ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମତ୍ସ୍ୟ ସୁନ୍ଦରୀ

ଦ୍ୱିତୀୟ ଆଦିବାସୀ ଯୁବକ-ତମେ ଠିକ୍ କହିଚ ବନ୍ଧୁ ।

ଜଣେ ତଲୁଆର୍ ଉଚାଇଲା; କିନ୍ତୁ ଏ କ’ଣ ହେଲା । ତା’ ପାଦ ତଳର ମାଟି ତଳକୁ ଖସିଗଲା । ଆଉ ନିମିଷକ ମଧ୍ୟରେ ସେ ବି ମାଟିତଳେ ଲୁଚିଗଲା । ତା’ର ସାଥି ଜଣକ ଦେଖୁଥାଏ, ଆଉ ଏବେ ତା’ର କ’ଣ ହବ, ସେ ସଂପର୍କରେ ଗୋଟାଏ ଭୟାବହ ସ୍ୱପ୍ନ ଦେଖୁଥାଏ ।

ଗର୍ତ୍ତ ମଧ୍ୟରୁ ବାହାରି ଆସିଲା ଗୋଟାଏ କଳାନାଗ । ଇରେ ବାବା ! କେତେ ବଡ ପାଟି ତା’ର! କେତେ ବଡ ଲହଲହକା ଦି’ ଫାଳିଆ ଜିଭ ।

ନାଗଟା କ’ଣ ଗୋଟାଏ ଗିଳିଦେଲା ଭଳି ମନେହେଲା । ତା’ ମୁହଁରୁ ପିଚ୍କି ଆସିଲା ତାଜା ରକ୍ତ ମେଂଚାଏ । ତା’ପରେ ତା’ ସାଥିରେ ତଲୁଆରଟା । ଇଲୋ ବାପାଲୋ କହି ଦୌଡିଲା ଶୃଗାଳ ମହାରାଜଙ୍କ ଗୁଇନ୍ଦା ବିଭାଗରେ ଲଢୁଆ ସାହସୀ ଆଦିବାସୀ ଯୁବକ ।

କିଛିବାଟ ଗଲାପରେ ସେ ପଛକୁ ଚାହିଁଲା । ପଛରେ ପାଟି ମେଲେଇ ଧାଉଁଥିଲା କଳାନାଗ । ସେ ଏବେ କ’ଣ କରିବ । ନା, ସେ ଆହୁରି ଜୋର୍ରେ ଦୌଡିବ । ସାପ ତ ବଙ୍କେଇ ବଙ୍କେଇ ଦୌଡି ପାରେନା ।

ନାଗଠାରୁ ଆଦିବାସୀ ଯୁବକର ଦୂରତା ବଢିଗଲା । ନା, ମତେ ମହାରାଜଙ୍କ ପାଖକୁ ଯିବାକୁ ହବ । ଏହାଭାବି ସେ ଆଦିବାସୀ ଯୁବକଟି ପୂର୍ବାପେକ୍ଷା ଅଧିକ ଗତିରେ ଦୌଡିବାକୁ ଲାଗିଲା ।

ସେ ଶୁଣିଥିଲା ଆଗରୁ ଫେରି ଆସିଥିବା ଗୁପ୍ତଚର ଦି’ ଜଣଙ୍କର ମୁଣ୍ଡକାଟ ହେଇଥିଲା । ମହାରାଜ ବି ତା’ର ଏପରି ଅସହାୟ ଅବସ୍ଥା ଦେଖିଲେ, ନିଶ୍ଚୟ ମୁଣ୍ଡକାଟ ହବ । ନା, ସେ କାହିଁକି ମରିବ? ବରଂ ସବୁଠୁ ଭଲ କୋଉଠି ଆତ୍ମଗୋପନ କରିବ ।

ନାଗ ତା’ର କାୟାକୁ ଆହୁରି ବଢାଇ ଦେଲା । ତା’ର ବିରାଟ ମୁହଁରେ ରାଜ୍ୟଟା ଆଉ ପଶିଯିବ କି?

