ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମତ୍ସ୍ୟ ସୁନ୍ଦରୀ

ସେନାପତି-ଆପଣ କ’ଣ କହିଲେ ସର୍ବଗିଳା ସିଂ, ରାଜକୁମାରୀ ସର୍ମିଷ୍ଠା କୁଆଡେ ଅନ୍ତର୍ଦ୍ଧାନ ହେଇ ଯାଇଛନ୍ତି? ଏହା କିପରି ସମ୍ଭବ ହେଲା? ସତ କୁହନ୍ତୁ, ରକ୍ଷୀ ପ୍ରହରୀ ସମସ୍ତେ ଥାଉ ଥାଉ ସେ କୁଆଡେ ଚାଲିଗଲେ? ଅଥଚ କେହି ବି ଆଦୌ ଜାଣି ପାରିଲେନି?

ସର୍ବଗିଳାସିଂ-ମତେ ବିଶ୍ୱାସ କରନ୍ତୁ ବନ୍ଧୁ ।

ସେନାପତି-ଚୁପ୍କର ବିଶ୍ୱାସଘାତକ । ବନ୍ଧୁ ବୋଲି ଡାକିବାକୁ ଆପଣଙ୍କୁ ଟିକେ ଲାଜ ଲାଗୁନି? ଆପଣ ଜାଣନ୍ତି ମୁଁ ସର୍ମିଷ୍ଠାକୁ ବିବାହ କରିବି ବୋଲି ନିଜ ସହିତ ପଣ ରଖି ଚାଲିଚି । ଆପଣଙ୍କୁ ଉତରାର୍ଦ୍ଧର ରାଜା କରାଇବି ବୋଲି ବଚନ ଦେଇଥିଲି; ହେଲେ ଆପଣ ଏ କ’ଣ କଲେ?

ସର୍ବଗିଳାସିଂ-ମୁଁ ଜାଣେ, ଆପଣ ମୋ କଥାକୁ କଦାପି ବିଶ୍ୱାସ କରିବେନି । ବନ୍ଧୁ ବୋଲି ଆପଣଙ୍କ ଅସହ୍ୟ କଥାକୁ ମୁଁ ସହ୍ୟ କରିଥିଲି; ମାତ୍ର ଆଉ ନୁହେଁ । ବିଶ୍ୱାସଘାତକ ମୁଁ ନୁହଁ, ଆପଣ । ରାଜକୁମାରୀଙ୍କୁ ଜଣେ ରାଜା କିମ୍ବା ରାଜକୁମାର ହିଁ ବିବାହ କରିବା କଥା ବିଧି ଅଛି । ଜଣେ ଧୋକାବାଜ, ବେଇମାନ ସେନାପତି ନୁହଁ ।

ସେନାପତି-ସର୍ବଗିଳା ସିଂ!

ସର୍ବଗିଳାସିଂ-ଆସ୍ତେ କହନ୍ତୁ ସେନାପତି । ଚିତ୍କାର କଲେ କିଛି ବି ଲାଭ ହବନି ।

ସେନାପତି-ମୁଁ ତମକୁ ହତ୍ୟା କରିବି ।

ସର୍ବଗିଳାସିଂ-ହସ ଲାଗୁଚି ସେନାପତି, ଥରେ ପରୀକ୍ଷାକରି ଦେଖ । ମୋତେ ହତ୍ୟାକରିବା ପୂର୍ବରୁ ମୋର ସୈନିକମାନେ ତମ ରାଜ୍ୟଟାକୁ ଜାଳିପୋଡି ପାଉଁଶ କରି ଦେଇଥିବେ ।

ହୁଁ, ତେବେ ବିଳମ୍ବ କାହିଁକି? ଉଠାଅ ଅସ୍ତ୍ର । ତମେ ଭାବନି ଯେ ମୁଁ ଏତେ ଦୁର୍ବଳ । ରାଜ୍ୟର ପ୍ରତ୍ୟେକ ପ୍ରଜା ତମଭଳି ଗୋଟାଏ ଅମଣିଷ ହାତରେ ରାଜକୁମାରୀଙ୍କୁ ଟେକିଦବାକୁ ନାପସନ୍ଦ କରୁଥିଲେ । ଏମିତିକି ଅନେକ ସ୍ଥାନରେ ବିଦ୍ରୋହର ନିଆଁ ବି ଜଳାଇ ସାରିଥିଲେ । ମନେରଖ – ଭବିଷ୍ୟତରେ କେବେ ବି ମୟୁରପୁରୀ ଆକ୍ରମଣ କରିବାର ଦୁଃସାହସ କଲେ ଏହାର ପରିଣତି ଅତ୍ୟନ୍ତ ଭୟାବହ ହୋଇଉଠିବ । ମୁଁ ଏବେ ଆସୁଚି ।

