ପୁଷ୍ପକ କୁମାର-ଦଣ୍ଡ? ହାଃ- କି ଦଣ୍ଡ? ମୃତ୍ୟୁଦଣ୍ଡରେ ଦଣ୍ଡିତ କରିପାରିବ ସେ ନୀଳବର୍ଣ୍ଣ ରାଜା? ମନେରଖ- ମୁଁ ତ ଆଜି ନ ହେଲେ ବି କାଲି ମୁକ୍ତ ହେବି । ମୁଁ ମୋର ନାଯ୍ୟ ପ୍ରାପ୍ୟ ରାଜମୁକୁଟ ଛଡେଇ ଆଣିବି । ଆଉ ସେ ନୀଳବର୍ଣ୍ଣ ଶୃଗାଳ? ସମୟ – ହଁ ହଁ, ସମୟ ହିଁ ଜବାବ୍ ଦବ । ମୁଁ ଏ କଥାକୁ ମଧ୍ୟ ବିଶ୍ୱାସ କରେ ଯେ, କିଛିଟା ପାଇବାକୁ ହେଲେ, କିଛିଟା ହରେଇବାକୁ ବି ପଡେ ।
ଯାଅ… ପାଦଚଟା କୁକୁର । ତମ ନୀଳବର୍ଣ୍ଣ ରାଜାଙ୍କୁ କହିଦବ – ଏ ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ କୁମାର କେବେହେଲେ ତାକୁ ସାକ୍ଷାତ କରିବନି । ତା’ର ଯଦି ଆବଶ୍ୟକ ଥାଏ, ତେବେ ସେ ନିଜେ ମୋ ପାଖକୁ ଆସୁ ।
ମହାରାଜା-କ’ଣ କହିଲ କଟୁଆଳ? ପୁଷ୍ପକକୁମାର ଆସିଲାନି? ମୋତେ ସେ ପୁଣି ନୀଳବର୍ଣ୍ଣ ଶୃଗାଳ ବୋଲି କହିଲା? ଏତେ ଆସ୍ୱର୍ଦ୍ଧା ସେ ମୂର୍ଖର? ମୁଁ ତାକୁ ଏହିକ୍ଷଣି ହତ୍ୟା କରିବି ।
କଟୁଆଳ-କ୍ଷାନ୍ତ ହୁଅନ୍ତୁ ସେନାପତି ମହାରାଜ ।
ସେନାପତି ମହାରାଜ-କଟୁଆଳ… ।
କଟୁଆଳ-ଅପରାଧ ମାର୍ଜ୍ଜନା କରିବେ ମଣିମା । କଥା କ’ଣ କି ଆଗରୁ ତ ଆମେ ଆପଣଙ୍କୁ ସେନାପତି ବୋଲି ସମ୍ବୋଧନ କରୁଥିଲୁ ଭାଗ୍ୟ ଟାଣ ଆପଣ ଏ ଦେଶର ହଠାତ୍ ମଉଡମଣି ହୋଇଗଲେ । କିନ୍ତୁ ଆମ ପୁରୁଣା ଅଭ୍ୟାସଟା ଏତେଶୀଘ୍ର ପରିବର୍ତ୍ତନ ହେଇ ପାରିଲାନି ।
ଏମିତି କିଛିଦିନ ଗଲାପରେ ଆଉ ସେନାପତି ମହାରାଜ ଶବ୍ଦଟା ପାଇଁ ଜିଭ ଆଉଟିପାଉଟି ହବନି । ଏକାଥରକେ ମହାରାଜ ବୋଲି ଉଚ୍ଚାରଣ ହୋଇଯିବ । ଏଥିପାଇଁ ଆପଣ ଆଦୌ ରୋଷ କରନ୍ତୁନି ସେନାପତି ମହାରାଜ! ଅଭ୍ୟାସରେ ପଡିଗଲେ-
ସେନାପତି ମହାରାଜ-କଥାରେ ଭେଳିକି ଲଗେଇ, ମତେ ଆଉ ଭୁଲାଇବାକୁ ଚେଷ୍ଟା କରନା ଗୋଲାମ୍!
