ବ୍ରହ୍ମଦତ ଯେତେବେଳେ କାଶୀରେ ରାଜତ୍ୱ କରୁଥା’ନ୍ତି ସେତେବେଳେ ବୋଧିସତ୍ୱ ଏକ ପବିତ୍ର ବ୍ରାହ୍ମଣ ପଣ୍ଡିତଙ୍କ ପରିବାରରେ ଜନ୍ମ ନେଲେ । ବିଂଶବର୍ଷ ବୟସରେ ପଦାର୍ପଣ କରିବାର ବହୁ ପୂର୍ବରୁ ସେ ନାନା ଶାସ୍ତ୍ରରେ ପାରଦର୍ଶିତା ଲାଭ କରିଥିଲେ ।
ବୋଧିସତ୍ୱଙ୍କର ମାତା ପିତା ତାଙ୍କୁ ବିବାହ ଦେବାପାଇଁ ଚାହିଁଲେ । କିନ୍ତୁ ସେ ବିବାହ ନ କରି ସନ୍ନ୍ୟାସ ବ୍ରତ ନେଇ ହିମାଳୟକୁ ଚାଲିଗଲେ । ସେଠାରେ ସେ ଏକ ସୁନ୍ଦର ଆଶ୍ରମ କରି ରହିଲେ ।
ଅନେକ ଦିନ ପରେ, ଥରେ ସେ ଶିଷ୍ୟଗଣ ପରିବେଷ୍ଟିତ ହୋଇ ତୀର୍ଥଯାତ୍ରା କଲେ । ସେ ଶ୍ରାବସ୍ତୀ, ଭଦ୍ରାବତୀ ଓ ଅବଶେଷରେ ଅମ୍ବତୀର୍ଥରେ ଯାଇ ପହଁଚିଲେ । ସେହି ତୀର୍ଥରେ ଜଣେ ମୁନିଙ୍କର ଆଶ୍ରମ ଥିଲା । ସେଇ ଆଶ୍ରମରେ ଅମ୍ବକକୀର୍ତ୍ତିକ ନାମକ ଏକ ଭୟଙ୍କର ବିଷଧର ସର୍ପ ରହୁଥାଏ । ଗ୍ରାମବାସୀମାନେ ବୋଧିସତ୍ୱ ଓ ତାଙ୍କ ଶିଷ୍ୟମାନଙ୍କୁ ସର୍ପ ବିଷୟରେ ସାବଧାନ କରାଇ ଦେଇ କହିଲେ ଯେ ଯେପରି ସେମାନେ ସେ ଆଶ୍ରମରେ ପ୍ରବେଶ ନ କରନ୍ତି । ସବୁ ଶୁଣି ବୋଧିସତ୍ୱ ମୌନ ରହିଲେ ।
ବୋଧିସତ୍ୱଙ୍କର ଅନ୍ୟତମ ଶିଷ୍ୟ ସାଗତସ୍ଥବୀର । ସେ ମନ୍ତ୍ରଶାସ୍ତ୍ରରେ ପ୍ରବୀଣ ଥିଲେ । ଆହୁରି ମଧ୍ୟ ସେ ଅସାଧାରଣ ସାହସୀ ମଧ୍ୟ ଥିଲେ । ସେ ବୋଧିସତ୍ୱ ଓ ଅନ୍ୟାନ୍ୟ ଗୁରୁଭାଇଙ୍କୁ ନ କହି ସେହି ଆଶ୍ରମକୁ ସିଧା ଚାଲିଲେ । ସେତେବେଳେ ତ ଆଶ୍ରମରେ ମୁନି ନ ଥିଲେ । ସାଗତସ୍ଥବୀର ଆଶ୍ରମରେ ପ୍ରବେଶ କରି ଗୋଟାଏ ଆସନ ପକାଇ ଘରର ମଝିରେ ବସି ପଡିଲେ । ତତ୍କ୍ଷଣାତ୍ ପୂର୍ବୋକ୍ତ ସର୍ପ ଆସି ତାଙ୍କ ସମ୍ମୁଖରେ ଫଣା ଟେକି ଛିଡା ହେଲା ।