ଖିଲି ଖିଲି ହସରେ ପାଗଳପ୍ରାୟ ହୋଇଗଲେ ମହାରାଜ । କିଏ? କିଏ? କିଏ ତମେ? ମୁଁ ପଚାରୁଚି ପରା କିଏ ତମେ?
ସର୍ମିଷ୍ଠା-ମୁଁ କିଏ ଜାଣିପାରୁ ନାହାଁନ୍ତି ମହାରାଜ?
ମହାରାଜ-ସର୍ମିଷ୍ଟା ତମେ ! ତମେ ପୁଣି ଏ ନାଗୁଣୀ ରୂପରେ? ମୁଁ ବୁଝି ପାରୁନି ରାଜକୁମାରୀ, ତମେ ନାଗୁଣୀ ରୂପରେ?
ସର୍ମିଷ୍ଠା-ସବୁକଥା ସମସ୍ତେ ବୁଝି ପାରନ୍ତିନି ମହାରାଜ । ସଂସାରର ସବୁକଥା ବୁଝିହୁଏ । ବୁଝିବାପାଇଁ ସେମିତି ମସ୍ତିଷ୍କ ଦରକାର । ତମଭଳି ବେଇମାନ ମୂର୍ଖ…
ମହାରାଜ-ଚୁପ୍କର ରାଜକୁମାରୀ ! ମୂର୍ଖ, ବେଇମାନ କହି ମୋ ପୌରୁଷତ୍ୱକୁ ଅପମାନିତ କରନା ।
ମୁଁ ଖାଲି ତମକୁ ଭଲପାଏ । ନହେଲେ-
ରାଜକୁମାରୀ-ହତ୍ୟା କରିଥାନ୍ତ, ଏଇଆ ନା? ତାହେଲେ ମୋତେ ଏବେ ହତ୍ୟା କର । ମୁଁ ତ ତମ ପାଖରେ । ହେଇ ଦେଖ, ମୁଁ କିମିତି ହସୁଚି, ହିଃ… ହିଃ… ।
ଦରଜା ସାମ୍ନାରେ କଳାନାଗ । ସେନାପତି ମହାରାଜ ଟିକେ ଆଶଙ୍କାରେ ଚାହିଁଲେ । ସେ ଏ କ’ଣ ଦେଖୁଛନ୍ତି ! ଅପରୂପା, ଅନିନ୍ଦୀୟା ସର୍ମିଷ୍ଠା ତାଙ୍କୁ ହାତଠାରି ଡାକୁଚି ।
ରାଜକୁମାରୀ-ଆସ ପ୍ରିୟ, ମୋ ପାଖକୁ ଆସ ।
ମହାରାଜ-ଚୁପ୍କର ନାଗୁଣୀ । ତୋ’ରି ପାଇଁ-
ରାଜକୁମାରୀ-ଅନେକ କିଛି ଦୁଃସାହସିକ, ପାପକାମ କରିସାରିଚ । ଆରେ ପାପୀ, ଏ ସଂସାରରେ କ’ଣ ସୁନ୍ଦରୀମାନଙ୍କ ଅଭାବ ଅଛି? ମୁଁ ରାଜକୁମାର ପୁଷ୍ପକଙ୍କର ହୋଇ ସାରିଚି । ସୀମନ୍ତରେ ଜଣଙ୍କର ସିନ୍ଦୂର ନାଇ, ଅନ୍ୟଜଣଙ୍କୁ ପ୍ରେମକଲେ, ମୁଁ ନିଜକୁ ନିଜେ ବିଟପୀ ବୋଲି କହିବି । ମନ ତ ଜଣକୁ ଦିଆହୁଏ, ମାତ୍ର ଅନେକଙ୍କୁ ନୁହଁ । ଯୋଉମାନେ ଅନେକଙ୍କୁ ମନ ଦିଅନ୍ତି, ସେମାନେ କୁଳଟା, ବେଶ୍ୟା… । ସେମାନଙ୍କ ପାଇଁ ପୂର୍ବପୁରୁଷମାନେ ପିଣ୍ଡ ଗ୍ରହଣ କରନ୍ତି ନାହିଁ । ବୁନିୟାଦି କଳଙ୍କିତ ହୁଏ । ପିତୃପୁରୁଷ ନର୍କରେ ପଡନ୍ତି ।
ମହାରାଜ-ହେଲେ ସର୍ମିଷ୍ଠା, ମୁଁ ତ ତମକୁ ଏତେ ଭଲପାଏ ଯେ, ଭୁଲିବା ଆଦୌ ସମ୍ଭବ ନୁହଁ । କେମିତି ମୋ ଛାତି ସହିବ, ତମ ସୀମନ୍ତରେ ପୁଷ୍ପକର ସିନ୍ଦୂର ଦେଖି କେମିତି ମୁଁ ମୋ ମନକୁ ବୁଝେଇବି, ତମ ହାତରେ ପୁଷ୍ପକ ପିନ୍ଧେଇ ଦେଇଥିବା ଚୁଡି ରୁମଝୁମ୍ ହେଇ ବାଜିଲେ? କେମିତି ବା ବଂଚିହବ ତମ କୋଳରେ ପୁଷ୍ପକର ସନ୍ତାନ ଗୋଡ ହଲେଇ ଖେଳିଲେ?
ନାଁ, ମୋତେ ବିଶ୍ୱାସକର, ମୁଁ ତମକୁ ନିହାତି ନିଜର, ଅତି ଆପଣାର ମଣେ ।
ରାଜକୁମାରୀ-ଯୋଉମାନେ ମନେ ମନେ ଅନ୍ୟକୁ ନିଜରକରି ଗର୍ବରେ ଫାଟିଉଠନ୍ତି, ସେମାନେ ସମସ୍ତେ ଠିକ୍ ତମରିଭଳି ସନ୍ତୁଳି ହୁଅନ୍ତି । ଜୀବନର ଗଣିତର ସବୁ ଧାରା ପାଶୋରି ପକାନ୍ତି । ବଂଚନ୍ତି ନିଜ ଶବର ସ୍ୱପ୍ନ ଦେଖି ।