ଏହାର କାରଣ କେବଳ ଅଙ୍ଗାରବାବା ହିଁ ଜାଣନ୍ତି ଆଉ ଜାଣନ୍ତି ତାଙ୍କର ଶିଷ୍ୟ ବାଜପକ୍ଷୀ ମନମୋହିନୀ ।
ସାଧାରଣ ପ୍ରଜା କି ରାଜା କେହି କେବେବି ସେ ଅଙ୍ଗାରବାବାଙ୍କୁ ଦେଖି ନାହାଁନ୍ତି । ମନମୋହିନୀକୁ ମଧ୍ୟ କେହି ଦେଖି ନାହାଁନ୍ତି । କିନ୍ତୁ ମନମୋହିନୀ ସଦାସର୍ବଦା ଏଇ ଶିମୂଳୀଗଛ କୋରଡରେ ରହେ । ଆଉ ବାବା ଯାଇ ରହନ୍ତି ନିକଟସ୍ଥ ଶୁଖିଲା କୂଅ ଭିତରେ ।
ରାତିର ମଝିଲା ବୟସ । ସବୁଠି ଅନ୍ଧାର । ଅମେଇଁସାର ବହଳିଆ ଅନ୍ଧାର । ଝିଙ୍କାରୀ ବି ନୀରବ । କୋଉଠି ଶୁଖିଲା ପତ୍ର ପଡିବାର ଖସ୍ଖାସ୍ ଶବ୍ଦ । ତାସାଙ୍ଗକୁ ମଝିରେ ମଝିରେ ଶୃଗାଳର ‘ହୁକେ ହୁ’ ଶବ୍ଦ ।
ଏଣେ ଏ ମନମୋହିନୀ ବାଜପକ୍ଷୀ ଆହୁରି ଟିକେ ସଜାଗ ହୋଇଉଠିଲା । ତାପରେ ତା’ର ଆଖି ଦି’ଟା ଚଂଚଳ ହୋଇ ଉଠିଲା । କାଳବିଳମ୍ବ ନ କରି ସେ ମନମୋହିନୀ ସ୍ୱାମୀ ଅଙ୍ଗାରବାବାଙ୍କୁ ସ୍ମରଣ କଲା ଏବଂ ଆଖି ପିଛୁଳାକେ ତା’ର ଶରୀର ଅସମ୍ଭବ ଭାବେ ବଢିଗଲା । ତତ୍କ୍ଷଣାତ୍ ସେ ପାଂଚ ଛ’ ମହଣ ଓଜନର ଖଣ୍ଡେ ପଥରକୁ କୋଉଠୁ ଉଠାଇ ଆଣି ନିଜ ଚଂଚୁରେ ଧରିନେଲା ।
ହଠାତ୍ ଏହି ସମୟରେ ସେ ଶିମୂଳୀଗଛ ମୂଳେ ଘୋଡାଗାଡିଟା ଅଟକିଲା । ଗାଡିରୁ ଓହ୍ଲେଇ ଆସିଲେ ଦି’ଟା ଛାୟାମୂର୍ତ୍ତି! ଏଣେ ତେଣେ ଚାହିଁଲେ ସେମାନେ । ତା’ପରେ ଗାଡି ଭିତରୁ ଗୋଟାଏ ମୁହଁ ବନ୍ଧା ବସ୍ତା ବାହାର କରିଆଣି ମାହାରା ମଧ୍ୟକୁ ଫିଙ୍ଗିଦେଲେ । ବସ୍ତାଟା ପାଣିରେ ପଡିବା ପୂର୍ବରୁ ବାଜପକ୍ଷୀ ତାକୁ ଝାମ୍ପି ଆଣିଲା ଏବଂ ତା’ ଚଂଚୁରେ ଥିବା ପାଂଚ ଛ’ ମହଣିଆ ପଥରଟା ପାଣିରେ ପଡିଗଲା । ବହୁତ ଦିନରୁ ଉପାସିଆ କୁମ୍ଭକର୍ଣ୍ଣ କୁମ୍ଭୀର ଟାକି ବସିଥିଲା ଯେମିତି । ଟକ୍କିନା ଗିଳିଦେଲା ସେ ପଥରକୁ । ଘୋଡାଗାଡି ସହ ଅନ୍ତର୍ଦ୍ଧାନ ହେଇଗଲେ ଛାୟାମୂର୍ତ୍ତି ଦି’ ଜଣ ।
ମନମୋହିନୀ ବାଜପକ୍ଷୀ ବସ୍ତାଟିକୁ ନେଇ ଶିମୂଳୀଗଛ ନିକଟସ୍ଥ ଶୁଖିଲା କୂଅ ମଧ୍ୟରେ ରଖିଦେଲା । ଗୁରୁଦେବଙ୍କୁ ସ୍ମରଣ କରି କୂଅ ଚାରିପଟେ ଏକୋଇଶି ଥର ଘୂରି ଆସିଲା । ସେହିକ୍ଷଣି ସେ ବସ୍ତାଟି କୁଆଡେ ଅନ୍ତର୍ଦ୍ଧାନ ହେବା ସଙ୍ଗେ ସଙ୍ଗେ କୂଅ ମଧ୍ୟରୁ ବାହାରି ଆସିଲା ଗୋଟିଏ ଝଙ୍କାଳିଆ ଚମ୍ପାଗଛ । ତା’ ଫୁଲର ମହକରେ ମହକିଗଲା ଚଉଦିଗ । ଏସବୁ ଦେଖି ମନେ ମନେ ହସିଲା ମନମୋହିନୀ ।