କଟୁଆଳ-ଠିକ୍ କଥା ସେନାପତି ମହାରାଜ ! ଗୋଲାମ ସବୁବେଳେ ଗୋଲାମର ହିଁ ପରିଚୟ ଦିଏ । ଗୋଲାମ କେବେ ବି ମୁନୀବ ହେଇ ପାରେନା ।
କଥାରେ ଅଛି-ଚାକରାଣୀ କେବେବି ଓଷା କରିପାରେନା, ପୋଇଲି କେବେବି ମୁଣ୍ଡରେ ଖୋସା ବାନ୍ଧି ପାରେନା କି ଉଡନ୍ତା ଚଢେଇ କେବେ ବସା ବାନ୍ଧି ପାରେନା । ଏତ ଖନାବଚନ ପାଠ । ସେମିତି ମୁଁ ତ କଟୁଆଳ, କେବେ ବି ସେନାପତି ହେଇ ପାରିବିନି; ରାଜା ହବାଟା ତ ସ୍ୱପ୍ନ ।
ସେନାପତି ମହାରାଜ-ତମେ କୁମାର ପୁଷ୍ପକକୁ ପରୋକ୍ଷରେ ସାହାଯ୍ୟ କରୁଚ?
କଟୁଆଳ-ମିଛ କଥା । ଏହି ଅଭିଯୋଗ ମଧ୍ୟ କୁମାର କରୁଛନ୍ତି । ନ୍ୟାୟ କଥା କହିବାଟା କ’ଣ ଅପରାଧ? ପାପ?
ସେନାପତି ମହାରାଜ-କଟୁଆଳ… ।
କଟୁଆଳ-ମୁଁ ଗୋଟାଏ ମଣିଷ । ଈଶ୍ୱରଦତ ବିବେକ ମୋ ପାଖରେ ବି ଅଛି, ସେଇ ବିବେକ ମତେ କହୁଚି, ଯାହା ଆପଣ କରୁଛନ୍ତି ସେସବୁ ଅନ୍ୟାୟ । ଏହାକୁ ଅତ୍ୟାଚାର ବ୍ୟତୀତ ଅନ୍ୟ କିଛି ବି କୁହାଯାଇ ପାରେନା ।
ସେନାପତି ମହାରାଜ-କଟୁଆଳ !
କଟୁଆଳ-କ’ଣ ମତେ ହତ୍ୟାର ଧମକ ଦଉଛନ୍ତି? ଚେଷ୍ଟାକରି ଦେଖନ୍ତୁ ସେନାପତି ମହାରାଜ । ହୁଁ, ସିଂହାସନ ଲୋଭରେ ଆପଣ ଦେବପ୍ରତିମ ମହାରାଜାଙ୍କୁ ହତ୍ୟାକଲେ, ମାତୃସମ ମହାରାଣୀକୁ ଜୋର୍କରି ଜହର ପିଆଇ ଦେଲେ । ସେଇ ସିଂହାସନ ଖୁବ୍ କମ୍ ଦିନ ମଧ୍ୟରେ ଭୁଷୁଡି ପଡିବ । ଆଉ ଆପଣ ରାଜକୁମାରଙ୍କୁ ହତ୍ୟା କରିବାର ଅପଚେଷ୍ଟା କଲେ, ପ୍ରଜାମାନେ ଆନ୍ଦୋଳନ କରିବେ । ଦେଶବ୍ୟାପୀ ଖାଲି ଅସନ୍ତୋଷର ନିଆଁ ଜଳିବ । ବିଦ୍ରୋହୀ ପ୍ରଜାମାନେ ସେଇ ନିଆଁରେ ଆପଣଙ୍କୁ ଗଡିଶା ମାଛ ଭଳି ପୋଡି ପକେଇବେ ।