶତକଡା ଶତଷଠି ଭାଗ ଆସନ ପାଇବା ପାଇଁ ହକ୍ଦାର୍ ।
ମହାରାଜ-ଠିକ୍ । କିନ୍ତୁ ମହାମନ୍ତ୍ରୀ, ଏମାନେ ଯଦି ନିଜ ଦାୟିତ୍ୱ ଠିକ୍ରୂପେ ସମ୍ପନ୍ନ କରି ନ ପାରିବେ?
ମହାମନ୍ତ୍ରୀ-ତେବେ ସେମାନଙ୍କୁ ପଦୋନ୍ନତି ଦିଆଯିବ ।
ମହାରାଜ-ଅର୍ଥାତ୍?
ମହାମନ୍ତ୍ରୀ-ଉପର ପାହ୍ୟାକୁ ଗଲେ କମ୍ କାମ କରିବାକୁ ପଡେ । ଖାଲି ତ ମୋହର ମାରିଦେଲେ କାମ ଫତେ ।
ମହାରାଜ-ଆଚ୍ଛା ମହାମନ୍ତ୍ରୀ, ଆପଣ କେଇଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି?
ମହାମନ୍ତ୍ରୀ-ଏ ବି ଆପଣଙ୍କ ନିୟମ ମଣିମା । ଏମାନଙ୍କ ସଂଖ୍ୟା ଶତକଡା ତିରିଶି ଭାଗ ।
ମହାରାଜ-ଏମାନେ ତାହେଲେ କଣ କରିବେ?
ମହାମନ୍ତ୍ରୀ-ଯାହା ପୁରୁଷମାନେ କରୁଛନ୍ତି । ଏମାନେ ବି ଆଉ କମ୍ରେ ନାହାନ୍ତି ମଣିମା । କିନ୍ତୁ ମଣିମା ଗୋଟାଏ କଥା-ଯୋଉ ମହିଳାମାନେ ଚାକିରୀରେ ନିଯୁକ୍ତି ପାଇଲେ, ତାଙ୍କ ସ୍ୱାମୀ ମଲେ ।
ମହାରାଜ-ଅର୍ଥାତ୍?
ମହାମନ୍ତ୍ରୀ-ଏମାନେ ରାଜଦରବାରରୁ ଫେରିଲାବେଳକୁ ସ୍ୱାମୀମାନେ ରୋଷେଇ କରି ସାରିଥିବେ । ପିଲାଛୁଆଙ୍କ ଯତ୍ନ ନେଉଥିବେ । ଯାହାଖାଲି-
ମହାରାଜ-ମାନେ?
ମହାମନ୍ତ୍ରୀ-କଅଁଳା ଛୁଆଙ୍କୁ ସ୍ତନ୍ୟପାନ କରେଇ ପାରି ନଥିବେ । ଯେମିତି ସ୍ତ୍ରୀମାନେ ଘରେ ପହଁଚିବେ, ସ୍ୱାମୀମାନେ ଖାଇବାକୁ ବାଢିଦେବେ, ଯଦି ଦେହ କସ୍ମସ୍ ଲାଗୁଥିବ, ତେବେ ପଦସେବା କରି ବଡ ପାଟିରେ ‘କ୍ଷମା’ କହିବାକୁ ଜମା ଭୁଲି ଯିବେନି । ଏମିତି ଅନ୍ୟାନ୍ୟ ଅନେକ… ।
ମହାରାଜ-ହାଃ… ।