ସେନାପତି ମହାରାଜ-ନା । ଏ କଟୁଆଳ ମଧ୍ୟ ମୋ ବିରୁଦ୍ଧରେ! ଯେପରି ହଉ ମତେ ଏ ପୁଷ୍ପକକୁମାରକୁ ହତ୍ୟା କରିବାକୁ ହିଁ ପଡିବ । ନହେଲେ ମୁଁ ଶାନ୍ତିରେ ଆଉ କେବେବି ଶୋଇ ପାରିବିନି । କିଏ ଅଛିରେ-
ଦ୍ୱାରପାଳ-ଆଦେଶ କରନ୍ତୁ ସେନାପତି ମହାରାଜ !
ସେନାପତି ମହାରାଜ-ଦ୍ୱାରପାଳ !
ଦ୍ୱାରପାଳ-ମଣିମା, ମୋର ଭୁଲ୍ ହୋଇଗଲା । କ୍ଷମା କରନ୍ତୁ ମଣିମା, ଆଦେଶ କରନ୍ତୁ?
ସେନାପତି ମହାରାଜ-ଜୋର୍କରି ସେ କୁମାରଟାକୁ ମୋ ସମ୍ମୁଖକୁ ଶୀଘ୍ର ନେଇ ଆସ ।
ଦ୍ୱାରପାଳ-ଯେ ଆଦେଶ ମଣିମା ।
ଦ୍ରୂତପଦରେ ସେଠାରୁ ତୁରନ୍ତ ଚାଲିଗଲେ ଦ୍ୱାରପାଳ । ଏଣେ ଖାଲି ପାଗଳଙ୍କ ପରି ହସି ଉଠିଲେ ସେନାପତି ମହାରାଜା । ସେ ପୁଷ୍ପକକୁମାରଙ୍କୁ ହତ୍ୟାକରି ନିଷ୍କଂଟକ ହେବେ । ତା’ପରେ ରାଜକୁମାରୀ ସର୍ମିଷ୍ଠାକୁ ବିବାହ କରିବେ ।
ସର୍ମିଷ୍ଠା ବହୁତ ସୁନ୍ଦରୀ । ଏ ଭୂଖଣ୍ଡର ଷାଠିଏ ଜଣ ରାଜକୁମାରୀଙ୍କ ମଧ୍ୟରେ ସୁନ୍ଦରୀ ପ୍ରତିଯୋଗିତା ହୋଇଥିଲା । ‘ଭୂଖଣ୍ଡ ସୁନ୍ଦରୀ’ ଉପାଧିରେ ଭୂଷିତା ସେ ସର୍ମିଷ୍ଠା । ଭାଗ୍ୟରେ ଥିଲେ ଏମିତି ସୁନ୍ଦରୀକୁ ପତ୍ନୀରୂପେ ଗ୍ରହଣ କରାଯାଏ ।
ଠିକ୍ ଏହି ସମୟରେ ପାନଖିଆ ପାଟିକୁ ନଚେଇ ନଚେଇ ପ୍ରବେଶିଲା ମାଲୁଣୀ । କହିଲା ସେନାପତିଙ୍କର ଜୟ ହେଉ ।
ସେନାପତି ମହାରାଜ-ମାଲୁଣୀ, ତୋର ଏତେ ଆସ୍ୱର୍ଦ୍ଧା ।
ମାଲୁଣୀ-ଏ ନାଲିଆଖି ମତେ ଦେଖାଉଛ କାହିଁକି? ମୁଁ ତ ମାଲୁଣୀ, ମୁଁ କ’ଣ କେବେ ରାଜରାଣୀ ହୋଇପାରିବି? ନିଜକୁ ମୁଁ ମହାରାଣୀଙ୍କ ଭଳି ଯେତେ ସଜେଇଲେ, ହୁକୁମ୍ ଦେଲେ, ପ୍ରଜାମାନେ ମତେ ପାଗଳୀ ବୋଲି କହିବେ । ସେମିତି ତମେତ ମୋ ଦେଖାରେ ମହାରାଜାଙ୍କ ପିଆଲାରେ ସୋମରସ ଢାଳୁଥିଲ, ପିଆଲା ଧୋଉଥିଲ, ମହାରାଜା ବାନ୍ତିକଲେ ତାକୁ ସଫା କରୁଥିଲ । ତା’ପରେ ଯାଇ ହେଲ ସେନାପତି ।
