ଶାରୀ କହିଲା ଦେଖିଲୁତ ଶୁଆ – ଝିଅଟା ସେହି ସାନ ରାଜ ପୁଅ ପାଇଁ କେତେ କଣ ନକଲା । ଚାହିଁ ଥିଲେ ସାନ ଭଉଣୀ ଗୁଣି ଗାରେଡି ବଳରେ ରାଜା ପୁଅର ଜୀବନ ନେଇ ଯାଇ ପାରି ଥାନ୍ତା, ସେ ତାହା କଲା ନାହିଁ । କାରଣ ରାଜା ପୁଅକୁ ସେ ନିଜ ଜୀବନରୁ ଅଧିକ କରି ଥିଲା । ନିଜର ସ୍ୱାମୀ ଭାବରେ ମାନି ଥିଲା । ସେ ତାର ସ୍ୱାମୀ, ତାଙ୍କୁ ମାରି ଦେଲେ ତା’ର କଣ ବା ଭଲ ହୋଇ ଥାଆନ୍ତା ।
ବରଂ ତା ଲାଗି କାନ୍ଦି କାନ୍ଦି ସନ୍ନ୍ୟାସିନୀ ବେଶରେ ସେ ସହର ଛାଡି ଜଙ୍ଗଲକୁ ଆସିଲା । ସ୍ୱାମୀଙ୍କର ନାମ ଧରି କେବଳ କାନ୍ଦିବାକୁ ଲାଗିଲା, ତା’ର କାନ୍ଦଣା ଶୁଣି ଜଙ୍ଗଲରେ ଥିବା ପଶୁ ପକ୍ଷୀ ମାନେ ସ୍ତବ୍ଧ ହୋଇ ଗଲେ । ସମସ୍ତଙ୍କ ମୁଖରେ ସେହି ଗୋଟିଏ କଥା । ରାଜା ପୁଅ ସାନ ଭଉଣୀ ନିକଟରେ ଅବିଶ୍ୱାସ କାମ କଲେ ।
ଏଥୁ ଅନ୍ତେ ସାନ ଭଉଣୀ କାନ୍ଦି କାନ୍ଦି ଛୋଟ ବଡ କି ଚାରି ପାଂଚୋଟି ଜଙ୍ଗଲ ପାର ହୋଇ ଶେଷରେ ଯେଉଁ ଜଙ୍ଗଲରେ ପହଁଚିଲା ସେ ଜଙ୍ଗଲ ମଧ୍ୟରେ ଗୋଟିଏ ଆଶ୍ରମ ଥିବାର ଦେଖିଲା । ସେହି ଆଶ୍ରମକୁ ଯାଇ ଦେଖିଲା ଯେ ଆଶ୍ରମରେ ଜଣେ ସନ୍ନ୍ୟାସୀ ବାସ କରୁ ଅଛନ୍ତି । ସେ ଯାଇ ସନ୍ନ୍ୟାସୀଙ୍କର ପାଦ ତଳେ ପଡି ଗଲା ।
ଜଣେ ସ୍ତ୍ରୀ ଲୋକ, ସେ ଏପରି କେଉଁ ବିପଦରେ ପଡି ଏଠାରେ ଆସି ପହଁଚିଲା । ଏହି କଥା ଭାବି ଭାବି ସନ୍ନ୍ୟାସୀ ତାକୁ ପାଦ ତଳୁ ଉଠାଇ ଦେଇ କିଛି ସମୟ ଧ୍ୟାନରେ ବସି ଜାଣି ପାରିଲେ ଯେ ରାଜାଙ୍କର ସାନ ପୁଅ ସାନ ରାଜ କୁମାର ଏହି ଝିଅଟିକୁ ପରିତ୍ୟାଗ କରି ଚାଲି ଯାଇଛି । ବର୍ତ୍ତମାନ ସ୍ୱାମୀଙ୍କୁ ହରାଇ ବିଚାରି କାନ୍ଦି କାନ୍ଦି ଏଠାରେ ଆସି ପହଁଚିଛି ।