ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମତ୍ସ୍ୟ ସୁନ୍ଦରୀ

ଦ୍ୱାରପାଳ-ମହାରାଜ, ରାଜକୁମାରଙ୍କୁ ବନ୍ଦିକରି ଉଠାଇ ଆଣିଚୁ ।

ମହାରାଜ-ଦ୍ୱାରପାଳ !

ଦ୍ୱାରପାଳ-ମହାରାଜ !

ମହାରାଜ-ଏହି ମୁହୂର୍ତ୍ତରୁ ରାଜକୁମାର ମୁକ୍ତ ।

ଦ୍ୱାରପାଳ-ମହାରାଜ, ଆପଣଙ୍କ-

ମହାରାଜ-ମୋ ମୁଣ୍ଡ ଠିକ୍ ଅଛି । ଯାଅ, ରାଜକୁମାରଙ୍କୁ ମୁକ୍ତି ଦିଅ । ଆଉ ରାଜ୍ୟସାରା ଡିଣ୍ଡିମ ବଜାଇଦିଅ ଯେ ରାଜକୁମାର ମୁକ୍ତ । ଶୁଭଦିନ ଦେଖି ତାଙ୍କର ଅଭିଷେକ ହବ । ଶୁଭଦିନ, ତିଥି, ଲଗ୍ନ ସଂପର୍କରେ ପ୍ରଜାମାନଙ୍କୁ ଜଣାଇଦିଅ ଦ୍ୱାରପାଳ ।

ଦ୍ୱାରପାଳ-ମହାରାଜ ।

ମହାରାଜ-ରାଜବୈଦ୍ୟଙ୍କୁ ହାଜର ହବାପାଇଁ ଆଦେଶ ଦେଲି ।

ଦ୍ୱାରପାଳ-ଯଥା ଆଜ୍ଞା ମଣିମା ।

ତାପରେ ସେ ସେନାପତିଙ୍କ କୁଟୀଳ ହସର ଲହଡି ଲହରେଇଗଲା ରାଜନଅର ସାରା ।

ରାଜବୈଦ୍ୟ-ମତେ ସ୍ମରଣ କଲେ ମହାରାଜ?

ମହାରାଜ-ଆସନ ଗ୍ରହଣ କରନ୍ତୁ ରାଜବୈଦ୍ୟ !

ରାଜବୈଦ୍ୟ-ଆଦେଶ କରନ୍ତୁ ମଣିମା!

ମହାରାଜ-ରାଜକୁମାର ପୁଷ୍ପକ ଆଜି ମୁକ୍ତ ହେଲେ ।

ରାଜବୈଦ୍ୟ-ତେବେ?

ମହାରାଜ-ମୁଁ ବେଇମାନି ହବାକୁ ଘୃଣାକରେ । ପ୍ରଜାମାନେ ଚାହାଁନ୍ତି କୁମାର ହିଁ ରାଜା ହୁଅନ୍ତୁ । ଆଉ ପ୍ରଜାମାନଙ୍କ କଥାକୁ ସମ୍ମାନ ଦବା ମୋର ପ୍ରଥମ କର୍ତ୍ତବ୍ୟ । ପ୍ରଜାମାନଙ୍କ ଅସନ୍ତୋଷ ମଧ୍ୟରେ ଶାସନଭାର ଗ୍ରହଣ କରିବାକୁ ମୁଁ ଜମା ପସନ୍ଦ କରେନା । ଅତଏବ ରାଜକୁମାର ମୁକ୍ତ- ।

ରାଜବୈଦ୍ୟ-ମଣିମା, ଏତେଗୁଡାଏ ପରିଶ୍ରମ ତେବେ – ?

ମହାରାଜ-ସେଥିପାଇଁ ମୁଁ କହେ ତମେ ଗୋଟାଏ ବଣଭାଲୁ । ଯୋଉ କାମ ଯୋଉ ବାଟରେ ହବାକଥା ଠିକ୍ ହବ । ତମେ ଖାଲି ମୋ ହୁକୁମ୍କୁ ଅପେକ୍ଷା କର । ଆଉ ଆଖି ପୂରେଇ ଦେଖିନିଅ, ମୁଁ କ’ଣ କରୁଚି । ହାଃ- ।

ମାହାରାକୂଳ ଘାଇ… । ପାଣିଠାରୁ ଘାଇର ଉଚ୍ଚତା ପ୍ରାୟ ପାଂଚଶହ ଗଜ ହବ । ଘାଇ ଉପରୁ ପାଣିକୁ ଚାହିଁଲେ ଛାତି ଥରିଉଠେ । ଆମେ ତ ନିଜେ ଦେଖିଚୁ, ପତରଟାଏ ପଡିଲେ ବି ତାହା ସାଙ୍ଗେ ସାଙ୍ଗେ ପାଣିରେ ବୁଡିଯାଏ ।

ଅତଡା ଉପରେ ବିରାଟ ଏକ ଶିମୂଳୀ ଗଛ । କାହିଁ କୋଉ କାଳରୁ ଅଛି କହିହବନି ତା’ର ଆୟୁଷ କେତେ? ମାହାରାର ଅଧା ଛାତିକୁ ସେ ଘୋଡେଇ ରଖିଚି ତା’ର ଡାଳ ମେଲି । ମାହାରା ଛାତିରେ କେବେବି ଖରା ପଡେନି କି ଜହ୍ନ ଆଲୁଅ ବି ପଡେନି । ପଡେ ଖାଲି ଶୁଖିଲା ଶିମୂଳୀପତ୍ର ଓ ଫୁଲ । ଚକାଭଉଁରୀ କାଟି ବୁଡିଯାଏ ପାଣିରେ । କିନ୍ତୁ କାହିଁକି ବୁଡେ ୟା’ର କାରଣ କେହି କେବେ ବି କାହାଠୁ ବୁଝିନି । ସେକଥା କିଏ ବା ଜାଣିଚି ଯେ ଅନ୍ୟକୁ କହିବ?


ଗପ ସାରଣୀ

ତାଲିକାଭୁକ୍ତ ଗପ