ବେଇମାନି କରି ମହାରାଜାଙ୍କୁ ହତ୍ୟାକଲ, ରାଣୀମା’ଙ୍କୁ ଜୋର୍କରି ଜହର ପିଆଇଦେଲ, ତା’ପରେ ତମେ ରାଜାହେଲ ମନକୁ ମନ । ତେଣୁ ମୁଁ ତ ତମକୁ କେବେ ହେଲେ ବି ମହାରାଜା ବୋଲି ସମ୍ବୋଧନ କରିପାରିବିନି ।
ବୁଝିଲ ସେନାପତିବାବୁ, ରାଜାପୁଅ ମୁଣ୍ଡରେ ରାଜମୁକୁଟ ହିଁ ଶୋଭାପାଏ । ଏ ସେନାପତି ଆଉ କଟୁଆଳ ମୁଣ୍ଡରେ ନୁହଁ । ଛି ଛି…ଦର୍ପଣରେ ଥରେ ଦେଖ ନିଜକୁ ନିଜେ । ଏ ରାଜମୁକୁଟ ତୁମକୁ ଶୋଭା ପାଉଛି କି ନା? ମାଙ୍କଡ ଗଳାରେ ମୁକ୍ତାମାଳ ଯେମିତି ଦିଶେ, ତା’ଠାରୁ ଆହୁରି ନାକରା ଦିଶୁଚି ।
ସେନାପତି ମହାରାଜ-ବେଇମାନି ଉଦ୍ଧତା ନାରୀ, ତୋତେ ମୁଁ ନିଶ୍ଚୟ ହତ୍ୟା କରିବି !
ମାଲୁଣୀ-ମହାରାଜା ହେଇଥିଲେ କହିଥାନ୍ତେ-ତୁମକୁ ମୁଁ ହତ୍ୟା କରିବି ଉଦ୍ଧତା ନାରୀ । ତୁଣ୍ଡର ଭାଷାରୁ ଜାଣିହୁଏ ଲୋକର ବୁନିୟାଦି କେତେ ଦମ୍ଭ । କଥାରେ ନାହିଁ ‘ଚାଟଘର ପିଲା ଚାଟ୍ ଭାଟଘର ପିଲା ଭାଟ ।’
ସେନାପତି ମହାରାଜ-ମାଲୁଣୀ!
ମାଲୁଣୀ-କାହିଁକି ତୁଚ୍ଛାଟାରେ ଗର୍ଜ୍ଜନ କରୁଚ? ରାଜକୁମାରୀ ସର୍ମିଷ୍ଠା ଚିଠାଉ ପଠାଇଛନ୍ତି ନିଅ, ପଢ?
ସେନାପତି ମହାରାଜ-ଆଉ ସେ କ’ଣ କହିଚି?
ମାଲୁଣୀ-କହିଛନ୍ତି ରାଜକୁମାର ପୁଷ୍ପକକୁ ମୁକ୍ତ କରିଦେଲେ ସେ ତମକୁ ବାହାହେବେ, ନ ହେଲେ ନାହିଁ ।
ସେନାପତି ମହାରାଜ-ମିଛ କହୁନ ତ ମାଲୁଣୀ?
ମାଲୁଣୀ-ଏଇ ଚିଟାଉ ପଢ ଜାଣିବ । ହଁ, ଗୋଟାଏ ରାଜକୁମାରୀ ନାଁ ଶୁଣୁ ଶୁଣୁ ଯିଏ ଦୁର୍ବଳ ହୋଇଯାଏ, ସେ ପୁଣି ହବ ରାଜା! ‘ଅମଜା କଂସା, ମନେ ମନେ ପ୍ରଶଂସା’ । ବାଉଁଶ ଗଛରେ ମଳୟ ଲାଗିଲେ ସେ ବି ଚନ୍ଦନ ବୋଲାଇବ ।
ମୁଁ ଯାଏ ଲୋ ମା’ । ଏ ଛୋପରା ସାଙ୍ଗରେ କିଏ ମୋର ଛୋପରେଇ ହବ ।
ସେନାପତି ମହାରାଜ-ମୁଁ ରାଜକୁମାରଙ୍କୁ ହତ୍ୟାକଲେ ସର୍ମିଷ୍ଠା ମୋତେ ବିବାହ କରିବନି । ତା’ ବ୍ୟତୀତ କୌଣସି ରାଜକୁମାରୀ ମୋତେ ବି ବିବାହ କରିବେନି । ହୁଁ, ମୁଁ ରାଜକୁମାରଙ୍କୁ ହତ୍ୟା କରିବି ଆଉ ରାଜକୁମାରୀ ସର୍ମିଷ୍ଠାକୁ ବିବାହ କରିବି !