ସର୍ଦ୍ଦାର କହିଲେ “କିନ୍ତୁ ମୋ ଆଖିରେ ତ ସେ ଜଣେ ଅପହରଣକାରୀ ମାତ୍ର! ରାଜା! ମୁଁ ଯଦି ତୁମ ପାଦକୁ ତୀର ନ ମାରି ତୁମ ବକ୍ଷକୁ ମାରିଥାନ୍ତି, ତେବେ ତୁମେ ରାଜା ହୁଅ, ପ୍ରଜା ହୁଅ, କିଏ ଆଜି ତୁମକୁ ରକ୍ଷା କରିଥାନ୍ତା?”
ରାଜା ଲଜ୍ଜିତ ହୋଇ କହିଲେ, “ତୁମେ ଅବଶ୍ୟ ଠିକ୍ କହୁଛ । ମୁଁ ଏଥିଲାଗି କ୍ଷମା ମାଗୁଛି ।”
ଏହାପରେ ରାଜା ଘୋଡା ଚଢି ସେଠାରୁ ବିଦାୟ ନେଲେ ।
ଏହାର ଠିକ୍ ଏକ ମାସ ପରେ ଦିନେ ମନ୍ତ୍ରୀ ଓ କେତେଜଣ ବିଶିଷ୍ଟ ଅମାତ୍ୟ ବହୁ ଉପହାର ଧରି ସେଠାରେ ଆସି ପହଁଚିଲେ । ମନ୍ତ୍ରୀ ଇନ୍ଦୁମତୀଙ୍କୁ ଅଭିବାଦନ ଜଣାଇ କହିଲେ, “ମା! ଏହା ତୁମକୁ ଆମର ଭେଟି । ତୁମ ସମ୍ପର୍କରେ ଆସି ଆମ ରାଜାଙ୍କର ଯେଉଁଭଳି ପରିବର୍ତ୍ତନ ହୋଇଛି, ତାହା ଭାଷାରେ ପ୍ରକାଶ କରିବା ମୋଟେ ସହଜ ନୁହେଁ । ସେ ଏଣିକି ଜନସେବାରେ ସବୁ ସମୟ ଦେଉଛନ୍ତି । ଏବେ ବଡ ବଡ ରାଜାଙ୍କ ଘରୁ ତାଙ୍କପାଇଁ ବିବାହ ପ୍ରସ୍ତାବ ଆସୁଛି । କିନ୍ତୁ ସେ କହୁଛନ୍ତି କି ସେ ମୋଟେ ବିବାହ କରିବେ ନାହିଁ । ଆମ୍ଭେମାନେ ତାଙ୍କର ଏ ସିଦ୍ଧାନ୍ତକୁ ଅବଶ୍ୟ ପସନ୍ଦ କରୁନାହୁଁ, କିନ୍ତୁ ସେ ରାଜକାର୍ଯ୍ୟରେ ମନୋନିବେଶ କରିବାରୁ ଆମେ ଭାରି ଆନନ୍ଦିତ ।”
ଇନ୍ଦୁମତୀ ଟିକିଏ ଚିନ୍ତା କରି କହିଲେ, “ମନ୍ତ୍ରୀବର! ରାଜାଙ୍କୁ କହିବେ, ଏଣିକି ତାଙ୍କ ପ୍ରସ୍ତାବରେ ମୋର ଆଉ କିଛି ଆପତ୍ତି ନାହିଁ । କି ପ୍ରସ୍ତାବ, ସେକଥା ସେ ଠିକ୍ ବୁଝିପାରିବେ ।”
ମନ୍ତ୍ରୀ ଓ ସଭାସଦ୍ମାନେ ସେଦିନ ଫେରିଯାଇ ପୁଣି ଉତ୍ଫୁଲ୍ଲ ଭାବରେ ପରଦିନ ଆସିଲେ ଓ ସର୍ଦ୍ଦାରଙ୍କ ସହ ପରାମର୍ଶ କରି ବିବାହର ଦିନ ଠିକ୍ କଲେ । ରାଜାଙ୍କ ସହ ଇନ୍ଦୁମତୀଙ୍କ ବିବାହ ହୋଇଗଲା । ଇନ୍ଦୁମତୀ କିନ୍ତୁ ସପ୍ତାହରେ ଦୁଇଦିନ ଆସି ଆଦିବାସୀମାନଙ୍କ ଚିକିତ୍ସା କାମ ଅବ୍ୟାହତ ରଖିଲେ ।
ଦିନେ ରାଜା ପଚାରିଲେ “ଇନ୍ଦୁମତୀ! ତୁମର ମତ କିପରି ପରିବର୍ତ୍ତନ ହେଲା?”
“ରାଜା! ତୁମ ସ୍ୱଭାବରେ ପରିବର୍ତ୍ତନ ସେଥିପାଇଁ ଅନେକାଂଶରେ ଦାୟୀ । ତୁମେ ଯେତେବେଳେ ରାଜସୁଲଭ କର୍ତ୍ତବ୍ୟ ଅନୁଭବ କରି, ଅତୀତର ସେହି ଖାମଖିଆଲ୍ ସ୍ୱଭାବ ତ୍ୟାଗ କରି ପ୍ରଜାଙ୍କ ହିତରେ ମନ ଦେଲ, ସେତେବେଳେ ବୁଝିଲି ତୁମେ ମୋ ସେବାକାମରେ କେବେବି ବାଧା ଦେବ ନାହିଁ । ତୁମେ ପୁଣି ବିବାହ କରିବ ନାହିଁ ବୋଲି ଠିକ୍ କଲ । ସେଥିରୁ ବୁଝିଲି ତୁମେ ମୋ ଛଡା ଆଉ କାହାକୁ କେବେବି ମଧ୍ୟ ବିବାହ କରିବ ନାହିଁ ବୋଲି ସିଦ୍ଧାନ୍ତ ନେଇଛ । ସେ ଦିନର ସେ ଆଚରଣ ପାଇଁ ତୁମେ ଅନୁତପ୍ତ ହେବାର ଦେଖି ବୁଝିଥିଲି ତୁମ ମୌଳିକ ସ୍ୱଭାବ ଅତି ଉତ୍ତମ! କ’ଣ ଆଉ କିଛି କୈଫିୟତ୍ ଲୋଡା?” ଏତିକି କହି ଇନ୍ଦୁମତୀ ହସିଲେ ।
ରାଜା ମଧ୍ୟ ହସି ହସି କହିଲେ “ନା, ନା! ଏତିକି ଯଥେଷ୍ଟ!”