ଫୁତ୍କାର କଲା କଳାନାଗ । ବିଷର ଝରଣାଟାଏ ବହିଆସିଲା ତା’ ମୁହଁରୁ । ଅଙ୍କାବଙ୍କା ହେଇ ବହିଗଲା ତା’ ମନଇଚ୍ଛା । ଜଳି ଜଳି ଯାଉଥାଏ ତା’ ସଂସ୍ପର୍ଶରେ ଆସୁଥିବା ଗଛଲତାଗୁଡିକ ଖାଲି ହୁ-ହୁ ହେଇ ଜଳିଲା, ଟାଙ୍ଗରା ଭୂଇଁ ।

ମହାମନ୍ତ୍ରୀ-ମହାରାଜ…ମହାରାଜ ! ସର୍ବନାଶ ହୋଇଗଲା ମହାରାଜ !

ମହାରାଜ-କ’ଣ ହେଲା ମହାମନ୍ତ୍ରୀ?

ମହାମନ୍ତ୍ରୀ-କୋଉଠୁ ଗୋଟାଏ ବିରାଟକାୟ ନାଗ ମାଡିଆସୁଚି । ଫୁତ୍କାରିବା ସଙ୍ଗେ ସଙ୍ଗେ ତା’ ମୁହଁରୁ ଧାର ଧାର ହେଇ ଉତ୍କଟ ବିଷ ଝରି ଟାଙ୍ଗରା ଭୂଇଁକୁ ଜାଳିପୋଡି ପାଉଁଶ କରି ସାରିଲାଣି । ଏବେ ଆଉ ଉପାୟ କ’ଣ ମହାରାଜ?

ମହାରାଜ-ସେନାପତିଙ୍କୁ ଆଦେଶ ଦିଅନ୍ତୁ ମହାମନ୍ତ୍ରୀ । ସମସ୍ତ କୁଶଳୀ ଯୋଦ୍ଧାମାନଙ୍କୁ ନେଇ ବ୍ୟୁହ ରଚନା କରନ୍ତୁ । ଯେମିତି ହଉ ସେ ନାଗଟାକୁ ଆମକୁ ହତ୍ୟା କରିବାକୁ ହିଁ ହବ ।

ମହାମନ୍ତ୍ରୀ-ମହାରାଜ ଶୁଣନ୍ତୁ, ପ୍ରଜାମାନେ କିପରି ପ୍ରାଣ ଭୟରେ ଚିତ୍କାର କରୁଛନ୍ତି ।

ମହାରାଜ-ଗୋଲିମାର ପ୍ରଜାମାନଙ୍କୁ । କିପରି ଆମ୍ଭେମାନେ ସୁରକ୍ଷିତ ରହିବା, ସେ ବିଷୟରେ ଆଗେ ଚିନ୍ତା କରନ୍ତୁ ।

ମହାମନ୍ତ୍ରୀ-ମଣିମା !

ମହାରାଜ-ରାଜା ଥିଲେ ପ୍ରଜା ଆସିବେ । ମାତ୍ର ପ୍ରଜା ଥିଲେ ରାଜା ନ ଆସିପାରନ୍ତି । ଯାଆନ୍ତୁ …

ରାଜାଦେଶ ପାଇ ମହାମନ୍ତ୍ରୀ ତଡିତ୍ ବେଗରେ ପ୍ରସ୍ଥାନ କଲେ । ଆଉ ଏଣେ ଦୀର୍ଘଶ୍ୱାସ ନେଲେ ଶୃଗାଳ ମହାରାଜ । ମନରେ ତାଙ୍କର ଅନେକ ଦୁର୍ଭାବନା । ଏ ନାଗଟା କୋଉଠୁ ଆସିଲା? ଆଉ ସେ ମାହାରାକୂଳ ଘାଇରୁ ନୁହେଁତ?

ତେବେ ସେ ଆଦିବାସୀ ଦୁଇଟା କୁଆଡେ ଗଲେ? ସେମାନଙ୍କୁ କ’ଣ ନାଗ ଖାଇଗଲା ।

ହଠାତ୍ ସୁ-ସୁ ପବନ ବହିଲା । ସେଇଥିରେ ସେ ଉଆସର ଅର୍ଦ୍ଧେକ ଅଟ୍ଟାଳିକା ଭୂସ୍ଭାସ୍ ଶବ୍ଦକରି ତଳେ ଶୋଇଗଲା । ଏସବୁ ଦେଖି ହଠାତ୍ ଚମକି ଉଠିଲେ ଶୃଗାଳ ମହାରାଜ । ତେବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