ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମତ୍ସ୍ୟ ସୁନ୍ଦରୀ

ମହାରାଜ-ଦ୍ୱାରପାଳ…ତମେ ଏସବୁ କ’ଣ କହିଯାଉଚ?

ଦ୍ୱାରପାଳ-ମଣିମା ସ୍ୱଚକ୍ଷୁରେ-

ମହାରାଜ-ତାହେଲେ ଚାଲ ଦ୍ୱାରପାଳ… ।

ପାଗଳପ୍ରାୟ ଦୌଡିଲେ ସେନାପତି ମହାରାଜ । ଉଆସର ଚାରିପଟେ ବନ୍ଦୀମାନଙ୍କର ବିଦ୍ରୋହ । ହୁତୁହୁତୁ ହେଇ ଜଳୁଛି ନିଆଁ । ଉଆସଟାକୁ ଜଳେଇଦବାକୁ ସେମାନେ ଯେମିତି ବଦ୍ଧପରିକର । ଆଉ ସେଇ ଜଳନ୍ତା ଉଆସ ମଧ୍ୟରେ ଥାଇ ସେ ରାଜା ନିଜେ ଗଡିଶାମାଛଟି ପରି ପୋଡି ହୋଇଯିବ ।

ନା, ସେ ଆତ୍ମରକ୍ଷା କରିବେ । ପୋଡି ପାଉଁଶ ହେଇଯାଉ ଉଆସ, ରାଜସିଂହାସନ ଏ ରାଜ୍ୟ । ସେ ବଂଚିବେ ଆଉ ଏହାର ପ୍ରତିଶୋଧ ନେବେ ।

ରାଜକୁମାରୀ ସର୍ମିଷ୍ଠା, ତୋତେ ଦିନେ ଅନ୍ତରର ସମସ୍ତ ପ୍ରେମ ଦେଇ ମୁଁ ଭଲ ପାଇଥିଲି, ହେଲେ ମୁଁ ପାଇଲି କ’ଣ? ଖାଲି ଗୁଡାଏ ଯନ୍ତ୍ରଣା ନା? ଆଜି ମୁଁ ତୋତେ ଘୃଣା କରୁଚି । ବଂଚିରହିଥିବା ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ତୋର ସର୍ବନାଶ ଚିନ୍ତା କରିବି, ମୋର ଆତ୍ମା ମୋକ୍ଷ ପାଇବ, ଯୋଉଦିନ ତୋର ସୀମନ୍ତ ସିନ୍ଦୁର ଲିଭିଯିବ । ତୋ ହାତର ଶଙ୍ଖା ବି ଭାଙ୍ଗିଯିବ । ତୁ ଯୋଉଦିନ ତୋର ଆଖି ଲୁହକୁ ସାକ୍ଷୀ ରଖିବୁ ।

ସେନାପତି ମହାରାଜଙ୍କୁ ତ ଭୋକ ନଥିଲା କି ନିଦ ବି ନଥିଲା । ସଞ୍ଜବେଳଠୁ କେତେ ଯେ ସୋମରସ ପାନ କଲେଣି, ସେକଥା ଠିକ୍ ଭାବରେ କହିହବନି । ମନରେ ଖାଲି ଗୋଟାଏ ଚିନ୍ତା ସେ ପ୍ରତିଶୋଧ ନେବେ… । ହଁ ହଁ ନିଶ୍ଚୟ ପ୍ରତିଶୋଧ ନେବେ ।

ଉଆସରୁ ପାଦ କାଢିଲେ ସେନାପତି ମହାରାଜ । ସେ ନିଜେ ମାହାରା କୂଳକୁ ଯିବେ ଏବଂ ସର୍ମିଷ୍ଠାକୁ ହତ୍ୟା କରିବେ । ସେତେବେଳେ ତାଙ୍କ ସାଥିରେ କେହି ଅଙ୍ଗରକ୍ଷୀ ନଥିଲେ କି କୌଣସି ଦରବାରୀକୁ ବି ଆଣି ନଥିଲେ । ଏତେ ଅନ୍ଧାର ଯେ ସାଧାରଣ ଲୋକଟାଏ ଭୟ କରିବ ସେଠାକୁ ଯିବାକୁ । କିନ୍ତୁ ସେନାପତି ମହାରାଜ ଏକମୁହାଁ ହେଇ ଚାଲିଥିଲେ ମାହାରା କୂଳ ଆଡକୁ ।

ହେଇତ ଆଗରେ ମାହାରାକୂଳ ପାଖ ଶିମୂଳୀ ଗଛ ଦିଶୁଚି । ନାଲି ଟହଟହ ଫୁଲରେ ଭାଙ୍ଗିପଡୁଚି ଗଛଟା । ହେଲେ ଆଲୋକ ସଜ୍ଜା ! କିଏ ଏଠି ମହାରାଜଙ୍କ ବିନା ଅନୁମତିରେ ଆଲୋକ ସଜ୍ଜେଇଚି? କାହିଁକି? କ୍ରୋଧରେ ଚୂଳଗୁଡା ଜୋର୍ରେ ହଲିବାକୁ ଲାଗିଲା ।