ମାହାରାଘାଇ ଗଣ୍ଡର ପାଣି ସ୍ଥିର ଥିଲା । ଭାସୁଥିବା କୁମ୍ଭୀରାକୃତି ଫୁଲଶେଯ ଉପରେ ବିଛେଇହେଇ ପଡିଥିଲା ଗୋଟାଏ ଉଜ୍ଜ୍ୱଳ ଆଲୁଅ । ଅନ୍ୟ ସବୁଠି ବହଳିଆ ଅନ୍ଧାର । ହଠାତ୍ ସେ ଫୁଲଶେଯ ଉପରକୁ ଡେଇଁପଡିଲା କେରାଣ୍ଡି ଭଳି ମାଛଟିଏ । ସ୍ଥିର ହେଇଗଲା କେଇ ମୁହୂର୍ତ୍ତ ସେ ମାଛଟି । ତା’ପରେ ଆସ୍ତେ ଆସ୍ତେ ସେ ମାଛଟି ତା’ର ଆକୃତି ବଢାଇ ଚାଲିଲା । ବିଶ୍ୱାସ କରି ହବନି ସେ ମାଛର ଆକୃତି ଦେଖିଲେ ।

ଚାରିପଟକୁ ବୁଲିପଡି ସେ ମାଛଟି ଚାହିଁଲା, ଓ ତା’ପରେ ସେ ପାଣିକୁ ଡେଇଁପଡିଲା । କେଇ ମୁହୂର୍ତ୍ତପରେ ସେହି ମାଛଟି ମାଟି ଉପରକୁ ଆସିବାକୁ ଚେଷ୍ଟାକଲା । ସେ ମାଛଟିର ଯୋଉ ଅଂଶ ମାଟିକୁ ଛୁଉଁଥିଲା, ସେଇ ଅଂଶ ଜଣେ ସୁନ୍ଦରୀ ଯୁବତୀର ଅଙ୍ଗପ୍ରତ୍ୟଙ୍ଗ ଭଳି ହେଇ ଯାଉଥିଲା । ଶେଷରେ ସେ ଗୋଟାଏ ନୀଳପରୀର ରୂପ ସୌନ୍ଦର୍ଯ୍ୟ ନେଇ ଶିମୂଳୀଗଛ ଆଡକୁ ଆଗେଇଲା ।

ଆଲୁଅ ଲିଭିଗଲା ମାହାରାଘାଇ ଉପରୁ । ସୁନ୍ଦରୀଟି ଶିମୂଳୀ ଗଛ ପାଖ କୂଅ ପାଖରେ ଯାଇ  ପହଁଚିଲା । କୂଅ ମଧ୍ୟରେ ସେ ଚମ୍ପାଗଛଟି ମଥା ହଲାଇ ସୁନ୍ଦରୀକୁ ସ୍ୱାଗତ ଜଣାଇଲା ବୋଧେ । ମତ୍ସ୍ୟସୁନ୍ଦରୀ ତା’ ଭାଷାରେ କ’ଣ କହିଲା କେଜାଣି ବୁଝି ହେଲାନି; ମାତ୍ର ତା’ର ଆଖିର ଲୁହ ସୂଚେଇ ଦେଇଥିଲା–ସେ ଯେମିତି ଅନେକ କିଛି ଦୂରେଇ ଦେଲା ପରେ, ସାମାନ୍ୟ କିଛି ଫେରିପାଇବାର ପ୍ରତିଶୃତି ପାଇଗଲା । ତା’ର ଥରିଲା ଓଠ କଣରେ ହସ ଚେନାଏ ମହକି ଗଲା । ଆଉ ତା’ପରେ ସେ ମତ୍ସ୍ୟସୁନ୍ଦରୀ କୂଅ ମଧ୍ୟକୁ ଯାଇ ଚମ୍ପାଗଛ ମୂଳରେ ଆରାମରେ ଶୋଇଗଲା ।

ରାତି ପାହିଯିବ ଆଉ ଘଡିକ ପରେ । ମତ୍ସ୍ୟସୁନ୍ଦରୀ ଅଳସ ଭାଙ୍ଗି ଉଠିଲା । ତା’ ଭାଷାରେ ସେ ଚମ୍ପାଗଛକୁ କ’ଣ କହିଲା କେଜାଣି ଚମ୍ପାଗଛ ମଥା ହଲାଇଲା । ତା’ପରେ ଧିର ପାଦରେ ମତ୍ସ୍ୟସୁନ୍ଦରୀ ପୁଣି ଥରେ ମାହାରାଘାଇ ଗଣ୍ଡରେ କୁଆଡେ ହଜିଗଲା ।

ମୁଁ କିଛି ବି ଶୁଣିବାକୁ ଚାହେଁନା ସେନାପତି ! ମୁଁ ଚାହେଁ କେବଳ ରାଜକୁମାରୀ ସର୍ମିଷ୍ଠାକୁ । ସେ ମୃତ ହଉ ବା ଜୀବିତ ହଉ, ମୁଁ ତାକୁ ହିଁ ଚାହେଁ । ତାକୁ ବିବାହ ନକଲେ ମୋ ଜୀବନରେ ଗୋଟିଏ ବିରାଟ ଶୂନ୍ୟସ୍ଥାନ ରହିଯିବ । ଯେତେ ମୁଦ୍ରା ଖର୍ଚ୍ଚ ହଉ ପଛେ, ସେଥିପାଇଁ ମୋର ଆଦୌ ପରବାଏ ନାହିଁ । କିନ୍ତୁ ତା ପ୍ରତିବଦଳରେ ମୁଁ ଚାହେଁ ରାଜକୁମାରୀ ସର୍ମିଷ୍ଠାକୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