ଉପାସିଆ କୁମ୍ଭକର୍ଣ୍ଣ କୁମ୍ଭୀର ପେଟରେ ଏବେ ଛ’ ମହଣିଆ ପଥର ଖନ୍ତେ । ତେଣୁ କୁମ୍ଭୀର ଦେହଟା ଅସମ୍ଭବ ଭାରି ହେଇଯାଇଛି । କୁମ୍ଭୀରଟି ନା ସ୍ଥିରହେଇ ରହିପାରୁଚି ନା ପହଁରି ପାରୁଚି । କୁମ୍ଭୀର ଟିକେ ହଲଚଲ ହେଲାବେଳକୁ ପଥରଟା ଗଡିଯାଉଛି ଏପଟରୁ ସେପଟକୁ । ଏଇ କେଇ ମୁହୂର୍ତ୍ତ ଭିତରେ ସେ କୁମ୍ଭୀର ବଡ କଷ୍ଟ ପାଇଲାଣି । ଏପରିକି ପିଣ୍ଡରୁ ପ୍ରାଣ ଛାଡିଯିବା ଉପରେ ତା’ର ।
କିଛି ସମୟ ପରେ ସ୍ଥିର ମାହାରର ଛାତି ରକ୍ତର ପିଚକାରୀରେ ଅସ୍ଥିର ହୋଇଗଲା । ଭାସି ଉଠିଲା ଏକ ବିରାଟକାୟ କୁମ୍ଭୀରର ସ୍ଥିର ଦେହ । ଏଣେ ମନେ ମନେ ହସିଲା ମନମୋହିନୀ । ତାପରେ ସେ ମନମୋହିନୀ ଗଛ କୋରଡରୁ ବାହାର କରି ଆଣିଲା ଗୋଟାଏ ଶଙ୍ଖ । ସ୍ୱାମୀଙ୍କୁ ସ୍ମରଣ କରି ସାତଥର ଫୁଙ୍କିଲା ।
ଏବେ ସେ ମନମୋହିନୀ ତା’ସ୍ୱାମୀଙ୍କ କଣ୍ଠସ୍ୱର ଶୁଣିବାକୁ ପାଇଲା ।
ଅଙ୍ଗାରବାବା-ତୋତେ ମୁଁ ଆଶୀର୍ବାଦ କରୁଚି ମନମୋହିନୀ!
ମନମୋହିନୀ-ସ୍ୱାମୀ ! ଆପଣ ଦେଇଥିବା ଆଦେଶକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିଚି ।
ଅଙ୍ଗାରବାବା-ବହୁତ ଖୁସିହେଲି ।
ମନମୋହିନୀ-କୁମ୍ଭକର୍ଣ୍ଣ କୁମ୍ଭୀରର ମଲା ଦେହଟା ମାହାରାରେ ଭାସୁଚି ।
ଅଙ୍ଗାରବାବା-ଏଇଠୁ ହିଁ ଆରମ୍ଭ ହବ ମୋ ତପସ୍ୟାର କରାମତି ।
ମନମୋହିନୀ-ବୁଝି ପାରିଲିନି ସ୍ୱାମୀ?
ଅଙ୍ଗାରବାବା-ରାତି ପାହିବା ପରେ ଦେଖିବୁ ସେଠି ଆଉ ନ ଥିବ କୁମ୍ଭୀରର ଶବ, କେବଳ ଥିବ ଗେଣ୍ଡୁଫୁଲର ଗୋଟାଏ ଶେଯ । ତାହା ବି ଠିକ୍ କୁମ୍ଭୀର ଆକୃତି ପରି ।
ମନମୋହିନୀ-ତା’ପରେ?
ଅଙ୍ଗାରବାବା-ମାୟା କୁହେଳିକା ଖାଲି କୁହେଳିକା । ମୁଁ ଚାହେଁ ସତ୍ୟର ସ୍ଥାପନା । ମୁଁ ଚାହେଁ ନ୍ୟାୟର ରାଜତ୍ୱ । ମୁଁ ଚାହେଁ ଶାନ୍ତିର ବାରି ଝରୁ ଏଇ ପ୍ରିତୀପୁରେ, ତଥା ଏ ସାରା ସଂସାରରେ ।
ମନମୋହିନୀ ତ ସାରା ରାତି ଉଜାଗର ରହିବାକୁ ଚାହିଁଥିଲା; ହେଲେ ସେ ମୋଟେ ପାରିଲାନି । କାହିଁକିନା କେତେବେଳେ ନିଦ ଯେ ତା’ ଆଖି ଦି’ଟାକୁ କାବୁ କରିଦେଲା ସେ ନିଜେ ବି ଜାଣି ପାରିଲାନି । ନଖ ଉଷୁମ୍ ଖରା ତା’ ଦେହରେ ବାଜିବାରୁ ସେ ମନମୋହିନୀ ତା’ଆଖି ଖୋଲିଲା । ତାପରେ ସେ ଦେଖିଲା କୂଅ ଭିତରେ ନାଗଫେଣୀ ଗଛ । ଆଉ ସେ ମାହାରା ପାଣିରେ କୁମ୍ଭୀରାକୃତି ଗେଣ୍ଡୁଫୁଲର ଶେଯ!
ସର୍ବଗିଳାସିଂ ରାଜକୁମାରୀ ଅନ୍ତର୍ଦ୍ଧାନ ହୋଇଯାଇଥିବା ଖବର ସେନାପତିଙ୍କୁ ଦେଲା ।