ପ୍ରଥମ ଆଦିବାସୀ ଯୁବକ-ହେଇ ଦେଖ, ସେ ଚମ୍ପାଗଛ ମୂଳରେ କିଏ ଗୋଟିଏ ଶୋଇଚି ।
ଦ୍ୱିତୀୟ ଆଦିବାସୀ ଯୁବକ-ଆରେ, ହଁ ତ ଚାଲ… ।
ପ୍ରଥମ ଆଦିବାସୀ ଯୁବକ-କିଏ ତମେ? ଆରେ ଏତ ଝିଅଟାଏ ।
ଦ୍ୱିତୀୟ ଆଦିବାସୀ ଯୁବକ-କିଏ ତମେ? ଏଠି କାହିଁକି ଶୋଇଚ?
ପ୍ରଥମ ଆଦିବାସୀ ଯୁବକ-ତମେ କ’ଣ ଘରୁ ରାଗିକରି ଆସିଚ?
ଆଉ ନିଜକୁ ବଂଚେଇବା ପାଇଁ ଏଠି ଆଶ୍ରୟ ନେଇଚ?
ଦ୍ୱିତୀୟ ଆଦିବାସୀ ଯୁବକ-ଦେଖ, ଆମେ ରାଜାଙ୍କ ଲୋକ; ଭୟ କରିବାର କିଛି ବି କାରଣ ନାହିଁ । ଆମେ ଆଦିବାସୀ ଲୋକ । ମା’କୁ ମା’ର ସମ୍ମାନ, ଭଉଣୀକୁ ଭଉଣୀର ସମ୍ମାନ ଦେଇ ଜାଣୁ । ଆମେ ସୋମରସ ପାନକରୁ; ମାତ୍ର ଆମେ ଏତେ କଥା କହି ସାରିଲୁଣି; ଅଥଚ ତମେ ପଦେ ଉତ୍ତର ବି ଦେଉନ? କ’ଣ ତମେ ଆମକୁ ଲାଜ କରୁଚ?
ପ୍ରଥମ ଆଦିବାସୀ ଯୁବକ-ଦେଖ, ଗପଟା ଜମେ ଯଦି ପ୍ରଶ୍ନର ଉତ୍ତର ଠିକ୍ ମିଳେ । ଆମେ ଏତେ କଥା କହିଲୁ, ତମେ ଶୁଣିଲ; ଏଥର ତମେ କୁହ ଆମେ ଶୁଣିବୁ ।
ଦ୍ୱିତୀୟ ଆଦିବାସୀ ଯୁବକ-ତମେ କିଛି କହିବନିତ?
ପ୍ରଥମ ଆଦିବାସୀ ଯୁବକ-ତାହେଲେ ଆମେ ଜାଣିଲୁ, ତମେ ଜଣେ ମୁକ ଝିଅ । ତଥାପି ବି ଆମେ ତମକୁ ଭଲପାଉ । ତମ ମୁହଁରୁ କଥା ପଦେ ନ ହେଲେ ନାହିଁ, ହସ ଟିକିଏ ଦେଖିପାରିବୁ ତ?
ଚମ୍ପାଗଛ ମୂଳେ ନାଗସାପଟା ଫଣା ଟେକିଲା । ଚମ୍ପାଗଛ ଆସ୍ତେ ଆସ୍ତେ ଛୋଟ ହୋଇଗଲା ଏବଂ ଶେଷରେ ମାଟି ତଳକୁ ଚାଲିଗଲା ।
ଦ୍ୱିତୀୟ ଆଦିବାସୀ ଯୁବକ-ଦେଖ ସାଙ୍ଗ, ଚମ୍ପାଗଛ ସହ ନାଗଟା ତଳକୁ ଚାଲିଗଲା !
ପ୍ରଥମ ଆଦିବାସୀ ଯୁବକ-ଆଉ ସେ ଝିଅଟା?
ଦ୍ୱିତୀୟ ଆଦିବାସୀ ଯୁବକ-ସେତ ନାହିଁ । ଆଉ ଗଲା କୁଆଡେ?
ପ୍ରଥମ ଆଦିବାସୀ ଯୁବକ-ଗୋଟାଏ କାମ କରିବା ।
ଦ୍ୱିତୀୟ ଆଦିବାସୀ ଯୁବକ-କ’ଣ?
ପ୍ରଥମ ଆଦିବାସୀ ଯୁବକ-ମାଟିତଳୁ ଚମ୍ପାଗଛଟା ବାହାର କରିବା ।
ଦ୍ୱିତୀୟ ଆଦିବାସୀ ଯୁବକ-ତେବେ ମାଟି ଖୋଳା ଆରମ୍ଭ ହଉ?
ପ୍ରଥମ ଆଦିବାସୀ ଯୁବକ-ହଉ, ହଉ… ।
ରାତି ପାହି ସକାଳ ହେଲା- ସେ ଦି’ଜଣ ସେମିତି ମାଟି ଖୋଳୁଥାନ୍ତି, ତଥାପି ଚମ୍ପାଗଛକୁ ପାଇପାରୁ ନାହାଁନ୍ତି ।
-ଦେଖିଲଣି ଗୋଟାଏ କଥା, ଏ ଦି’ଟା ବୋଧେ ନିଶା ଖାଇଛନ୍ତି । ରାତିସାରା ମାଟି ଖୋଳୁଛନ୍ତି; ଅଥଚ ଏପର୍ଯ୍ୟନ୍ତ ଝୁଡିଏ ମାଟି ବି ଖୋଳିପାରି ନାହାଁନ୍ତି ।
ଏସବୁ ଦେଖି ଖାଲି ରହି ରହି ହସୁଥିଲା ମନମୋହିନୀ ।
ଦମ୍ ନ ନେଇ ମାଟି ଖୋଳି ଚାଲିଥିଲେ ଆଦିବାସୀ ଯୁବକ ଦି’ଜଣ । ମାତ୍ର କ’ଣ ହବ ଯେତେ ମାଟି ଖୋଳିଲେ, ଏପର୍ଯ୍ୟନ୍ତ ତ ଝୁଡିଏ ମାଟି ବି ଖୋଳିପାରି ନାହାଁନ୍ତି ।