ଆଖିମଳି ଚାହିଁଲେ ସେନାପତି ମହାରାଜ । ବିରାଟ ଏକ ଚମ୍ପାଗଛ । ସେଥିରେ ମାତ୍ର ତିନୋଟି ଡାଳ । ତିନୋଟି ଫୁଟନ୍ତା ଫୁଲ ମଥାହଲେଇ ହସୁଚି । ଆଉ ସେଇ ଫୁଲ ମଝିରେ ସର୍ମିଷ୍ଠାର ଗୋଲ୍ଗାଲ୍ ମୁହଁଟା ଦିଶୁଚି । ସେ ହସୁଚି । ବିଦ୍ରୂପ କରୁନି ତ?

ସର୍ମିଷ୍ଠା-ପ୍ରିୟ !

ମହାରାଜ-କିଏ?

ସର୍ମିଷ୍ଠା-ମତେ ଜାଣିପାରୁ ନାହାଁନ୍ତି?

ମହାରାଜ-କିଏ ସର୍ମିଷ୍ଠା ! ମୁଁ ତୋତେ ଭଲପାଇବାକୁ ଆସିନି । ବରଂ ଆସିଚି ତୋ ସର୍ବନାଶ କରିବାକୁ । ବେଇମାନି…

ନୀଳବର୍ଣ୍ଣ ଶୃଗାଳ !

ମହାରାଜ-କିଏ ତୁ…?

-ରାଜକୁମାର ପୁଷ୍ପକ ।

ମହାରାଜ-ହେଃ ବାଜେ କଥା । ପୁଷ୍ପକକୁ ଏଇ ମାହାରାକୁ ମୋ ସେନାପତି ଫିଙ୍ଗି ଦେଇଚି ।

-ନା, ମିଛକଥା ! ପୁଷ୍ପକ ମାହାରା ମଧ୍ୟରେ ପଡିନାହାଁନ୍ତି ।

-ମୁଁ ନିଜ ଆଖିକୁ ଅବିଶ୍ୱାସ କରିବି?

-ମାହାରାରେ ଯୋଉ ଜିନିଷ ପଡେ, ତାକୁ ତ ମୁଁ ତତ୍କ୍ଷଣାତ୍ ଗିଳି ପକାଏ । ହେଲେ ମୁଁ ତ ପୁଷ୍ପକକୁ ଗିଳିନି…

-ତୁ କିଏ?

-କୁମ୍ଭକର୍ଣ୍ଣ କୁମ୍ଭୀର!

-ତୁ ଗୋଟାଏ ମାୟାବୀ ।

-ସେନାପତି ! ମୁଁ ମରି ମଧ୍ୟ ମରିନି । ମିଛ କ’ଣ ମୁଁ ଜାଣେନି । ତୁ ଗୋଟାଏ ନିମକହାରାମ ବେଇମାନ । ମୁଁ ପୁଷ୍ପକକୁ ଖାଇନି । ସେ ଏବେ ମଧ୍ୟ ଜୀବିତ । ଆଉ ନିଜକୁ ପ୍ରସ୍ତୁତ କରୁଛନ୍ତି ରାଜା ହେବା ପାଇଁ ।

ତମେମାନେ ସବୁ ଗୋଟାଏ ଗୋଟାଏ ଗାଲୁଆ । ହେଃ… ମୃତ ପୁଷ୍ପକ ପୁଣି ହବ ରାଜା ! ହାଃ…ହାଃ…

-ଆଚ୍ଛା ସେନାପତି, ତମେ କୁମାରଙ୍କ ଖାଦ୍ୟ ମଧ୍ୟରେ ଶୋଇବା ନିଶା ମିଶାଇଥିଲ ନା?

-ତୁ କିପରି ଜାଣିଲୁ?

-ସେ ପ୍ରଶ୍ନ ପଚାରନା ।

-ତୋତେ କ୍ଷମା ଦେବିନି କୁମାର । ତୋତେ ମୁଁ ହତ୍ୟା କରିବି । ହଁ ହଁ ତୋତେ ମୁଁ ନିଶ୍ଚୟ ହତ୍ୟା କରିବି ।

-ମୁଁ ତ ମୃତ । ମୃତଙ୍କୁ ଆଉ କ’ଣ ହତ୍ୟା କରିବ?

ସେତେବେଳକୁ କ୍ରୋଧରେ ଅନ୍ଧ ହେଇ ଯାଇଥିଲେ ସେନାପତି ମହାରାଜ । ମୁଣ୍ଡରୁ ନିଶା ବି ଉତୁରି ଯାଇଥିଲା ତାଙ୍କର ।

ବାଃ…ଆଗରେ ସୁସଜ୍ଜିତ ମେଜ । ଭଳିକିଭଳି ସୋମରସ, ଆନନ୍ଦରେ ନାଚି ଉଠିଲା ସେନାପତି ମହାରାଜ । ପାଗଳଙ୍କ ପରି ଢକ୍ ଢକ୍ କରି ପିଇଗଲେ ନାକ ପର୍ଯ୍ୟନ୍ତ । ଯୁଆଡେ ଚାହିଁଲେ ଖାଲି ସୋମରସ । ଯୁଆଡେ ଖାଲି ସର୍ମିଷ୍ଠାଙ୍କ ମୁହଁ, ସେ ଘୂରିବାକୁ ଲାଗିଲେ । ଚକାଭଉଁରୀ ଖେଳି ଖେଳି ମାହାରା ଘାଇରେ ପଡିଗଲେ । ବାସ୍… ।

ହସି ଉଠିଲା ମନମୋହିନୀ । ଅଙ୍ଗାରବାବା ଗୁରୁଗମ୍ଭୀର କଣ୍ଠରେ କହିଲେ – ମନମୋହିନୀ!

ମନମୋହିନୀ-ଆଦେଶ କରନ୍ତୁ ସ୍ୱାମୀ ।

ଅଙ୍ଗାରବାବା-କ’ଣ ଦେଖିଲୁ?

ମନମୋହିନୀ-ସେନାପତିଟା ମାହାରା ଘାଇରେ ପଡିଗଲା ।

ଅଙ୍ଗାରବାବା-ଆରେ ଏବେ ବସନ୍ତ ବହୁଚି କି?

ମନମୋହିନୀ-ହଁ ସ୍ୱାମୀ ।

ଅଙ୍ଗାରବାବା-ଏଥର ତୁ ବି ସମାଧି ନେ ।

ମନମୋହିନୀ-ସ୍ୱାମୀ ! ଆପଣ କ’ଣ ଆଉ ସମାଧିରୁ ଉଠିବେନି?

ଅଙ୍ଗାରବାବା-କ’ଣ ବା ଲାଭ ଆଉ ବେଶିଦିନ ବଂଚିରହି? ରାଜ୍ୟପାଇଁ ଯାହାସବୁ କରିବା କଥା, ସେସବୁ ତ ହେଇଗଲା । ଏଣିକି ରାଜକୁମାର ଚିନ୍ତା କରିବେ ତାଙ୍କ ରାଜ୍ୟର ମଙ୍ଗଳ ନିମନ୍ତେ ।

ମନମୋହିନୀ-ସ୍ୱାମୀ…

ଅଙ୍ଗାରବାବା-କ’ଣ କହ ।

ମନମୋହିନୀ-ରାଜକୁମାରଙ୍କର ଦୁଃଖ ତ ଦେଖିଲି । ତାଙ୍କର ସୁଖ ଟିକେ ଦେଖିବିନି?

ଅଙ୍ଗାରବାବା-ଆଚ୍ଛା, ତୋ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହବ ମନମୋହିନୀ । ଖୁବ୍ ଶୀଘ୍ର ମୁଁ ରାଜକୁମାରଙ୍କର ବିବାହ ତିଥି ସ୍ଥିର କରୁଚି । ମୋର ବି ତାଙ୍କ ବିବାହଟା ଦେଖିନବା ଭଲ ।

ଶିମୂଳୀଗଛ ମୂଳଟା ଏବେ ରାଜ୍ୟର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ । ଅଙ୍ଗାରବାବା ଓ ମନମୋହିନୀଙ୍କ ସମାଧିପୀଠ ପାଖକୁ ଆସି ମହାରାଣୀ ସର୍ମିଷ୍ଠା ସମାଧିପୀଠରେ ପୁଷ୍ପାଞ୍ଜଳି ଦେଇ ପ୍ରଣମିଲେ । ଏତିକି ବେଳେ ଶୂନ୍ୟବାଣୀ ହେଲା –

ମହାରାଣୀ ସର୍ମିଷ୍ଠା, ତମରିପାଇଁ ଏ ରାଜ୍ୟରେ ଧର୍ମ ପ୍ରତିଷ୍ଠା ହେଲା । ତମରିପାଇଁ ସେ ନୀଳବର୍ଣ୍ଣ ଶୃଗାଳ ସେନାପତି ମୃତ୍ୟୁବରଣ କଲା । ତମେ ମହନୀୟା ମହାରାଣୀ । ତମର ସ୍ନେହମମତା- ଆଦରରେ ଏ ଦେଶ ହସୁ… । ସବୁରି ମୁହଁରେ ତମରି ପ୍ରଶଂସା ଫଳୁ । ଏତିକି ମୋର ଆଶୀର୍ବାଦ ।

ମହାରାଣୀ ସର୍ମିଷ୍ଠା ବୁଲିପଡି ରାଜା ପୁଷ୍ପକୁମାରଙ୍କ ହାତ ଧରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